ଯଶୋବନ୍ତୀ ମୃତ୍ୟୁ ଘଟଣା:‘ଅଂଶୁଘାତ ନୁହେଁ, ହତ୍ୟା ହୋଇଛି’

ବରଗଡ଼: ୧୮ ତାରିଖ ବୁଡ଼େନ ଥାନା ବୁଡ଼େନ ଗାଁର ରମେଶ ସାହୁଙ୍କ ପତ୍ନୀ ଯଶୋବନ୍ତୀ (୪୦)ଙ୍କ ବୁର୍ଲା ମେଡିକାଲ୍‌ରେ ମୃତ୍ୟୁ ଘଟିଥିଲା। ୧୭ ତାରିଖ ଅସୁସ୍ଥ ଯଶୋବନ୍ତୀଙ୍କୁ ପ୍ରଥମେ ପଦ୍ମପୁର ଡାକ୍ତରଖାନା ଏବଂ ପରେ ବୁର୍ଲାକୁ ଅଣାଯାଇଥିଲା। ଅଂଶୁଘାତ ମୃତ୍ୟୁ ଅଭିଯୋଗ ହେବାରୁ ବୁର୍ଲା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ତେବେ ଯଶୋବନ୍ତୀଙ୍କ ମୃତ୍ୟୁ ଅଂଶୁଘାତଜନିତ ନୁହେଁ, ବରଂ ତାଙ୍କୁ ଶାଶୂଘର ଲୋକେ ହତ୍ୟା କରିଛନ୍ତି ବୋଲି ଯଶୋବନ୍ତୀଙ୍କ ମା’ଘର ଲୋକେ (ପାଟଣାଗଡ଼ ଥାନା କହ୍ନେଇଟାଲ ଗାଁ) ଅଭିଯୋଗ କରିଛନ୍ତି। ଏନେଇ ସେମା‌େନ ବୁଡ଼େନ ଥାନା ଦ୍ବାରସ୍ଥ ହୋଇ ହତ୍ୟା ମାମଲା ରୁଜୁ କରିବାକୁ ଦାବି କରିଛନ୍ତି। ଯଶୋବନ୍ତୀଙ୍କୁ ଗାଁ ଦାଣ୍ଡରେ ମାଡ଼ ମାରିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଅଚେତ ହୋଇ ପଡ଼ିବାରୁ ପଦ୍ମପୁର ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ବୁର୍ଲା ନିଆଗଲା। ମାମଲାକୁ ଚପାଇ ଦେବାକୁ ଏହାକୁ ଅଂଶୁଘାତ ଜନିତ ମୃତ୍ୟୁର ରୂପ ଦିଆଯାଇଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତେବେ ଶବବ୍ୟବଚ୍ଛେଦ ରିପୋର୍ଟ ବର୍ତମାନ ଯାଏଁ ଆସିନଥିବା ବୁଡ଼େନ ଥାନା ଅଧିକାରୀ ଯଶୋବନ୍ତ କେରକେଟା କହିଛନ୍ତି। ମାମଲାର ତଦନ୍ତ ପାଇଁ ବୁଡ଼େନ ପୁଲିସ୍‌ ବୁର୍ଲା ଯିବ। ସେଠାରେ ବ୍ୟବଚ୍ଛେଦ ରିପୋର୍ଟ ଯାଂଚ ହେବ। କିଛି ସନ୍ଦେହଜନକ ତଥ୍ୟ ମିଳିଲେ ଅପମୃତ୍ୟୁ ମାମଲା ହଟାଇ ନୂଆ ଦଫା ଲାଗୁ କରାଯିବ ବୋଲି ଥାନାଧିକାରୀ ଶ୍ରୀ କେରକେଟା ପ୍ରତିକ୍ରିୟା ରଖିଛନ୍ତି।

ସମ୍ବନ୍ଧିତ ଖବର