ମାଉସୀ ମା’ ମନ୍ଦିରରେ ପହଞ୍ଚିଲା ତାଳଧ୍ୱଜ, ଟାଉନ ଥାନା ନିକଟରେ ଅଟକିଲା ଦର୍ପଦଳନ

ପ୍ରଥମ ଥର ପାଇଁ ଅନ୍ଲାଇନରେ ଲାଇଭ୍‌ ହେଲା ବାରିପଦା ରଥଯାତ୍ରା

ବାରପଦା: ଶ୍ରୀକ୍ଷେତ୍ରର ବିଶ୍ୱପ୍ରସିଦ୍ଧ ରଥଯାତ୍ରାକୁ ନେଇ ସୃଷ୍ଟି ହୋଇଥିବା ଅପୂର୍ବ ଉତ୍ସାହ ଓ ଉଦ୍ଦିପନାର ସମ୍ପୂର୍ଣ୍ଣ ନିଦର୍ଶନ ଦେଖିବାକୁ ମିଳିଛି। ୨ୟ ଶ୍ରୀକ୍ଷେତ୍ର ଭାବେ ଖ୍ୟାତି ଅର୍ଜନ କରିଥିବା ବାରିପଦା ରଥଯାତ୍ରାରେ ଗୋଟିଏ ଦିନ ବିଳମ୍ବରେ ହେଉ ପଛେ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଅପୂର୍ବ ଶିହରଣ। ଲୋକାରଣ୍ୟ ପାଲଟିଥିଲା ବାରିପଦାର ବଡ଼ଦାଣ୍ଡ। ହଜାର ହଜାର ଆବାଳବୃଦ୍ଧବନୀତା ଭକ୍ତି ଭାବରେ ବିହ୍‌ଳିତ ହୋଇପଡ଼ିଥିଲେ। ମହାପ୍ରଭୂଙ୍କ କୃପାରୁ ପାଗ ମଧ୍ୟ ଥିଲା ବେଶ୍‌ ଅନୁକୁଳ। ତେଣୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ରଥଟାଣିବାକୁ ଅପଲକ ନୟନରେ ଚାହିଁରହିଥିବା ଭକ୍ତ ଆଜି ମାନିନଥିଲା କିଛି ବାଧା ବନ୍ଧନଯ। ଜଗାର ରଥକୁ ଟାଣିବାକୁ ଆହୁରି ଗୋଟେ ଦିନ ଅପେକ୍ଷା କରିବାକୁ ପଡ଼ିବ। ମାତ୍ର ବଡ଼ଠାକୁର ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଟାଣି ଭକ୍ତିରସରେ ଭିଜିଥିଲେ ସମସ୍ତେ।

ଆଜି ଗୋଟେ ଦିନ ବିଳମ୍ବରେ ୨ୟ ଶ୍ରୀକ୍ଷେତ୍ର ଭାବେ ଜଣାଶୁଣା ବାରିପଦାର ଶ୍ରୀ ଶ୍ରୀ ହରିବଳଦେବଜିଉ ମନ୍ଦିରରେ ଗଡ଼ିଥିଲା ରଥ। ଜନଜାତି ବହୁଳ ମୟୂରଭଞ୍ଜ ଜିଲ୍ଲାରେ ଏହି ରଥଯାତ୍ରା ଲୋକମାନଙ୍କ ମଧ୍ୟରେ ଅପୂର୍ବ ପୁଲକ ଆଣିଦେଇଛି। ପରମ୍ପରା ଅନୁସାରେ ଦିନ ପ୍ରାୟ ଅେଇଟାରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଭକ୍ତମାନେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଟାଣିଥିଲେ। ବଡ଼ଭାଇ ମଧ୍ୟ ଭକ୍ତଙ୍କ ଭକ୍ତିକୁ ପରୀକ୍ଷା କରୁଥିଲେ। କଉଠି ବାମ ପାର୍ଶ୍ଵକୁ ମାଡ଼ିଯାଉଥାଆନ୍ତି ତ’ କେଉଁଠି ଦକ୍ଷିଣ ପାର୍ଶ୍ଵକୁ। ମାତ୍ର ଭକ୍ତମାନେ ମଧ୍ୟ ଭକ୍ତିର ଝୁଙ୍କରେ ଅଟଳ।

ମହାପ୍ରଭୂ ଜଗନ୍ନାଥଙ୍କ ଜ୍ୟେଷ୍ଠ ଭ୍ରାତାଙ୍କ ରଥକୁ ସୁରୁଖୁରୁରେ ଟାଣି ନେଇ ପହଞ୍ଚାଇଦେଇଥିଲେ ମାଉସୀ ମା’ ମନ୍ଦିରରେ। ପରେ ପରେ ପାଳି ପଡ଼ିଥିଲା ଦୁଇ ଭାଇଙ୍କ ଗେହ୍ଲୀ ଭଉଣୀ ତଥା ବିଶ୍ୱଭଗିନୀ ଦେବୀ ସୁଭଦ୍ରାଙ୍କର। ସମଗ୍ର ବିଶ୍ୱରେ ଏକ ନିଆରା ପରମ୍ପରାଭାବେ ଦେବୀଙ୍କ ରଥକୁ କେବଳ ମହିଳାମାନେ ହିଁ ଟାଣିଥାଆନ୍ତି। ପରମ୍ପରା ଅନୁଯାୟୀ ମହିଳାମାନେ ହିଁ ଦେବୀଙ୍କ ରଥ ଦର୍ପଦଳନକୁ ଟାଣିଥିଲେ। ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତମାନେ ଟାଣି ଟାଣି ଟାଉନ୍‌ ଥାନା ନିକଟରେ ପହଞ୍ଚାଇଥିଲେ। ପ୍ରଥା ଅନୁଯାୟୀ ଏହିଠାରେ ହିଁ ଦେବୀ ସୁଭଦ୍ରାଙ୍କ ରଥ ଅଟକିଥିଲା।

ଆସନ୍ତାକାଲି ଦର୍ପଦଳନ ରଥ ଏହି ସ୍ଥାନରୁ ଟଣା ହୋଇ ମାଉସୀ ମା’ ମନ୍ଦିର ନିକଟକୁ ଯିବ। ପରେ ମହାବାହୁ କାଳିଆ ସାଆନ୍ତଙ୍କ ରଥଟଣା ହେବ। ପହଣ୍ଡି ଦିନକୁ ଛାଡ଼ି ବାରିପଦାରେ ଘୋଷଯାତ୍ରା ଦୁଇ ଦିନ ଧରି ଅନୁଷ୍ଠିତ ହୁଏ। ଆଜିର ଘୋଷଯାତ୍ରା ସୁରୁଖୁରୁରେ ସମ୍ପନ୍ନ ହୋଇଥିବା ପ୍ରଶାସନ ପକ୍ଷରୁ ପ୍ରକାଶ। ତେବେ ପ୍ରଥମ କରି ୨ୟ ଶ୍ରୀକ୍ଷେତ୍ରର ପ୍ରସିଦ୍ଧ ରଥଯାତ୍ରାକୁ ୟୁଟ୍ୟୁବ୍‌, ଟୁଇଟର୍‌ ଓ ଫେସବୁକ ମାଧ୍ୟମରେ ବିଶ୍ୱର ଯେକେଣସି ସ୍ଥାନରୁ ଦେଖିପାରିଛନ୍ତି ଭକ୍ତ ସମାଜ। ପ୍ରଥମ କରି ବାରିପଦା ରଥଯାତ୍ରାକୁ ଅନ୍ଲାଇନରେ ଲାଇଭ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର