ବାରିପଦା: ସ୍ୱାମୀ ସହିତ ଝଗଡ଼ା କରି କବାଟ କିଳିି ଘର ଭିତରେ ସନ୍ତାନ ଜନ୍ମ ଦେଲେ ମହିଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ମାଣିଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି।  ଘର ଭିତରେ ନିଜକୁ ଆବଦ୍ଧ କରି ଜଣେ ମହିଳା ଏକ କନ୍ୟା ସନ୍ତାନକୁ ଜନ୍ମ ଦେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତ ମହିଳା ଜଣକ ମାଣିଦା ଗାଁର ରାଜେଶ କୁମାର ସେଠୀଙ୍କ ପତ୍ନୀ ମିତା ସେଠୀ ବୋଲି ଜଣାପଡ଼ିଛି। ଏହି ଘଟଣାରେ ପୁଲିସ ମୃତ ମହିଳାଙ୍କ ସ୍ୱାମୀକୁ ଅଟକ ରଖିଛି। ପ୍ରସବ ବେଳେ ଗାଁର ଆଶାକର୍ମୀ ମଧ୍ୟ ଧରାଛୁଆଁ ଦେଇ ନ ଥିବା ଅଭିଯୋଗ ହୋଇଛି।

ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ,  ରାଜେଶ ଓ ତାଙ୍କ ଅନ୍ତସତ୍ତ୍ୱା ପତ୍ନୀଙ୍କ ଭିତରେ ବିବାଦ ଲାଗି ରହୁଥିଲା। ତେଣୁ ସେମାନେ ଅଲଗା ଅଲଗା ଘରେ ଶୋଉଥିଲେ। ଗତକାଲି ରାତିରେ ମିତା ନିଜର ଅନ୍ୟ ଦୁଇ ଛୁଆଙ୍କ ସହ ଘରେ କବାଟ ବନ୍ଦ କରି ଶୋଇଥିଲେ। ବିଳମ୍ବିତ ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ଫଳରେ ସେ ପତିଙ୍କୁ ସାହାଯ୍ୟ ଲାଗି ନ ଡାକି  ଘର ଭିତରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସ୍ୱାମୀ ରାଜେଶ ତା’ପର ଦିନ ଯେତେ କବାଟ ବାଡେଇ ଥିଲେ ବି ମିତା କବାଟ ଖୋଲି ନ ଥିଲେ। ଏ ନେଇ ତାଙ୍କ ବାପ ଘର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ବାପଘର ଲୋକେ ଆସି କବାଟ ଭାଙ୍ଗି ମିତା ଓ ନବଜାତ ଶିଶୁକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରିବା ପରେ ବାଙ୍ଗିରିପୋଷି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମିତାଙ୍କୁ ମୃତ ଘୋଷଣା କରିଥିଲେ। ନବଜାତ ଶିଶୁକନ୍ୟାର ଅବସ୍ଥା ଗୁରୁତର ଥିବାରୁ ବାରିପଦା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧିତ ଖବର