‘ଶରତ ସାରସ୍ୱତ ସମ୍ମାନ’ରେ ସମ୍ମାନିତ ହେଲେ ଡକ୍ଟର ବାସନ୍ତୀ ମହାନ୍ତି

ଡାବୁଗାଁ: ସ୍ଥାନୀୟ ଭୈରବ କନିଷ୍ଠ ମହାବିଦ୍ୟାଳୟର ଓଡ଼ିଆ ପ୍ରାଧ୍ୟାପିକା ତଥା ଡାବୁଗାଁ ‘ସମ୍ବାଦ ସାହିତ୍ୟ ଘର’ ଅଧ୍ୟକ୍ଷା ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ କଟକର ଶରତ ସାହିତ୍ୟ ଟ୍ରଷ୍ଟର ପଞ୍ଚଦଶ ପ୍ରତିଷ୍ଠା ଉତ୍ସବରେ ‘ଶରତ ସାରସ୍ୱତ ସମ୍ମାନ’ରେ ସମ୍ମାନିତ କରାଯାଇଛି। କଟକର ବାଣୀପୀଠ ଶ୍ରୀ ରାମଚନ୍ଦ୍ର ଭବନରେ ଅନୁଷ୍ଠିତ ଉତ୍ସବରେ ସାରସ୍ୱତ ସାଧିକା ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ ଏହି ସମ୍ମାନ ମିଳିଥିଲା। ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇ କବିତା, ଗଳ୍ପ ଓ ଉପନ୍ୟାସ ମାଧ୍ୟମରେ ସାମାଜିକ ପରିବର୍ତ୍ତନ ବାହକ ସାଜିବାକୁ ସଚେତନ କରିଥିଲେ।

ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ ତାଙ୍କ ଜୀବନ କାଳ ମଧ୍ୟରେ ବିଭିନ୍ନ କ୍ଷୁଦ୍ର ଗଳ୍ପ, ପ୍ରବନ୍ଧ, ଜୀବନ ଓ ଅନ୍ୟାନ୍ୟ ପୁସ୍ତକ ରଚନା କରି ସମାଜକୁ ନୂଆ ଦିଗ ଦେଇଛନ୍ତି। ଡକ୍ଟର ମହାନ୍ତି ଓଡ଼ିଆ ସାହିତ୍ୟ ଜଗତରେ ଏକାଧାରରେ ଗାଳ୍ପିକା, ପ୍ରବନ୍ଧ ସାହିତ୍ୟ ସ୍ରଷ୍ଟା, ସାହିତ୍ୟ ସମାଲୋଚିକା, ସ୍ତମ୍ଭକାର ଓ ଅନୁବାଦିକା ଭାବରେ ଅଜସ୍ର ସମ୍ମାନର ଅଧିକାରୀ ହୋଇଥିବା ବେଳେ ତାଙ୍କ ରଚନା ମଧ୍ୟରେ ରହିଛି ରାଜ ଜେମା, ବିଲେଇ ଓ କୁଲି ପ୍ରସଙ୍ଗ, ପିତୃ ଋଣ, ମାଆ, ନିର୍ବାଚିତ ଗଳ୍ପ ମଧ୍ୟରେ କ୍ଷୁଦ୍ରଗଳ୍ପ ସଂକଳନ ଓ ପ୍ରଗତି ପରମ୍ପରା, ଦୃଷ୍ଟି ଓ ଦିଗନ୍ତ, ନାରୀ, ସୁରେନ୍ଦ୍ର ମହାନ୍ତିଙ୍କ କଥା କୋଣାର୍କ, ନୀତି ନିୟତି ଆଲୋଚନା ପୁସ୍ତିକା, ନୀଳଶୈଳର ପଦ ଚାରି ଆଦି ବହୁ ଉଚ୍ଚକୋଟୀର ପୁସ୍ତକ ରଚନା କରି ଅନନ୍ୟ ପ୍ରତିଭାର ପରିଚୟ ପ୍ରଦାନ କରିଥିବାରୁ ତାଙ୍କୁ ଏହି ଶରତ ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା।

ମୁଖ୍ୟ ଅତିଥି ଡକ୍ଟର ବାସନ୍ତୀ ମହାନ୍ତିଙ୍କୁ ଉପଢ଼ୌକନ ପ୍ରଦାନ ସହ ଏକ ରୌପ୍ୟ ଫଳକ ଓ ନଗଦ ୨ ହଜାର ଟଙ୍କାର ଅର୍ଥରାଶି ମଧ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଶରତ ପ୍ରଭା ଚତୁର୍ଦ୍ଦଶ ସ୍ତବକ ୨୦୨୦ର ନୂତନ ପୁସ୍ତକ ଉନ୍ମଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ଆସିଥିବା ସାହିତ୍ୟିକମାନଙ୍କୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ଶରତ ସାହିତ୍ୟ ଟ୍ରଷ୍ଟ ତରଫରୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର