ଜଟଣୀ: ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଉପକଣ୍ଠ ସ୍ଥାନୀୟ କୁଦିଆରୀ ଗ୍ରାମରେ ଗ୍ରାମଦେବୀ ମା’ ଜାଗୁଳାଇଙ୍କ ଶକ୍ତିପୀଠରେ ବାସନ୍ତିକ ଦୁର୍ଗାପୂଜା ଓ ନବରାତ୍ର ମହୋତ୍ସବ ଶୁକ୍ରବାର ଅଷ୍ଟମ ଦିନରେ ପହଂଚିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସକାଳେ ସୂର୍ଯ୍ୟ ପୂଜା କରାଯାଇ ସଂଧ୍ୟାରେ ମହାସ୍ନାନ ପରେ ମା’ଙ୍କୁ ଦୁର୍ଲଭ ମହାଗୌରୀ ବେଶରେ ଭୂଷିତ କରାଯାଇଥିଲା। ପରେ ଷୋଡଶ ଉପଚାର ପୂଜା ଏବଂ ସମ୍ପୂର୍ଣ୍ଣ ଚଣ୍ଡୀ ଆହୂତି ମଧ୍ୟ ରାତ୍ର ପର୍ଯ୍ୟନ୍ତ ଦିଆଯାଇଥିଲା। ଶ୍ରଦ୍ଧାଳୁମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ ଙ୍କୁ ଦର୍ଶନ କରିଥିଲେ। ଆଜି ମଧ୍ୟ ମନ୍ଦିର ବେଢାରେ କମିଟିର ସଦସ୍ୟ ମାନେ ଜଗନ୍ନାଥଙ୍କ ଟଙ୍କ ତୋରାଣି ସହିତ କାକରା ପିଠା ଶ୍ରଦ୍ଧାଳୁ ମାନଙ୍କୁ ବଣ୍ଟନ କରିଥିଲେ।
ମା’ ସିଦ୍ଧି ଦାତ୍ରୀ ବେଶରେ ଶନିବାର ଦର୍ଶନ ଦେବେ ସହ ୯ ଜଣ କୁମାରୀ କନ୍ୟାଙ୍କୁ ମା’ଙ୍କ ୯ ଟି ସୁରୂପରେ ଶ୍ରଦ୍ଧାଳୁ ମାନେ ପୂଜାର୍ଚ୍ଚନା କରିବେ ବୋଲି ମନ୍ଦିର ପୂଜକ ମନୋରଞ୍ଜନ ପଣ୍ଡା ଏବଂ ମନ୍ଦିର ପରିଚାଳନା କମିଟିର ସଂପାଦକ ଲକ୍ଷ୍ମୀଧର ମହାନ୍ତି ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି।
ଅନ୍ୟ ମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ଚନ୍ଦ୍ରଶେଖର ପଣ୍ଡା, ବିଜୟ କୁମାର ରାଜା, ରବି ନାରାୟଣ ମହାନ୍ତି, ସୁନୀଲ ମହାନ୍ତି, ତ୍ରିନାଥ ପାଟସାହାଣୀ, ଅଶୋକ ଦାସ, ବନଜା ବାସିନୀ ପ୍ରଧାନ, ଗୀତ ରାଣୀ ବେହେରା ପ୍ରମୁଖ କର୍ମକର୍ତ୍ତା ସହଯୋଗ କରିଥିଲେ।