ବନ୍ଧୁକ ମୁନରେ ଠିକାଦାରଙ୍କୁ ଅପହରଣ ଘଟଣା: ଦାୟିତ୍ୱରେ ଅବହେଳା ପାଇଁ ବାସୁଦେବପୁର ସବ୍‌ଇନ୍ସପେକ୍ଟର ନିଲମ୍ବିତ

ବାସୁଦେବପୁର: ଗତ ଶନିବାର ଦିନ ବାସୁଦେବପୁର ଥାନା ଅଞ୍ଚଳରେ ଜଣେ ଠିକାଦାରଙ୍କୁ ବନ୍ଧୁକ ଦେଖାଇ ଅପହରଣ ଘଟଣାରେ ଦାୟିତ୍ୱରେ ଅବହେଳା ପାଇଁ ଇନ୍‌ସପେକ୍ଟର ମହାପ୍ରସାଦ ନାୟକ ନିଲମ୍ବିତ ହୋଇଛନ୍ତି। ଭଦ୍ରକ ଏସ୍‌ପି ରାଜେଶ ପଣ୍ଡିତ ସବ୍‌ଇନ୍ସପେକ୍ଟର ମହାପ୍ରସାଦ ନାୟକଙ୍କୁ ନିଲମ୍ବନ କରିଛନ୍ତି।

ସୂଚନାଥାଉ କି ଗତ ୧୫ ତାରିଖ ରାତି ପ୍ରାୟ ୭ଟାରେ ବାସୁଦବେପୁର ଥାନା ଅନ୍ତର୍ଗତ ସୁଦର୍ଶନପୁର ଛକରେ ସ୍ଥାନୀୟ ଆର୍ତୁଙ୍ଗ ଗାଁର ଠିକାଦାର ଅଶୋକ କୁମାର ଦାଶ ନିଜର ବ୍ୟବସାୟିକ ବନ୍ଧୁ ଶାନ୍ତନୁ ପଣ୍ଡାଙ୍କ ସହ ବୁଲେଟ ଗାଡ଼ିରେ ଘରକୁ ଫେରୁଥିଲେ। ଏହି ସମୟରେ ଏକ ଫୋର୍ଡ ଗାଡ଼ି (ଓଡ଼ି ୦୫ ପି-୪୫୪୫)ରେ କିଛି ଦୁର୍ବୃତ୍ତ ଅଶୋକଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ଏହା ପରେ ଗାଡ଼ିରୁ ୪ ଜଣ ଦୁର୍ବୃତ୍ତ ବାହାରି ଅଶୋକଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ପରେ ଶାନ୍ତନୁ ପଣ୍ଡା ଥାନାରେ ଅଭିଯୋଗ କରିଥିଲେ।

ଏହି ସମ୍ବେଦନଶୀଳ ଅପହରଣ ଘଟଣାରେ ପୁଲିସର ତତ୍ପରତା ପ୍ରକାଶ ପାଇଥିଲା। ଉଭୟ ବାସୁଦେବପୁର ଓ ବାଲେଶ୍ୱର ଜିଲ୍ଲାର ସୋର ପୁଲିସର ମିଳିତ ଛାନଭିନ ଆରମ୍ଭ ହୋଇଥିଲା। ଅପହରଣରେ ବ୍ୟବହୃତ ଫୋର୍ଡ ଗାଡ଼ିଟି ୧୬ ନମ୍ବର ଜାତୀୟ ରାଜପଥର ସୋର ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ଛିଡ଼ା ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା। ଘଟଣା ସହିତ କେଉଁମାନେ ସଂପୃକ୍ତ, ଏବାବଦରେ ପୁଲିସକୁ କିଛି ସୁରାଗ ମିଳିଥିଲା।

ଅପହରଣ ଘଟଣାରେ ସଂପୃକ୍ତ ମୁଖ୍ୟ ଅଭିଯୁକ୍ତ ରଞ୍ଜନ କୁମାର ନାୟକ ଓରଫ କାଳିଆ ନାମକ ଜଣେ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଫେରାର କରାଇ ଦେବାରେ ସବ୍‌ ଇନ୍ସପେକ୍ଟରଙ୍କ ପ୍ରଚ୍ଛଦ ହାତଥିବା ତଦନ୍ତକାରୀ ପୁଲିସକୁ ଖୀଅ ମିଳିଥିଲା। ପୁଲିସ ମୁଖ୍ୟ ଅଭିଯୁକ୍ତ କାଳିଆ ସମେତ ଟିଙ୍କୁ କୁମାର ସିଂ, ପ୍ରମୋଦ କୁମାର ନାୟକ ଓ କନ୍‌ଷ୍ଟେବଳ କରୁଣାକର ଖଣ୍ଡାଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟପକ୍ଷରେ ଏହି ଅପରାଧ ଘଟଣାରେ ଶ୍ରୀ ଦାଶଙ୍କୁ ଜଳେଶ୍ୱରସ୍ଥିତ ଏକ ମୋଟର ସାଇକେଲ ଗ୍ୟାରେଜ ସୁରକ୍ଷିତ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର