ଚାଉଳ ଓ ଭତ୍ତା ଦେଇ ଯୋଗାଣ ବିଭାଗ ଚୁପ୍‌, ନିର୍ଦ୍ଦେଶର ୧ ମାସ ପରେ ବି ହିତାଧିକାରୀଙ୍କୁ ମିଳିନି ଡାଲି

ଖୋର୍ଦ୍ଧା: କୋଭିଡ୧୯ ମହାମାରୀ ପାଇଁ ଲକ୍‌ଡାଉନ୍ ଏହା ମଧ୍ୟରେ ୭୦ ଦିନ ବିତିଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲାରେ ଅନ୍ତ୍ୟୋଦୟ ଅନ୍ନ ଯୋଜନା, ଅନ୍ନପୂର୍ଣ୍ଣା ଯୋଜନା ଓ ପ୍ରାଥମିକ ପରିବାର (ପ୍ରିୟରିଟି ହାଉସ୍‌ହୋଲ୍‌ଡ)ଙ୍କୁ ୩ ମାସର ଅଗ୍ରିମ ଚାଉଳ ଓ ଗହମ ଦେବା ପାଇଁ ଘୋଷଣା ହୋଇଥିଲା । ସେହିଭଳି ପ୍ରିୟରିଟି ହାଉସହୋଲ୍‌ଡ ଓ ଅନ୍ନପୂର୍ଣ୍ଣା ଯୋଜନାର ହିତାଧିକାରୀଙ୍କୁ ମାଗଣା ଡାଲି ଏବଂ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ୩ କିଲୋଗ୍ରାମ ଡାଲି ଯୋଗାଇ ଦେବାକୁ ଦିଆଯାଇଥିବା ନିର୍ଦ୍ଦେଶକୁ ଏହା ମଧ୍ୟରେ ୧ ମାସ ବିତିଯାଇଛି । କିନ୍ତୁ ଅଧିକାଂଶ ହିତାଧିକାରୀଙ୍କୁ ଚାଉଳ ମିଳିଯାଇଥିବା ବେଳେ କ୍ରମାଗତ ନିର୍ଦ୍ଦେଶ ଓ ତାଗିଦ୍ ପରେ ମଧ୍ୟ ଜିଲ୍ଲାରେ ଏଯାଏଁ ୮୦ ପ୍ରତିଶତ ସ୍ଥାନରେ ଡାଲି ବଂଟନ ଆରମ୍ଭ ହୋଇପାରିନାହିଁ ।

କରୋନା ମହାମାରୀ ଓ ଲକ୍‌ଡାଉନ୍‌କୁ ଦୃଷ୍ଟିରେ ରଖି ଏନ୍‌ଏଫ୍‌ଏସ୍‌ଏ ପ୍ରାଥମିକତା ପରିବାର (ପିଏଚ୍‌ଏଚ୍‌) ଓ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗିରବ କଲ୍ୟାଣ ଅନ୍ନ ଯୋଜନାରେ ପ୍ରତି ସଦସ୍ୟ ପିଛା ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ଓ ୧ କିଲୋଗ୍ରାମ୍ ହରଡ଼ ଡାଲି ଅପ୍ରିଲ୍‌, ମଇ ଓ ଜୁନ୍ ମାସ ପାଇଁ ପ୍ରଦାନ କରିବାକୁ ମାର୍ଚ୍ଚ ୩୦ ତାରିଖରେ ନିର୍ଦ୍ଦେଶ ରହିଥିଲା । ଏହା ମଧ୍ୟରେ ୨ ମାସ ବିତିଯାଇଛି ଖୋର୍ଦ୍ଧା ଜିଲ୍ଲାର ଅଧିକାଂଶ ପଂଚାୟତରେ ଡାଲି ବଂଟନ ହୋଇପାରିନାହିଁ । କିଛି ଗାଁରେ ଗତ ୨ ଦିନ ହେଲା ଡାଲି ବଂଟନ ଆରମ୍ଭ ହୋଇଥିବା ଜଣାଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ଡାଲି ବଂଟନ ପାଇଁ ପ୍ରଥମ ଦଫା ନିର୍ଦ୍ଦେଶ ଏଯାଏଁ ପାଳନ ହୋଇନଥିବା ବେଳେ ଚଳିତ ମାସ ୧୫ ତାରିଖରେ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାର ୧୫୩ଟି ରାସନ ଦୋକାନ ଜରିଆରେ ୬୨୦ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ପରିବାରକୁ ମାଗଣା ଡାଲି ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଟାଙ୍ଗିଆପଡ଼ା ସରପଂଚଙ୍କ ଅଭିଯୋଗକ୍ରମେ ୱିଲ୍‌କିସନନଗର ଗାଁରେ ଏଯାଏଁ ୩୦୦ ହିତାଧିକାରୀ ପରିବାରଙ୍କୁ ଡାଲି ମିଳିନାହିଁ । ଏନେଇ ସେ ବ୍ଲକ ଅଧିକାରୀ ଓ ସ୍ଥାନୀୟ ଯୋଗାଣ ନିରୀକ୍ଷକଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ଗୋଡ଼ିପଡ଼ା ପଂଚାୟତ ସରପଂଚଙ୍କ କହିବାନୁସାରେ, ମୋଟା, ଗୋଡ଼ିପଡ଼ା ଓ ପଂଚାୟତ କାର୍ଯ୍ୟାଳୟରେ ରାସନ ଯୋଗାଇ ଦିଆଯାଉଛି, କିନ୍ତୁ ପଂଚାୟତ କାର୍ଯ୍ୟାଳୟରେ ଦିଆଯାଉଥିବା ୧୮୫ ହିତାଧିକାରୀଙ୍କୁ ଏଯାଏଁ ଡାଲି ଯୋଗାଇ ଦିଆଯାଇନାହିଁ, ୨୯ ତାରିଖ ଠାରୁ ଦିଆଯିବ ବୋଲି ପଂଚାୟତ ନିର୍ବାହୀ ଅଧିକାରୀ ସୂଚନା ଦେଇଛନ୍ତି ବୋଲି ସେ କହିଛନ୍ତି । କୁରାଡ଼ମଲ ପଂଚାତୟକୁ ଡାଲି ଗତ ରବିବାର ଆସି ପହଂଚିଥିବା ବେଳେ ଗତକାଲି ସୁଦ୍ଧା ଏହା ବଂଟାଯାଇନଥିବା ଜଣାଯାଇଛି । ନରଣଗଡ଼ ଓ ବଙ୍ଗିଦା ପଂଚାୟତରେ ୨-୩ ଦିନ ପୂର୍ବରୁ ଡାଲି ବଂଟାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ଯୋଗାଣ ବିଭାଗ ୨୭ ମାର୍ଚ୍ଚରେ ଖୋର୍ଦ୍ଧା ଜିଲ୍ଲା ପାଇଁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ୨୦୫୪ ହିତାଧିକାରୀ ପରିବାର ପାଇଁ ୮୧୦ କ୍ୱିଂଟାଲ୍ ଚାଉଳ ଯୋଗାଇଥିଲେ । ସେହିଭଳି ଅନ୍ନପୂର୍ଣ୍ଣା ଯୋଜନାର ୬୧୯ ପରିବାର, ୩ଲକ୍ଷ ୫୦ ହଜାର ୪୨୦ ପ୍ରାଥମିକ ପରିବାର (ପିଏଚ୍‌ଏଚ୍‌) ପାଇଁ ୧ଲକ୍ଷ ୪୦ ହଜାର ୭୦୬ କ୍ୱିଂଟାଲ୍ ଚାଉଳ, ୫୩,୫୯୯ କ୍ୱିଂଟାଲ୍ ଗହମ ପ୍ରଦାନ କରାଯାଇଥିଲା । ସେହିଭଳି ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୩୯,୧୩୩ ପରିବାର ପାଇଁ ୪୦,୭୮୦ କ୍ୱିଂଟାଲ୍ ଚାଉଳ ଯୋଗାଇ ଦିଆଯାଇଥିଲା । ୫୮୮ଟି ରାସନ ଦୋକାନ ଜରିଆରେ ଏହା ବଂଟନ କରିବାକୁ ନିର୍ଦ୍ଦେଶ ରହିଥିଲା । ଅପ୍ରିଲ୍ ୨୭ ତାରିଖ ଠାରୁ ନାଫେଡ୍‌ରୁ ଡାଲି ଉଠାଇବା ପାଇଁ ଜିଲ୍ଲାପାଳ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଓ ଏନେଇ ପରିବହନ ଏଜେଂଟ୍ ମଧ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ମଧ୍ୟରେ ୧ ମାସ ବିତିଯାଇଥିଲେ ମଧ୍ୟ ଡାଲି ଉଠାନଯିବା ପଛର ରହସ୍ୟ ଜଣାପଡ଼ୁନାହିଁ ।

ଏନେଇ ଯୋଗାଣ ବିଭାଗ ଅଧିକାରୀ ରବି ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଚାଉଳ ଓ ଗହମ ଦିଆଯାଇଛି । ଡାଲି ଗୋଟିଏ ପରିବାର ପିଛା ମାସକୁ ୧ କିଲୋଗ୍ରାମ ଡାଲି ହିସାବରେ ୩ ମାସ (ଅପ୍ରିଲ୍‌-ମଇ ଓ ଜୁନ୍‌) ପାଇଁ ୩ କିଲୋଗ୍ରାମ୍ ଡାଲି ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଛି । ତେବେ ୧ ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିବା ଓ ଏହା ପାଳନ ନହେବାର କାରଣ ସମ୍ପର୍କରେ ସେ କହିଛନ୍ତି ଡାଲି ବାହାରୁ ଆସୁଛି ବୋଲି କହି ଉତ୍ତରକୁ ଏଡ଼ାଇ ଦେଇଛନ୍ତି ।

ସମ୍ବନ୍ଧିତ ଖବର