କୁନି କୁନି ପିଲାମାନେ ମଧ୍ୟାହ୍ଣ ଭୋଜନରେ ଖାଇଲେ ଭାତ-ଡାଲି, ଚିକେନ୍‌ ଖାଇ ନିଲମ୍ବିତ ହେଲେ ବଣାଇ ବ୍ଲକ ଶିକ୍ଷା ଅଧିକାରୀ

ରାଉରକେଲା: ମଧ୍ୟାହ୍ଣ ଭୋଜନ ସମୟରେ କୁନି କୁନି ପିଲାମାନେ ଭାତ-ଡାଲି ଖାଇଥିବା ବେଳେ ଜଣେ ବ୍ଲକ ଶିକ୍ଷା ଅଧିକାରୀ ଚିକେନ୍‌ ଖାଇ ଚାକିରିରୁ ନିଲମ୍ବିତ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ବଣାଇ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ବିନୟ କୁମାର ସଏଙ୍କୁ ଜିଲ୍ଲାପାଳ ନିଖିଳ କୁମାର କଲ୍ୟାଣ।

ରିପୋର୍ଟ ଅନୁସାରେ ବ୍ଲକ ଶିକ୍ଷା ଅଧିକାରୀ ବିନୟ କୁମାର ସଏ ଦଶହରା ଛୁଟି ଦିନକ ପୂର୍ବରୁ ଅକ୍ଟୋବର ୩ରେ ମଧ୍ୟାହ୍ଣ ଭୋଜନ କେମିତି ଚାଲିଛି ପରିଦର୍ଶନ କରିବା ପାଇଁ ସୁନ୍ଦରଗଡ଼ ଜିଲ୍ଲାର ତିଲେଇମାଳ ପ୍ରାଥମିକ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ସେ ମଧ୍ୟାହ୍ଣ ଭୋଜନ ତଦାରଖ କରିବା ପରେ ସ୍କୁଲ ଶିକ୍ଷକ ଓ ପିଲାମାନଙ୍କ ସହ ନିଜେ ମଧ୍ୟାହ୍ଣ ଭୋଜନ ଖାଇଥିଲେ। ମାତ୍ର ବିଇଓଙ୍କୁ ମଧ୍ୟାହ୍ଣ ଭୋଜନରେ ଚିକେନ୍‌ ଖାଇବାକୁ ଦିଆଯାଇଥିଲା।

ଏବିଷୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ପରଖିଥିଲେ ମାତ୍ର ସେ ସେଠାରେ ଚିକେନ ଖାଇ ନ ଥିଲେ ଅଥବା ତାଙ୍କ ଥାଲିରେ ଏହା ନ ଥିଲା। କେବଳ ଭାତ ଡାଲି ସହିତ ବିଭିନ୍ନ ପ୍ରକାର ଭଜା ଜାତୀୟ ଖାଦ୍ୟ ରହିଥିଲା। ଏହାକୁ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଘରୁ ରୋଷେଇ କରି ଆଣି ତାଙ୍କୁ ଖାଇବାକୁ ଦେଇଥିଲେ। ତେବେ ତାଙ୍କ କାର୍ଯ୍ୟାଳୟର ଦୁଇ ଜଣ କିରାଣୀଙ୍କ ଦରମା ବନ୍ଦ କରିବାରୁ ସେମାନେ ଆକ୍ରୋଶ ମୂଳକ ଭାବେ ତାଙ୍କୁ ବଦନାମ କରିବା ପାଇଁ ଏଭଳି ଅପ ପ୍ରଚାର ଚଲାଇଛନ୍ତି। କୌଣସି ତଦନ୍ତର ସେ ସମ୍ମୁଖୀନ ହେବେ ବୋଲି ପ୍ରକାଶ କରିଛନ୍ତି।

ବ୍ଲକ ଶିକ୍ଷା ଅଧିକାରୀ ଚିକେନ ଖାଉଥିବାର ଭିଡ଼ିଓ ସୋସିଆଲ ମିଡିଆରେ ପ୍ରଚାର ହେବା ପରେ ଏହି ଘଟଣା ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଥିଲା। ଆଜି ଜିଲ୍ଳାପାଳ ବିଇଓ ବିନୟ କୁମାରଙ୍କ ଚାକିରିରୁ ନିଲମ୍ବନ କରିଛନ୍ତି।

ସମ୍ବନ୍ଧିତ ଖବର