ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତର ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହରିଣ ପାର୍କ

ବ୍ରହ୍ମପୁର: ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତରିତ ହେବ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ହରିଣ ପାର୍କ। ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରସିରରେ ବହୁ ବର୍ଷରୁ ରହିଆସିଥିବା ଏହି ହରିଣ ପାର୍କକୁ ଗଜପତି ଜିଲ୍ଲାର ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତରିତ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ହରିଣ ପାର୍କ ୩୦ ବର୍ଷ ତଳେ ପ୍ରତିଷ୍ଠା ହୋଇଥିଲା। ତେବେ ୧୯୯୯ ମହାବାତ୍ୟା ଓ ପରେ ୨୦୧୩ରେ ଫାଇଲିନ୍‌ ଯୋଗୁଁ ଏହି ହରିଣ ପାର୍କଟି ଛାରଖାର୍‌ ହୋଇଯାଇଥିଲା। ପାର୍କରେ ହରିଣ ସଂଖ୍ୟା କମିଯାଇଥିଲେ ମଧ୍ୟ ଏବେ ପୁଣି ସେମାନଙ୍କ ସଂଖ୍ୟା ୫୫ରେ ଆସି ପହଞ୍ଚିଛି। ଶେଷରେ ଏହି ପାର୍କରୁ ହରିଣମାନଙ୍କୁ ସ୍ଥାନନ୍ତର କରିବା ପ୍ରକ୍ରିୟା ଆରମ୍ଭ କରିଛି ବନ ବିଭାଗ। ସେଥିପାଇଁ ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଆସି ହରିଣମାନଙ୍କ ସ୍ୱାସ୍ଥ୍ୟପରୀକ୍ଷା କରି ଫେରିଯାଇଛନ୍ତି। ହରିଣମାନଙ୍କୁ ଗଜପତି ଜିଲ୍ଲାର ଲଖାରୀ ଅଭୟାରଣ୍ୟକୁ ସ୍ଥାନାନ୍ତର କରିବା ପୂର୍ବରୁ ଅଭୟାରଣ୍ୟର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସ୍ଥାନାନ୍ତରିତ ହେବାକୁ ଥିବା ହରିଣମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଏନ୍‌କ୍ଲୋଜର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଏହି ଏନ୍‌କ୍ଲୋଜର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ହରିଣମାନଙ୍କୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରୁ ଚଳିତ ଜାନୁଆରି ଶେଷ ସୁଦ୍ଧା ଲଖାରୀ ଅଭୟାରଣ୍ୟ ମଧ୍ୟରେ ନବନିର୍ମିତ ଏନକ୍ଲୋଜରମାନଙ୍କୁ ସ୍ଥାନାନ୍ତରିତ କରାଯିବ। ହରିଣମାନଙ୍କୁ ସ୍ଥାନାନ୍ତର କରିବା ଉଦ୍ଦେଶ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଏକ ସ୍ୱତନ୍ତ୍ର ଗାଡ଼ି ଆଣିବା ପାଇଁ ଆୟୋଜନ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ବନମଣ୍ଡଳର ଡିଏଫ୍‌ଓ ଅମ୍ଳାନ ନାୟକ।

ଉଲ୍ଲେଖଯୋଗ୍ୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପ୍ରାଣୀ ଉଦ୍ୟାନ ପରିସରରେ ରହିଛି ଏହି ହରିଣ ପାର୍କ। ଭୁବନେଶ୍ୱର ରାଜଭବନ ପରିସରରେ ଥିବା ହରିଣ ପାର୍କରୁ ବିଗତ ୧୯୮୯ ମସିହାରେ ମାତ୍ର ୨ଟି ହରିଣ ଅଣାଯାଇ ଏହି ପାର୍କର ପ୍ରତିଷ୍ଠା କରାଥିଲା। ୨.୦୨ ଏକର ପରିମିତ ଇଲାକାରେ ପ୍ରତିଷ୍ଠିତ ଏହି ପାର୍କ ବିଶ୍ୱବିଦ୍ୟାଳୟ ପ୍ରାଣୀ ବିଜ୍ଞାନ ବିଭାଗ ଅଧୀନରେ ପରିଚାଳିତ ହେଉଛି। ହରିଣ ପାର୍କ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ (ସିଜେଡ୍‌ଏ) ମଧ୍ୟ ୨୦୧୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଅନୁମତି ଦେଇଥିଲେ। ମାତ୍ର ଅବଧି ସରିବା ପରେ ମଧ୍ୟ ଅନୁମତି ନବୀକରଣ ନ ହୋଇ ଏହି ପାର୍କ ଚାଲିଥିଲା। ତେବେ ହରିଣ ସଂଖ୍ୟା ବୃଦ୍ଧି ଏବଂ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପାର୍କର ସ୍ଥିତି ବିଗିଡ଼ିବାରେ ଲାଗିଥିଲା।

ସେହିପରି ୨୦୧୩ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷ ପାର୍କର ଅନୁମତି ପ୍ରତ୍ୟାହାର କରି ଏହାକୁ ବନ୍ଦ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ହେଲେ ୨୦୧୩ ଫାଇଲିନ୍‌ ବାତ୍ୟା ପାର୍କର ସ୍ଥିତି ସମ୍ପୂର୍ଣ୍ଣ ବିଗାଡ଼ି ଦେଇଥିଲା। ପାର୍କରେ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଅନେକ ହରିଣ ବି ମରିଯାଇଥିଲେ। ଫାଇଲିନ୍‌ ପରେ ହୁଡ୍‌ହୁଡ୍‌ ଓ ତିତଲିରେ ଧ୍ୱସ୍ତପ୍ରାପ୍ତ ପାର୍କରେ ଥିବା ହରିଣମାନଙ୍କୁ ନେଇ ସେତେବେଳେ ଚିନ୍ତାରେ ପଡ଼ିଯାଇଥିଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ। ହରିଣମାନଙ୍କ ଖାଦ୍ୟ ଓ ପାର୍କର ରକ୍ଷଣାବେକ୍ଷଣ ବାବଦକୁ ଖର୍ଚ୍ଚ ମଧ୍ୟ ବଢ଼ିବାରେରେ ଲାଗିଲା। ଏବେ ପ୍ରତି ୩ ମାସରେ ହରିଣଙ୍କ ଖାଦ୍ୟ ଓ ପାର୍କର ରକ୍ଷଣାବେକ୍ଷଣ ବାବଦରେ କର୍ତ୍ତୃପକ୍ଷ ୧ଲକ୍ଷ ୧୦ହଜାର ଟଙ୍କା ହିସାବରେ ବାର୍ଷିକ ହାରାହାରି ଏହା ୫ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଶେଷରେ ୨୦୧୭ ମାର୍ଚ୍ଚ ୩୧ରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ହରିଣ ପାର୍କକୁ ବିଶ୍ୱବିଦ୍ୟାଳୟ ପରିସରରୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବାକୁ ବ୍ରହ୍ମପୁର ଡିଏଫଓଙ୍କୁ ଚିଠି ଲେଖବା ସହ ଏବାବଦରେ ୧୦ଲକ୍ଷ ଟଙ୍କା ମଧ୍ୟ ଅଗ୍ରୀମ ଜମା କରିଥିଲେ। ତେବେ ସ୍ଥାନାନ୍ତର ପ୍ରକ୍ରିୟା ଜଟିଳ ହୋଇଥିବାରୁ ଏହି କାର୍ଯ୍ୟ ସମ୍ପାଦନରେ ବିଳମ୍ବିତ ହେଉଥିଲା। ଶେଷରେ ବ୍ରହ୍ମପୁର ବନ ବିଭାଗ ହରିଣମାନଙ୍କୁ ଚଳିତ ଜାନୁଆରି ଶେଷ ସୁଦ୍ଧା ସ୍ଥାନାନ୍ତରିତ କରିବା ପାଇଁ ଚୂଡ଼ାନ୍ତ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର