ଭଦ୍ରକ ଜିଲ୍ଲା ବିଜେଡିର ନୂତନ ସଭାପତିଙ୍କୁ ସମ୍ବର୍ଦ୍ଧନା, ନିଲମ୍ବନ ଉଠିବା ନେଇ ସଭାପତିଙ୍କ ଘୋଷଣା

ଭଦ୍ରକ: ଭଦ୍ରକ ଜିଲ୍ଲା ବିଜେଡି ସଭାପତି ସାଂସଦ ଅର୍ଜୁନ ଚରଣ ସେଠୀଙ୍କୁ ଦଳୀୟ ଟିକଟ ନମିଳିବା ପରେ ସେ ଦଳ ଛାଡି ବିଜେପିକୁ ପଳାଇଯିବା ପରେ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ସ୍ୱାଇଁଙ୍କୁ ବୁଧବାର ଏକ ଶୋଭାଯାତ୍ରାରେ ଭଦ୍ରକର ଜିଲ୍ଲା ବିଜେଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ଏଇ ଅବସରରେ ସ୍ୱାଇଁଙ୍କୁ ଦଳୀୟ କର୍ମୀ ଓ ନେତାମାନେ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଜିଲ୍ଲା ଛାତ୍ର ବିଜେଡି ସଭାପତି ତଥାଗତ ସାମଲଙ୍କ ସଂଯୋଜନାରେ ଅନୁଷ୍ଠିତ ଏଇ ସମ୍ବର୍ଦ୍ଧନା ସଭାରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପୂର୍ବତନ ବିଧାୟକ ରାଜୁ ଦାସ, ଯୁବ ବିଜେଡିର ରାଜ୍ୟ ଉପସଭାପତି ଇଂ ପ୍ରଣିତକାନ୍ତି ସାମଲ, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଯୁବନେତା ସଂଜୀବ ମଲ୍ଲିକ, ବିଜେଡି ନେତା ଅଜୟ ନାୟକ, ଜିଲ୍ଲା ଉପସଭାପତି ଆଶୋକ ନାୟକ ପ୍ରମୁଖ ଯୋଗଦେଇଥିଲେ।

ଏଇ ଅବସରରେ ଜିଲ୍ଲା ସଭାପତି ନିଜର ଦାୟୀବ ନେବା ସହ ଦଳର ନିଲମ୍ବିତ ହୋଇଥିବା କର୍ମୀଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଗଲା ବୋଲି ଘୋଷଣା କରିବା ସହ ସେମାନଙ୍କୁ ସଭାରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଉପସ୍ଥିତ ଥିବା ଭଦ୍ରକ ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା, ଯୁବନେତା ତଥା ପୂର୍ବତନ କାଉନସିଲର ପ୍ରଣୟ ଦାସ, ଶ୍ୟାମ ନାୟକ, ହବିବୁର ରହେମାନ, ପ୍ରଫୁଲ୍ଲ ନାୟକ, ସେକ୍‌ ଜକାଉଲ୍ଲା, ଆଇନଜୀବୀ ତାହେର ମହମ୍ମଦ, ସେକ୍‌ ନିଜାମ ଉଦ୍ଦିନ୍‌, ଦେବେନ୍ଦ୍ର ପୁହାଣଙ୍କ ପରି ଦଳୀୟ କର୍ମୀଙ୍କ ଉପରୁ ଆଜି ନିଲମ୍ବନ ଆଦେଶ ଉଠାଇ ଦିଆଯାଇଛି।

ନିଲମ୍ବନ ଉଠିବା ପରେ ଜେନା ନିଜ ପ୍ରତିକ୍ରିୟାରେ ଗଣମାଧ୍ୟମକୁ କହିଛନ୍ତି, ଆମେ ଦଳରୁ ନିଲମ୍ବିତ ହୋଇଥିଲେ ମଧ୍ୟ ଅନ୍ୟ ଦଳକୁ ଯାଇ ନଥିଲୁ। ଧର୍ଯ୍ୟର ସହ ଅପେକ୍ଷା କରିଥିଲୁ। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ତା ଓ ବିଶ୍ୱାସ ଥିଲା। ସେ ବିଶ୍ୱାସ ଆମର ପୂରଣ ହୋଇଛି। ଦଳରୁ ନିଲମ୍ବନ ଉଠିଛି। ପୁଣି ଦଳକୁ ସକ୍ରୀୟ କରିବା ପାଇଁ କାମ କରିବୁ ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର