ସ୍ୱାମୀ ମାଡ଼ରେ ପତ୍ନୀଙ୍କ ମୃତ୍ୟୁ

ମାଡ଼ଖାଇ ପତ୍ନୀଙ୍କ ମା’ ଗୁରୁତର, ଅଭିଯୁକ୍ତ ଫେରାର, ଶାଶୂ ଗିରଫ

ଧାମନଗର : ମା’ ଆଖି ସାମ୍ନାରେ ଝିଅକୁ ପିଟି ପିଟି ମାରିଦେଲା ତା’ ସ୍ୱାମୀ। ମାଡ଼ଖାଇ ଶାଶୂ ମଧ୍ୟ ଗୁୁରୁତର ଆହତ ହେଲେ। ଗତ ରାତିରେ ଏମିତି ଏକ ଘଟଣା ଘଟିଛି ଧାମନଗର ଅଞ୍ଚଳରେ। ପତ୍ନୀଙ୍କୁ ହତ୍ୟାକରି ସ୍ୱାମୀ କୈଳାସ ପୃଷ୍ଟି ଫେରାର ହୋଇ ଯାଇଛି। ଧାମନଗର ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୁଲିସ ଅଭିଯୁକ୍ତ କୈଳାସର ମା’ ସରସ୍ୱତୀଙ୍କୁ ଗିରଫ କରିଛି।

ଅଭିଯୁକ୍ତ କୈଳାସ ଧାମନଗର ଥାନା ଆନନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ଉତ୍ତେଇପୁର ଗାଁର ଗଙ୍ଗାଧର ପୃଷ୍ଟିଙ୍କ ପୁଅ। ସେ ଗତବର୍ଷ ମାର୍ଚ୍ଚ ମାସରେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ଘୁଷୁରାଗଡିଆ ଗାଁର ଭରତ ରଣାଙ୍କ ଝିଅ ରଶ୍ମିତାଙ୍କୁ ବିବାହ କରିଥିଲେ। ଅଭିଯୋଗ ଅନୁଯାୟୀ ବିବାହ ପରେ ଅଧିକ ଯୌତୁକ ଦାବି କରି ସେ ଓ ତାଙ୍କ ପରିବାର ଲୋକେ ରଶ୍ମିତାଙ୍କୁ ବିଭିନ୍ନ ସମୟରେ ଶାରୀରିକ ନିର୍ଯାତନା ଦେଉଥିଲେ। ଚୋରି ଅଭିଯୋଗରେ କୈଳାସ ଜେଲ୍‌ ଯାଇ କିଛିଦିନ ହେବ ଗାଁକୁ ଫେରିଥିଲେ। ତା’ପରଠୁ ରଶ୍ମିତାଙ୍କ ଉପରେ ପୁଣି ନିର୍ଯାତନା ବଢ଼ିଥିଲା। ଗତ ରାତିରେ ସେ ପତ୍ନୀଙ୍କୁ ମାଡ ମାରିବାରୁ ରଶ୍ମିତାଙ୍କ ମା’ ଗୌରୀ ଓ କୈଳାସଙ୍କ ମା’ ସରସ୍ୱତୀ ବିରୋଧ କରିଥିଲେ। ହେଲେ ସେ କାହାକଥା ନଶୁଣି ନିର୍ଧୁମ ମାଡ଼ ମାରିଥିଲେ। ଭୟରେ ରଶ୍ମିତା ଓ ଗୌରୀ ଘରୁ ପଳାଉଥିବା ବେଳେ କୈଳାସ ଦୁହିଙ୍କୁ ଘର ଭିତରେ ପୂରାଇ କବାଟ ବନ୍ଦ କରି ତାଙ୍କ ସାମ୍ନାରେ ରଶ୍ମିତାଙ୍କୁ ପିଟି ପିଟି ହତ୍ୟା କରିଥିଲା।

ମାଡ଼ରେ ଗୌରୀଙ୍କ ଆଖି ଓ ମୁଣ୍ଡରେ ମଧ୍ୟ ଗଭୀର ଆଘାତ ଲାଗିଛି। ତାଙ୍କୁ ଧାମନଗର ଡାକ୍ତରଖାନାରେ ଭତ୍ତି କରାଯାଇଛି। ଗୌରୀ ଆଜି ଧାମନଗର ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ବିଜୟ କୁମାର ମଲ୍ଲିକ, ସାଇଣ୍ଟିଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ କରିଛନ୍ତି। ମାଜିଷ୍ଟ୍ରେଟ୍‌ ଲଗ୍ନଜିତ ବେହେରାଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଏଣେ ପୁଲିସ ଥାନା କେସ ନମ୍ବର ୨୦୬/୧୭ ଦଫା ୪୯୮(ଏ), ୩୦୪(ବି), ୩୦୨, ୩୪ ଆଇପିସି ଓ ୪ଡିପି ଆକ୍ଟରେ ମାମଲା ରୁଜୁ କରି କୈଳାସର ମା’ ସରସ୍ୱତୀଙ୍କୁ ଗିରଫ କରିଛି। ଘଟଣା ପରଠୁ ଅଭିଯୁକ୍ତ କୈଳାସର ପତ୍ତା ମିଳୁନାହିଁ ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର