ଗୋରୁ ବୋଝେଇ ଗାଡ଼ିି ପୋଡ଼ିଦେଲେ:୮ ଗୋରୁ ଜୀବନ୍ତ ଉଦ୍ଧାର

ବନ୍ତ/ଗଣିଜାଙ୍ଗ: ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ଜାତୀୟ ରାଜପଥର ବନ୍ତ ଥାନା ଅଧୀନ କାଶିପୁର ଛକ ନିକଟରେ ବୁଧବାର ବିଳମ୍ବିତ ରାତ୍ରିରେ ଏକ ଗୋରୁ ବୋଝେଇ ପିକ୍‌ଅପ ଭ୍ୟାନକୁ କିଛି ଅଜଣା ବ୍ୟକ୍ତି ପୋଡ଼ି ଦେଇଛନ୍ତି। ତେବେ ଘଟଣାସ୍ଥଳ ନିକଟରେ ବନ୍ଧା ଯାଇଥିବା ୮ଟି ଗୋରୁକୁ ପୋଲିସ ଜବତ କରି ନିଜ ହେପାଜତକୁ ନେଇଛି। ତେବେ କେଉଁମାନେ ଏଭଳି ବେଆଇନ ଗୋଚାଲାଣ କରୁଥିଲେ ଏବଂ କେଉଁମାନେ ଏହି ଗାଡ଼ି ପୋଡ଼ିଛନ୍ତି, ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।
ଆନନ୍ଦପୁର-ଭଦ୍ରକ ରାସ୍ତା ଗତ କିଛି ଦିନ ଧରି ଚୋରା ଗୋରୁ ବେପାରୀଙ୍କ ଚରାଭୂଇଁ ପାଲଟିଥିଲା। ଗତ ବୁଧବାର ଦିନ ଭୋର୍‌ ପ୍ରାୟ ୪ଟା ସମୟରେ ପୂରା ଡାଲା ଥିବା ଏକ ପିକଅପ୍‌ ଭ୍ୟାନ (ଓଆର୍‌୦୧ଏଚ୍‌୪୬୬୨) କାଶିପୁର ଛକ ନିକଟରେ ଜଳୁଥିବା ବେଳେ ନିକଟରେ ୮ଗୋଟି ଗୋରୁ ବନ୍ଧା ହୋଇଥିବା ଦେଖିବାକୁ ମିଳିଥିଲା। ରାତ୍ରିକାଳୀନ ପେଟୋ୍ରଲିଂ ଯାଇଥିବା ବନ୍ତ ପୋଲିସ କର୍ମଚାରୀମାନେ ଏହା ଦେଖି ଥାନାକୁ ଜଣାଇବା ପରେ ଥାନାଧିକାରୀ ଗଣେଶ୍ୱର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସେତେବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ବେଳେ ୪ଟି ବଳଦ, ୩ଟି ଗାଈ ଓ ଗୋଟିଏ ବାଛୁରୀ ରାସ୍ତାକଡ଼ରେ ବନ୍ଧା ହୋଇଥିବା ଦେଖି ସେ ସେଠାରେ ରୁଣ୍ଡ ହୋଇଥିବା ଲୋକମାନଙ୍କୁ ଏ ନେଇ ପଚରାଉଚରା କରିଥିଲେ। ମାତ୍ର ଗାଡ଼ି କାହାର, କିଏ ପୋଡ଼ିଲା, ତାହା କେହି କହି ପାରି ନ ଥିଲେ। ଫଳରେ ପୁଲିସ ଗୋରୁଗୁଡ଼ିକୁ ଉଦ୍ଧାର କରି ଥାନାକୁ ଆଣିବା ସହ ତଦନ୍ତ ଜାରି ରଖିଥିଲା।

ପୋଡ଼ି ଯାଇଥିବା ଗାଡ଼ି ନମ୍ବରକୁ ଆଧାର କରି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମାଧ୍ୟମରେ ବୁଝିବାରୁ ତାହା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ସେକ୍‌ ତୟୁଫ୍‌ଙ୍କର ବୋଲି ପୁଲିସ ଜାଣିବାକୁ ପାଇଛି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଗାଡ଼ି ମାଲିକଙ୍କ ତରଫରୁ କୌଣସି ଲିଖିତ ଅଭିଯୋଗ ନହେବାରୁ ପୁଲିସ ନିଜ ତରଫରୁ ୮୦/୧୮ ନମ୍ବର ଓ ୧୯୬୦ କ୍ରୁଏଲିଟି ଟୁ ଆନିମଲ୍‌ ଆକ୍ଟରେ କେସ୍‌ ରୁଜୁ କରିଛି। ଜବତ ହୋଇଥିବା ଗୋରୁଗୁଡ଼ିକର ଯତ୍ନ ନେବା ନିମନ୍ତେ ୩ ଜଣ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଦେଇଛି। ଏ ନେଇ ବନ୍ତ ଥାନାଧିକାରୀ ଗଣେଶ୍ୱର ପ୍ରଧାନଙ୍କୁ ପଚାରିବାରୁ ଆର୍‌ଟିଓ ଅଫିସରୁ ତଥ୍ୟ ନେଇ ପୁଲିସ ତଦନ୍ତ ଜାରି ରଖିଛି ବୋଲି କହିଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭଦ୍ରକଠାରୁ ଆନନ୍ଦପୁର ଯାଇଥିବା ରାସ୍ତାକଡ଼ରେ ଭଦ୍ରକ ଗ୍ରାମାଞ୍ଚଳ ଥାନା, ବନ୍ତ ଥାନା ଓ କେନ୍ଦୁଝର ଜିଲ୍ଲାର ନନ୍ଦିପଦା ଥାନା କାର୍ଯ୍ୟ କରୁଥିଲେ ମଧ୍ୟ ପୁଲିସକୁ ବେଖାତିର କରି ଚୋରା ବେପାରୀମାନେ ଅମାନୁଷିକ ଭାବେ ଗାଈଗୋରୁଙ୍କୁ ଗାଡ଼ିରେ ଆଳୁବସ୍ତା ପରି ଲଦି ବେଆଇନ ଚାଲାଣ କରିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ତେଣୁ ଏହି ଚୋରା ବେପାରରେ ନିଜ ଗାଡ଼ିକୁ ଲଗାଇଥିବା ମାଲିକଙ୍କ ସହ ଚୋରା ବେପାରୀଙ୍କ ଉପରେ ପୁଲିସ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଜାଣିବାକୁ ସ୍ଥାନୀୟ ଲୋକେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର