ପଞ୍ଚମ ସାଳନ୍ଦୀ ବହିମେଳା ଉଦ୍‌ଘାଟିତ:ବହି ମଣିଷର ସର୍ବଶ୍ରେଷ୍ଠ ବିଶ୍ବସ୍ତ ବନ୍ଧୁ

ଭଦ୍ରକ: ବହି ବଦଳେଇପାରେ ଇତିହାସ। ସୃଜିପାରେ ସ୍ବପ୍ନମୟ ନୂତନ ସମାଜ। ସମସ୍ତେ ଧୋକା ଦେଇ ପାରନ୍ତି, ହେଲେ ବହି ଧୋକା ଦିଏନା। କାରଣ ବହି ହିଁ ମଣିଷ ଜୀବନର ସର୍ବଶ୍ରେଷ୍ଠ ବିଶ୍ୱସ୍ତ ବନ୍ଧୁ। ବହିମେଳା ସାଧାରଣ ମେଳା ନୁହେଁ। ଏହା ପ୍ରାଣ ପ୍ରାଚୁର୍ଯ୍ୟଭରା ରସିକପଣର ଅନନ୍ୟ ରୂପକଳ୍ପ ଏବଂ ସାରସ୍ବତ ଚେତନାର ନାନ୍ଦନିକ ପରିପ୍ରକାଶ ବୋଲି ଭଦ୍ରକ ମନମୋହନ ସଂଗୀତ ପରିଷଦ ପରିସରରେ ଅାୟୋଜିତ ଉତ୍ତର ଓଡ଼ିଶାର ସର୍ବବୃହତ ୫ମ ସାର୍ବଜନୀନ ସାଳନ୍ଦୀ ବହିମେଳାର ଉଦ୍‌ଘାଟନୀ ଉତ୍ସବରେ ମତ ପ୍ରକାଶ ପାଇଛି।
ମେଳାର ସଭାପତି ଅଧ୍ୟାପକ ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହକୁ ବିଶିଷ୍ଟ କଥାକାର ତଥା ‘କଥା’ର ସମ୍ପାଦକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ଡ. ଗୌରହରି ଦାସ ଉଦ୍‌ଘାଟନ କରିଥିଲେ। ନିଜର ଉଦ୍‌ଘାଟନୀ ଭାଷଣରେ ଡ. ଦାସ କହିଥିଲେ, ବହିମେଳା ହେଉଛି ବିବେକର ମେଳା, ଯାହା ଭଲ ମଣିଷ ଖୋଜିବାରେ ସାହାଯ୍ୟ କରେ। ସାହିତ୍ୟର ଭାଷା ଓ ଶବ୍ଦ ମଣିଷର ଦୃଷ୍ଟିଭଂଗୀ ବଦଳାଇ ଦେଇପାରେ। ଅନେକ ପୁରାଣଶାସ୍ତ୍ରର କଥା ଅବାଟରେ ଯାଉଥିବା ମଣିଷ ଜୀବନର ଗତିପଥ ପରିବର୍ତ୍ତନ କରିପାରେ। ଆମେ ସମସ୍ତେ ଏହି ବିଶ୍ବର ସବୁଠି ଅଛନ୍ତି, ଏକଥା ଅସ୍ବୀକାର କରାଯାଇ ନପାରେ। ଆମେ ସମସ୍ତେ ବିଶ୍ବର ହେବାର ସାମର୍ଥ୍ୟ ନେଇ ଏ ମାଟିକୁ ଆସିଛୁ, ବହି ଆମକୁ ଏହି କଥା ଶିଖାଏ।
ଉପଜିଲ୍ଲାପାଳ ସୁଚାରୁ ବଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ, ଭଲ ବହି ମଣିଷ ଉପରେ ଭଲ ପ୍ରଭାବ ପକାଏ। ସମ୍ମାନିତ ଅତିଥି ଗାଳ୍ପିକ ପ୍ରକାଶ ମହାପାତ୍ର କହିଲେ, ବହି ମଣିଷକୁ ତା’ର ଅଜ୍ଞତାର ସୀମା ଦେଖାଏ। ବହି ପଢ଼ିଲେ ଅନେକ କଥ‌ା ଜାଣିହୁଏ ବୋଲି ଶ୍ରୀ ମହାପାତ୍ର୍ର କହିଥିଲେ। ଅତିରିକ୍ତ ଅାରକ୍ଷୀ ଅଧୀକ୍ଷକ ବିକାଶ ଦାସ, ଜିଲ୍ଲା ଶିକ୍ଷାଧିକାରୀ ସଂଗ୍ରାମ ସାହୁ, ପଣ୍ଡିତ ସଂଗ୍ରାମ ଅାଚାର୍ଯ୍ୟ ପ୍ରମୁଖ ବରେଣ୍ୟ ଅତିଥି ଭାବେ ଯୋଗଦେଇଥିଲେ। ପ୍ରାରମ୍ଭରେ ବହିମେଳାର ସମ୍ପାଦକ ଅଭିଜିତ ନାୟକ ବିବରଣୀ ରଖିଥିଲେ। ସାଂସ୍କୃତିକ ସମ୍ପାଦକ ସରୋଜ ବଳ ପ୍ରାକ୍‌ ଭାଷ ଓ ସ୍ବାଗତ ସମ୍ଭାଷଣ ଏବଂ ସୁହାସିନୀ ସାହୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିଲେ। ଶେଷରେ ଉପସଭାପତି ବିକାଶ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଅବସରରେ ‘ବିଗତ ଅର୍ଦ୍ଧଶତାଦ୍ଦୀର ଓଡ଼ିଆ ସାହିତ୍ୟକୁ ଭଦ୍ରକର ଅବଦାନ’ ପ୍ରସଙ୍ଗକୁ ନେଇ ବହିମେଳାର ମୁଖପତ୍ର ‘ସାଳନ୍ଦୀକା’ ଲୋକାର୍ପିତ ହେବା ସହ ଶିଳ୍ପୀ ଚୁଡ଼ାମଣି ଦାସଙ୍କ ବ୍ୟଙ୍ଗଚିତ୍ର ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଥିଲା। ସାଂସ୍କୃତିକ କର୍ଯ୍ୟକ୍ରମରେ କେନ୍ଦ୍ରାପଡ଼ାର ‘ଗଡ୍‌ ମେକର’ ପକ୍ଷରୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରାୟୋଜିତ ନୃତ୍ୟ ଓ ସଂଗୀତ ବିଚିତ୍ରା ଅନୁଷ୍ଠିତ ହୋଇଥିଲା। କୈଳାସ ଚନ୍ଦ୍ର ପଣ୍ଡା, ହରମୋହନ କୁଅଁର, ଇଂ ସୁବାସ ଚନ୍ଦ୍ର ସାହୁ, ଇଂ ବିମ୍ବାଧର ବ୍ରହ୍ମ, ଶିବଚରଣ ଖାମୁରାଇ, ଶାନ୍ତନୁ ରାଉତ, ବସୁମିତ୍ରା ସାହୁ, ସୁଚିତ୍ରା ପାଣିଗ୍ରାହୀ, ପ୍ରଫୁଲ୍ଲ ନାୟକ, କିଶୋର ପାଣିଗ୍ରାହୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର