ମାନ ରଖିବା ପରେ ମନ ରଖିଲା ବିଜେପି : ବିଜେଡି ଛାଡ଼ିଥିବା ସୁକାନ୍ତ ନୀଳଗିରି ବିଧାନସଭା ଓ ଅଭିମନ୍ୟୁ ଭଦ୍ରକ ଲୋକସଭା ପ୍ରାର୍ଥୀ

ଭୁବନେଶ୍ବର : ବିଜୁ ଜନତା ଦଳ ଛାଡ଼ି ଭାରତୀୟ ଜନତା ପାର୍ଟିକୁ ଆସିଥିବା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ଭଦ୍ରକ ସାଂସଦ ଅର୍ଜୁନ ଚରଣ ସେଠୀଙ୍କ ପୁଅ ଅଭିମନ୍ୟୁ ସେଠୀଙ୍କୁ ଯଥାକ୍ରମେ ନୀଳଗିରି ବିଧାନସଭା ଓ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ କରାଯାଇଛି।  ଶଂଙ୍ଖ ଛାଡ଼ି ପଦ୍ମ ଧରିଥିବା ଏହି ଦୁଇ ନେତାଙ୍କୁ ମିଳିଛି ଇଚ୍ଛାମୁତାବକ ଟିକେଟ।

ପୁଅକୁ ଟିକେଟ ଦିଆ ନ ଯିବାରୁ  ସାଂସଦ ଅର୍ଜୁନ ସେଠୀ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ କହିଥିଲେ, ‘ବିଜେଡି ପ୍ରାର୍ଥୀ ଚୟନରେ ଅନିୟମିତତା ଲକ୍ଷ୍ୟ କରାଯାଇଛି। ଯେଉଁମାନଙ୍କର ଯୋଗ୍ୟତା ନାହିଁ ସେମାନଙ୍କୁ ଟିକେଟ୍‌ ମିଳିଛି, ମୋ ପୁଅକୁ ଚୟନ କରାଗଲାନି, ସେଥିପାଇଁ ମୁଁ ମର୍ମାହତ । ଏବେ ବିଜେଡି ବିଜୁବାବୁଙ୍କ ନୀତି ଆଦର୍ଶକୁ ଭୁଲିଯାଇଛି।’ ଏହାପରେ ପୁଅ ଅଭିମନ୍ୟୁଙ୍କ ସହ ବିଜେପିରେ ଯୋଗଦାନ କରିଥିଲେ। ଆଜି ବିଜେପି ତାଙ୍କୁ ଭଦ୍ରକ ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ କରିଛି।

ସେହିପରି ଇଂଜିନିୟର ଚାକିରି କରୁଥିବା ସୁକାନ୍ତ ନାୟକ ଗତ ବର୍ଷ ଚାକିରି ଛାଡ଼ି ରାଜନୀତିକୁ ଆସିଥିଲେ । ଗତ ୨୦୧୪ ନିର୍ବାଚନରେ ସେ ବିଜୁ ଜନତା ଦଳ ଟିକଟରେ ନୀଳଗିରି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଲଢି ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସୁଷମା ବିଶ୍ୱାଳଙ୍କୁ ପରାଜିତ କରିଥିଲେ। ହେଲେ ୨୦୧୯ ନିର୍ବାଚନ ପାଇଁ ସୁକାନ୍ତ ନାୟକଙ୍କ ପରିବର୍ତ୍ତେ ସନ୍ତୋଷ ଖଟୁଆଙ୍କୁ ବିଜେଡି ପ୍ରାର୍ଥୀ କରୁଥିବା ଜାଣି ଦଳ ଛାଡି ବିଜେପିରେ ସାମିଲ ହୋଇଥିଲେ । ତେବେ ନୀଳଗିରିରୁ ବିଜେପି ଟିକଟ ମିଳିବା ପରେ ଏହି ବିଧାନସଭା ଆସନରେ ଲଢେଇର ଚିତ୍ର ସ୍ପଷ୍ଟ ହୋଇଛି । ସୁକାନ୍ତ ନାୟକ ବିଜେପିରେ ସାମିଲ ହେବା ପରେ ତାଙ୍କୁ ନୀଳଗିରି ବିଧାନସଭା ଆସନ ପାଇଁ ଟିକେଟ ଦିଆଯାଇଛି । ସେହିପରି ନୀଳଗିରିରେ ଏଥର ବିଜେଡି ସନ୍ତୋଷ ଖଙ୍କୁଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଟିକେଟରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ମନଜାମଂଜରୀ ।

ସୋମବାର ୩ ଲୋକସଭା ଏବଂ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ମୟୁରଭଂଜ,ଭଦ୍ରକ ଏବଂ ଯାଜପୁର ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଆନନ୍ଦପୁର, ରାଇରଙ୍ଗପୁର,ମୋରଡା, ନୀଳଗିରି,ଆଠମଲ୍ଲିକ. ବାଙ୍କୀ, ଆଠଗଡ, ପାଟକୁରା, ମହାକାଳପଡା,ପୁରୀ ଏବଂ ଭୁବନେଶ୍ୱର ଉତ୍ତର ପାଇଁ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ଦଳ । 

ସମ୍ବନ୍ଧିତ ଖବର