ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର : କାମଚଳାରେ ଚାଲିଛି ରୋଗୀ ସେବା, ରୋଗୀଙ୍କ ଲାଗି ୩୦ ସ୍ଥାନରେ ୨ ଶଯ୍ୟା

କେବଳ ଆଉଟ୍‌ଡୋରରେ ଚାଲିଛି ରୋଗୀସେବା, ଖାଲି ପଡ଼ିଛି ସବୁ ବିଶେଷଜ୍ଞ ପଦବି

ଭଦ୍ରକ : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର କାର୍ଯ୍ୟକ୍ରମ’। ସରକାରୀ ଡାକ୍ତରଖାନାରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି , ତାକୁ ପରଖୁଛନ୍ତି ଖୋଦ୍‌ ୫-ଟି ସଚିବ ଓ ଅନ୍ୟ ବରିଷ୍ଠ ପ୍ରାଶାସନିକ ଅଧିକାରୀ। ଏହି କ୍ରମରେ ମଙ୍ଗଳବାର ଭଦ୍ରକ ଜିଲ୍ଲା ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପ୍ରସ୍ତୁତ କରିଥିଲା ‘ସମ୍ବାଦ’ ଟିମ୍‌।

ଦିନ ପ୍ରାୟ ସାଢ଼େ ୯ଟା ବେଳେ ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବା ବେଳକୁ କାଁଭାଁ କିଛି କର୍ମଚାରୀ ଆସିଥିଲେ। ସେତେବେଳକୁ କିନ୍ତୁ ଡାକ୍ତରଖାନାରେ ରୋଗୀଙ୍କ ଲମ୍ବା ଧାଡ଼ି ଲାଗି ସାରିଥିଲା। ମେଡିକାଲ ଦାୟିତ୍ବରେ ଥିବା ଡାକ୍ତର ପ୍ରଫୁଲ୍ଲ ନନ୍ଦ ନିଜ ଚାମ୍ବରରେ ନଥିଲେ। ପଚାରିବାରୁ ଜଣେ କର୍ମଚାରୀ କହିଥିଲେ, ସାର୍‌ ସିଡିଏମଓଙ୍କ ପାଖକୁ ଯାଇଛନ୍ତି। ଡାକ୍ତର ନନ୍ଦଙ୍କୁ ଛାଡି ଦେଲେ ଆଉ ଦୁଇ ଜଣ ଡାକ୍ତର ଡ୍ୟୁଟିରେ ଥିଲେ। ରୋଗୀ ସେବା ସଂପର୍କରେ ସଂପୃକ୍ତ ଡାକ୍ତରଙ୍କୁ ପଚାରିବାରୁ ସେମାନେ କହିଥିଲେ, ଏଠାରେ ରୋଗୀ ସେବା ପାଇଁ ଆନୁସଙ୍ଗିକ ଉପକରଣ କିଛିନାହିଁ। କେବଳ ଆଉଟ୍ ଡୋରରେ ରୋଗୀ ସେବା ଚାଲିଛି।

ଗୁରୁତ୍ବପୂର୍ଣ୍ଣ ହେଉଛି, ଡାକ୍ତର ଓ କର୍ମଚାରୀ ଅଭାବରୁ ରୋଗୀଙ୍କୁ ଏଠାରେ ଇନ୍‌ଡୋର ସେବା ମିଳି ପାରୁନାହିଁ। ୩୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନାରେ ମାତ୍ର ୨ଟି ଶଯ୍ୟା ରହିଛି। ରାତି କିମ୍ବା ସକାଳେ କେହି ରୋଗୀ ଆସିଲେ ଏଠି ସେବା ପାଇବା ଏକ କଷ୍ଟକର ବ୍ୟାପାର। ଏହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ୨୦ଟି ସବ୍‌-ସେଣ୍ଟର ରହିଥିବାବେଳେ ୧୦୮ ଜଣ କର୍ମଚାରୀ କାମ କରୁଛନ୍ତି। ଜଣେ ଫାର୍ମାସିଷ୍ଟ, ଦୁଇ ଜଣ କିରାଣି, ଜଣେ ଏଏନ୍‌ଏମ୍‌ ଓ ଜଣେ ଆକାଉଣ୍ଟାଣ୍ଟ କାର୍ଯ୍ୟରତ ଅଛନ୍ତି । ପାଥୋଲୋଜି ଲାବ୍‌ର ଅବସ୍ଥା ଆଦୌ ଭଲନାହିଁ। ଅବଶ୍ୟ କିଛି ନୂଆ କୋଠା ଘର ନିର୍ମାଣ ଚାଲିଛି। କୋଠା ଘର କାମ ଶେଷ ହେଲେ ରୋଗୀମାନଙ୍କ ପାଇଁ ଶଯ୍ୟା ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ ବୋଲି ଜଣେ କର୍ମଚାରୀ ପ୍ରକାଶ କରିଥିଲେ।

ଭଦ୍ରକର ବରପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବହୁ ପୁରୁଣା ଡାକ୍ତରଖାନା ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟକେନ୍ଦ୍ରଟି ଘୋର ଅବ୍ୟବସ୍ଥାରେ ଚାଲିଥିବାରୁ ଏଠାକୁ ରୋଗୀ ଆସୁନାହାନ୍ତି। ଡାକ୍ତର ତ ନାହାନ୍ତି, କାହା ଭରସାରେ ଏଠାକୁ ଚିକିତ୍ସିତ ହେବାକୁ ଆସିବୁ ବୋଲି କହିଥିଲେ ନଳିନୀ ଜେନା ନାମ୍ନୀ ଜଣେ ରୋଗୀ। କେବଳ ନଳିନୀ ନୁହନ୍ତି, ଅନ୍ୟ ରୋଗୀଙ୍କର ବି ଥିଲା ସମାନ ଅବସ୍ଥା। ଏହି ଡାକ୍ତରଖାନାରେ ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି, ଶିଶୁ ରୋଗ ଓ ଭେଷଜ ବିଶେଷଜ୍ଞ ଡାକ୍ତର ରହିବା କଥା। ମାତ୍ର ୪ ଜଣଙ୍କ ଜାଗାରେ କେହି ଜଣେ ବି ବିଶେଷଜ୍ଞ ନାହାନ୍ତି। ଡାକ୍ତର ନନ୍ଦ ବରପଦା ସିଏଚ୍‌ସିର ସୁପରିନ୍‌ଟେଣ୍ଡେଣ୍ଟ ଥିବାବେଳେ ବିଭିନ୍ନ ଦାୟିତ୍ବରେ ରହୁଛନ୍ତି। ଏହି ସିଏଚ୍‌ସି ଅଧୀନରେ ବହୁ ଏଏନ୍‌ଏମ ସେଣ୍ଟର, ପିଏଚ୍‌ସି ରହିଛି। ସେହିଭଳି ପ୍ରୋଗ୍ରାମ୍‌ ଅଫିସର ପଦରେ ଅନ୍ୟ ଜଣେ ଡାକ୍ତର ରହିଥିବାବେଳେ ମାତ୍ର ଜଣେ ଡାକ୍ତର ଅଧିକାଂଶ ସମୟ ରୋଗୀ ଦେଖୁଛନ୍ତି। ବିଶେଷଜ୍ଞ ପଦ ପୂରଣ ସହିତ ଶଯ୍ୟା ସଂଖ୍ୟା ବୃଦ୍ଧି ପାଇଁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର