ଉଛୁଳା ‘ସାଳନ୍ଦୀ’କୁ ନେଇ ଭଦ୍ରକବାସୀ ଆତଙ୍କିତ, ବନ୍ୟାଜଳରେ ବହୁ ଅଂଚଳ ପ୍ରଭାବିତ

ଭଦ୍ରକ: ଉତ୍ତର ଓଡ଼ିଶାର ଅନ୍ୟତମ ବଡ଼ ନଦୀ ‘ସାଳନ୍ଦୀ’ ଲୋକଙ୍କୁ ଡରାଉଛି। ନଦୀରେ ପ୍ରବଳ ବନ୍ୟା ଜଳ ନିଷ୍କାସିତ ହୋଇଥିବାରୁ ମଙ୍ଗଳବାର ଭଦ୍ରକବାସୀ ପ୍ରଭାବିତ ହୋଇଛନ୍ତି। ହଦଗଡ଼ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯିବା ପରେ ଭଦ୍ରକର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଭଦ୍ରକ ସହର ସହିତ ଜିଲ୍ଲାର ଆଗରପଡ଼ା, ତିହିଡି, କାଉପୁର, ଗୋବିନ୍ଦପୁର ଅଂଚଳର ଲୋକମାନେ ବନ୍ୟାଜଳ ଯୋଗୁଁ ଅଧିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।

ଭଦ୍ରକ ସହରର ବିଭିନ୍ନ ସାହି, ବସ୍ତି ଓ ତଳିଆ ଅଞ୍ଚଳରେ ରହୁଥିବା ଲୋକମାନଙ୍କ ଘରକୁ ପାଣି ପଶିଛି। କାଳିସାହି ନିକଟସ୍ଥ ବାଲିପାଟଣା ଠାରେ ନଦୀବନ୍ଧ ଧସିପଡ଼ିଛି। ନଦୀବନ୍ଧ ଧସିବା ପରେ ଜଳ ସମ୍ପଦ ବିଭାଗର ତତ୍ପରତା ଦେଖାଯାଇଛି।

ସେହିପରି ପୁରୁଣା ବଜାର ନିକଟରେ ସାଳନ୍ଦୀ ଉପରେ ନିର୍ମିତ ୨ଟି ପୋଲ ଉପରେ ପାଣି ପ୍ରବାହିତ ହେବାର ଆଶଙ୍କା କରାଯାଉଛି।

ଭଦ୍ରକ ସହରର କିଛି ଅଞ୍ଚଳରେ କାଲିଠାରୁ ଲୋକେ ରୋଷେଇ କରିପାରି ନାହାନ୍ତି। ପନିପରିବା ଚାଷୀ ବହୁ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ତିହିଡି ଓ ଚାନ୍ଦବାଲି ଅଂଚଳର ଲୋକେ ମଧ୍ୟ ବହୁ ପ୍ରଭାବିତ ହୋଇଛନ୍ତି।

ସୂଚନାଯୋଗ୍ୟ ପଡ଼ୋଶୀ କେନ୍ଦୁଝର ଜିଲ୍ଲାରେ ଗତ ୨ ଦିନ ଭିତରେ ପ୍ରବଳ ବର୍ଷା ହେବାରୁ ହଦଗଡ଼ ଡ୍ୟାମର ଜଳସ୍ତର ବଢ଼ିଛି। ଡ୍ୟାମ୍‌ର ଜଳ ଧାରଣା କ୍ଷମତା ୮୨.୨ ମିଟର ଥିବା ବେଳେ, ସୋମବାର ସନ୍ଧ୍ୟା ସୁଦ୍ଧା ଏଠରେ ଜଳସ୍ତର ୮୦ ମିଟର ପହଞ୍ଚି ଥିଲା। ଫଳରେ ଡ୍ୟାମ୍‌ରୁ ଜଳ ନିଷ୍କାସନ କରାଯାଇଛି।

ସମ୍ବନ୍ଧିତ ଖବର