ଭଦ୍ରକ କାଳୀପୂଜା: ବର୍ଷା ସାଜିଲା ଦାଉ, ବେପାର ମାନ୍ଦା

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଭଦ୍ରକର ‘କାଳୀପୂଜା’ ଗୁରୁବାର ଠାରୁ ନିରାଡ଼ାମ୍ବର ଭାବରେ ଆରମ୍ଭ ହୋଇ ଯାଇଥିବା ବର୍ଷା ଦାଉ ସାଧିଛି। ଲଘୁଚାପର ପ୍ରଭାବ ଯୋଗୁଁ ଉତ୍ତର ଓଡ଼ିଶାରେ ୨ ଦିନ ହେବ ବର୍ଷା ଲାଗି ରହିଛି। ଫଳରେ ଶୁକ୍ରବାର କାଳୀପୂଜାସ୍ଥଳ ଗୁଡ଼ିକ ଫିକା ଫିକା ଲାଗୁଛି। ପୂର୍ବରୁ ପ୍ରଶାସନ ପକ୍ଷରୁ ସାଉଣ୍ଡ ଓ ସଂସ୍କୃତିକ କାର୍ଯ୍ୟକ୍ରମ ଉପରେ କଟକଣା ଲଗାଇଛନ୍ତି। ମା’କାଳୀଙ୍କ ଦର୍ଶନ ପାଇଁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି। ମେଳାଣ ପଡ଼ିଆ, ମୀନାବଜାର ସ୍ଥଳ ଓ ଯାତ୍ରା ପାଇଁ ଉପଲବ୍ଧ ପଡ଼ିଆଗୁଡ଼ିକ ନିଛାଟିଆ ଲାଗୁଛି। ପ୍ରଶାସନର ଆଦେଶ ଅନୁସାରେ ଭଦ୍ରକରେ ପ୍ରଥମ ଥର ପାଇଁ ଏଭଳି ନିରାଡାମ୍ବର କାଳୀପୂଜା ପାଳନ କରାଯାଉଛି।

ସାତ ଦିବସୀୟ ଏହି ପୂଜାକୁ ନେଇ ଲୋକଙ୍କ ମନରେ ଉତ୍ସାହ ନାହିଁ। ପୂର୍ବ ବର୍ଷମାନଙ୍କରେ ଭଦ୍ରକ କାଳୀପୂଜା ଆଡ଼ମ୍ବରପୂର୍ଣ୍ଣ ଭାବରେ ପାଳିତ ହୋଇ ଆସୁଥିଲା। କିନ୍ତୁ ଗତ ଏପ୍ରିଲରେ ସୋସିଆଲ ମିଡ଼ିଆରେ ଧାର୍ମିକ ଫଟୋ ନେଇ ବିବାଦୀୟ ମନ୍ତବ୍ୟ ଆସିଥିଲା। ସେହି ଦିନଠାରୁ ଭଦ୍ରକ ଉପରେ ପୁଲିସର ନଜର ରହି ଆସୁଥିବା ବେଳେ, ଏଥର କାଳୀପୂଜାର ମାହୋଲ ଫିକା ଲାଗୁଛି।

ରାସ୍ତା ଅତିକ୍ରମ କରି ଲିଡ, ଏଲିଡ ଲାଇଟ ଡେକୋରେସନକୁ ମଞ୍ଜୁରୀ ଦିଆଯାଇ ନଥିବା ବେଳେ, ପୂଜାମଣ୍ଡପ ଗୁଡ଼ିକରେ ସାଉଣ୍ଡ ବାଜି ପାରିବ ନାହିଁ। ସେହିଭଳି ଦର୍ଶକଙ୍କ ପାଇଁ ମୀନାବଜାର କିମ୍ବା ଯାତ୍ରାର ବ୍ୟବସ୍ଥା କରାଯାଇ ନାହିଁ।

ଭଦ୍ରକ କାଳୀପୂଜା ପାଇଁ ବ୍ୟବସାୟୀମାନେ ଗୋଟିଏ ମାସ ପୂର୍ବରୁ ଯୋଜନା ପ୍ରସ୍ତୁତ କରିଥାନ୍ତି। ଏଥର ସେମାନଙ୍କୁ ଘରେ ହାତ ବାନ୍ଧି ବସିବାକୁ ପଡ଼ିଛି।

ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ ପୁଲିସ ପ୍ରଶାସନ ଦ୍ୱାରା ଶାନ୍ତି ଶୃଙ୍ଖଳା ପାଇଁ ସହରରେ ୨୧ ପ୍ଲାଟୁନ ପୁଲିସ ମୁତୟନ କରାଯାଇଛି। ସେହିପରି ସହରର ମୁଖ୍ୟସ୍ଥାନମାନଙ୍କରେ ପୁଲିସ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ, କୌଣସି ଅପ୍ରିତିକର ଘଟଣା ଯେମିତି ନ ଘଟେ, ସେଥିପାଇଁ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସ୍‌ପି ଅନୁପ ସାହୁ ନଜର ରଖିଛନ୍ତି।

ସମ୍ବନ୍ଧିତ ଖବର