ଶାଶୁ ହତ୍ୟାକାରୀ ଜ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡ

ଭଦ୍ରକ: ଜିଲ୍ଲା ଦୌରା ଜଜ ସୋଭନ ଦାଶ ଗୁରୁବାର ଶାଶୁ ହତ୍ୟାକାରୀ ଜ୍ୱାଇଁଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଖିରପଦା ଗ୍ରାମର ମୁନସି ଖାଁଙ୍କ ପୁଅ ଅଭିଯୁକ୍ତ ଆଲ୍ଲାଉଦ୍ଦିନ ଖାଁଙ୍କୁ ହତ୍ୟା ମାମାଲାରେ ଦୋଷୀ ସାବ୍ୟସ୍ତ କରି ଜଜ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥି ସହିତ ଆହ୍ଲାଉଦ୍ଦିନଙ୍କୁ ୨୦ ହଜାର ଟଙ୍କା ଅନାଦେୟ ପୁନଶ୍ଚ ୬ ମାସ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ।

ବୀବରଣୀରୁ ପ୍ରକାଶ ଯେ, ଆଲ୍ଲାଉଦ୍ଦିନଙ୍କ ପତ୍ନୀ ସଲମା ବିବି ଓ ତାଙ୍କର ପୁତ୍ର ସରୋଉଦ୍ଦିନ ନିଜର ମାଆ ନୁରଜାହାନ ପାଖରେ ପୁରୁଣାବଜାର ଥାନା ଗୌମିୟା ନଗରରେ ରହୁଥିଲେ। ନୁରଜାହାନ ତାଙ୍କର ସଂପତ୍ତିକୁ ନିଜର ନାତି ସଲ୍ଲାଉଦ୍ଦିନଙ୍କ ନାମରେ କରିଦେବାକୁ ଚାହୁଁ ଥିଲେ। ମାତ୍ର ଆଲ୍ଲାଉଦ୍ଦିନ ଏଥିରେ ରାଜି ନଥିଲେ।

ଆଲ୍ଲାଉଦ୍ଦିନ ୨୦୧୩ ମାର୍ଚ୍ଚ ୨୪ ସକାଳୁ ନୁରଜାହାନଙ୍କ ଘରେ ପହଞ୍ଚିଥିଲେ। ତାଙ୍କର ନାମରେ କରିବା ପାଇଁ ଧମକ ଦେଇଥିଲେ, ମାତ୍ର ସେଥିରେ ସେ ରାଜି ନହେବାରୁ ପୁନଶ୍ଚ ସନ୍ଧ୍ୟା ସମୟରେ ଆସି ଏକ ଖଣ୍ଡା ଦ୍ୱାରା ନୁରଜାହାନଙ୍କୁ ଆକ୍ରମଣ କରିଥିଲେ। ମା’ଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିବା ସଲମା ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଉଭୟଙ୍କୁ ଭଦ୍ରକ ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନୁରଜାହାନଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର