କଲଭର୍ଟରେ ପିଟି ହେଲା ବାଇକ୍‌: ୧ମୃତ, ଦୁଇ ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର-ପଦ୍ମପୁର ରାସ୍ତାର ଦିଗଛିଆ କଲଭର୍ଟ ସହ ଏକ ବାଇକ ପିଟି ହୋଇଯିବାରୁ ବାଇକରେ ଥିବା ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ନାୟକାଣିଡିହି ଥାନା ଭଗବାନପୁର ଅଞ୍ଚଳର ଅନୀଲ କୁମାର ସାହୁ, ସୁରେଶ ନାୟକ ଓ ପ୍ରଶାନ୍ତ ବିଶ୍ବାଳ ଆଜି ଏକ ବାଇକରେ ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ଦିଗଛିଆ କଲଭଟର୍ ସହ ପିଟି ହୋଇ ଯାଇଥିଲେ। ଫଳରେ ତିନିଜଣ ବାଇକରୁ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ଅନୀଲଙ୍କ ମୁଣ୍ତର ପଛପଟେ ଗଭୀର ଆଘାତ ଲାଗି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ଖବର ପାଇ ଆମ୍ବୁଲାନ୍ସ ତିନିଜଣଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ଅନୀଲକୁ ମୃତ ଘୋଷଣା କରିଥିଲେ। ସ୍ଥାନୀୟ ପୁଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ଗୁରୁତର ସୁରେଶ ଓ ପ୍ରଶାନ୍ତଙ୍କୁ ବାସୁଦେବପୁର ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର