ଭଦ୍ରକ: ଓଲଟିଲା ଯାତ୍ରୀ ବସ, ୩୦ ଆହତ, ୨ ଗୁରୁତର

ଭଦ୍ରକ: ଭଣ୍ଡାରିପୋଖରି ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୧୬ ନମ୍ବର ପଇଁରାପାଖୀ-ମଜୁରୀ ଗଡ଼ିଆ ମଧ୍ୟରେ ଏକ ଯାତ୍ରୀବାହୀ ବସ ଓଲଟି ପଡ଼ିବାରୁ ଘଟଣାସ୍ଥଳରେ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ବେଳେ ବସ୍‌ ‘କଳ୍ପନା’ର ଚାଳକ ଭାରସାମ୍ୟ ହରାଇଥିଲେ। ଆହତମାନଙ୍କୁ ଭଣ୍ଡାରିପୋଖରି ହସ୍ପିଟାଲ ଓ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ୭୫ ଜଣ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା କଳ୍ପନା ଟ୍ରାଭେଲସ୍‌ ରାତି ୧୦ଟା ୩୦ରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ। ଭଣ୍ଡାରିପୋଖରି ହସ୍ପିଟାଲରେ ୮ ଜଣଙ୍କୁ ଭର୍ତ୍ତି କରାଯାଇଥିବା ବେଳେ ଭଦ୍ରକ ହସ୍ପିଟାଲରେ ୨୨ଜଣଙ୍କୁ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବା ଜଣାପଡ଼ିଛି। ସୂଚନା ମିଳିବା ପରେ ଘଟଣାସ୍ଥଳକୁ ଦମକଳ ବାହିନୀ ଓ ୪ଟି ଆମ୍ବୁଲାନ୍ସ ପହଞ୍ଚିଛି। ଆହତମାନଙ୍କୁ ଆମ୍ବୁଲାନ୍ସ, ଘରୋଇ କାର ଓ ଅଟୋ ମାଧ୍ୟମରେ ହସ୍ପିଟାଲ ସ୍ଥାନାନ୍ତର କରାଯାଉଛି। ବସ୍‌ର ଚାଳକ ମଧ୍ୟ ଆହତ ହୋଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଭଦ୍ରକ, ଧାମନଗର, ଭଣ୍ଡାରୀପୋଖରୀ ପୁଲିସ ଉପସ୍ଥିତ ଅଛି।

ସମ୍ବନ୍ଧିତ ଖବର