ମାଡ଼ ମାରି ଖସିଗଲେ କୋଇଲା ମାଫିଆ:ପୁଲିସର ଯିବାରେ ବିଳମ୍ବ, ୩ଭୁଟୁଭୁଟିରୁ ଗୋଟିଏ ଫେରିଲା, ୨ ଖସିଲା

ଧାମରା : ଥମୁନି ଚୋରା କୋଇଲା କାରବାର। ସ୍ଥଳ ପଥରେ ଚାଲାଣ ପରେ ଏବେ ଜଳପଥରେ ନିରାପଦରେ କୋଇଲା ଚାଲାଣ ହେଉଛି। ବାଂଶଡା ଅଂଚଳରୁ ଜଳପଥରେ ଚୋରା କୋଇଲା ଚାଲାଣ ବେଳେ ୩ଟି ଭୁଟୁଭୁଟିକୁ ଲୋକେ ଅଟକାଇଥିିଲେ ବି ପୁଲିସ ନ ପହଞ୍ଚିବାରୁ ଖସିଯିବାକୁ ସକ୍ଷମ ହୋଇଥିଲା। ଧାମରା ଗ୍ରାମର କିଛି ଲୋକ ମନ୍ତେଇ ନଦୀରେ ମାଛ ମାରିବାକୁ ଜାଲ ବସାଇଥିବା ବେଳେ ପ୍ରତିଦିନ ପରି ଆଜି ସକାଳ ୬ଟାରେ ଚୋରା କୋଇଲା ଭୁଟୁଭୁଟି ସେମାନଙ୍କ ଜାଲ କାଟି କୋଇଲା ନେଇ ରାଜନଗର ଅଂଚଳକୁ ଯାଉଥିଲେ। କିଛି ମାଛ ଧରାଳୀ ୩ଟି ଚୋରା କୋଇଲା ବୋଝେଇ ଭୁଟୁଭୁଟିକୁ ଅଟକାଇ ସେମାନଙ୍କ ଜାଲ କାହିଁକି କାଟି ଦେଉଛ ବୋଲି ପଚାରିବାରୁ କିଛି କୋଇଲା ବ୍ୟବସାୟୀ ମାଛ ଧରାଳୀମାନଙ୍କୁ ବାଉଁଶରେ ପିଟି ଗୋଟିଏ ଭୁଟୁଭୁଟି ଦ୍ରୁତ ଗତିରେ ପଳାଇଥିବା ବେଳେ ଗୋଟିଏ ଫେରିଯାଇଥିଲା ଓ ଆଉ ଗୋଟିଏ ଭୁଟୁଭୁଟି ଏହି ମାଛ ଧରାଳୀଙ୍କ ହାବୁଡରେ ରହିଥିଲା ।

ଏ ସମ୍ପର୍କରେ ଚାନ୍ଦବାଲି ଏସଡିପିଓ ତରୁଣକାନ୍ତି ଦାସଙ୍କୁ ସାଢ଼େ ୬ରେ ଖବର ଦିଆଯାଇଥିଲା । ପରେ ଧାମରା ବନ୍ଦର କର୍ତ୍ତୃର୍ପକ୍ଷଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା। ତେବେ ଦିନ ୧୧ଟା ପଯ୍ୟର୍ନ୍ତ ପୁଲିସ ନ ପହଁଚିବାରୁ ଏହି ଭୁଟୁଭୁଟି ଚୋରା କୋଇଲା ନେଇ ଚନ୍ଦନୀପାଳ ଦେଇ ରାଜନଗରକୁ ଚାଲି ଯାଇଥିଲା । ଏ ନେଇ ଏସଡିପିଓ ବାଂଶଡା ଥାନାକୁ ଖବର ଦେବା ବାଂଶଡା ଥାନାଧିକାରୀ ଧାମରା ସାମୁଦ୍ରିିକ ଥାନାକୁ ଖବର ଦେବା ନେଇ ପ୍ରକିୟା ପ୍ରାୟ ୪ଘଂଟା ଧରି ଚାଲିଥିଲା । ଧାମରା ସାମୁଦ୍ରିକ ଥାନା ଓ ଧାମରା ଫାଣ୍ଡି ଠାରୁ ମାତ୍ର ୧୫୦ମିଟର ଦୂରରେ ଏହି ଭୁଟୁଭୁଟିକୁ ଅଟକାଇ ପୁଲିସକୁ ଖବର ଦେଇଥିଲେ ମଧ୍ୟ ଏସଡିପିଓ ନ କହିଲେ ଆମେ କୋଇଲା ଜବତ କରିବୁ ନାହିଁ ବୋଲି ଧାମରା ସାମୁଦ୍ରିକ ଥାନା ଅଧିକାରୀ ମନା କରି ଦେଇଥିଲେ। ଶେଷରେ ପ୍ରାୟ ୪ଘଂଟା ପରେ ପୁଲିସ ଅତ୍ୟାଧୁନିକ ସ୍ପିଡ ବୋଟ ବାହାର କରି ଗଲା ବେଳକୁ ଚୋରା କୋଇଲା ଭୁଟୁଭୁଟି ଚନ୍ଦନୀପାଳ ଦେଇ କେନ୍ଦ୍ରାପଡାକୁ ପଳାଇଥିଲା।

ସମ୍ବନ୍ଧିତ ଖବର