ଧାମନଗର ନିର୍ବାଚନମଣ୍ଡଳୀ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ

ଭଦ୍ରକ : ଭଦ୍ରକ ଜିଲ୍ଲାର ଧାମନଗର ନିର୍ବାଚନମଣ୍ଡଳୀରେ ବିଜେଡି ବିଜେପି ମଧ୍ୟରେ ଦ୍ବିମୁଖୀ ଲ‌େଢ଼ଇ ହେବାର ସମ୍ଭାବନା ରହିଛି। ଏଠାରେ ବିଜେଡିର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଲଢ଼ୁଥିବା ବେଳେ ବିଜେପିର ମଧ୍ୟ ପୂର୍ବତନ ବିଧାୟକ ବିଷ୍ଣୁ ସେଠୀ ଲଢ଼ୁଛନ୍ତି। ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡି ଏଥର ଟିକଟ ନ ଦେଇ ପ୍ରାର୍ଥୀ ପରିବର୍ତ୍ତନ କରିଥିବାରୁ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ। ସେହିପରି ବିଜେପି ପାଇଁ ଏଥର ନିର୍ବାଚନ ବଡ ଚ୍ୟାଲେଞ୍ଜ ହୋଇଛି। କଂଗ୍ରେସରୁ ଏଠାରେ ବିଦ୍ୟାଧର ଜେନା ପ୍ରାର୍ଥୀ ହୋଇଛନ୍ତି। ଯେବେଠାରୁ ଧାମନଗର ନିର୍ବାଚନମଣ୍ଡଳୀ ସଂରକ୍ଷିତ(ଏସି) ଆସନ ହେଲା । ସେବେଠାରୁ ଏହି ଆସନକୁ ବିଜେଡି ମାଡି ବସିଛି। ଏକଦା ଏହି ଆସନରୁ ବିଧାୟକ ଥିଲେ ସ୍ବର୍ଗତ ହୃଦାନନ୍ଦ ମଲ୍ଲିକ, ତାଙ୍କ ପୁଅ ସ୍ବର୍ଗତ ମାନସ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ରାଉତ, ପୂର୍ବତନମନ୍ତ୍ରୀ ମନମୋହନ ସାମଲ। ଆସନ ସଂରକ୍ଷିତ ହେବା ପରେ ଏହି ନେତା କିମ୍ବା ତାଙ୍କ ଦାୟଦ ଆଉ ଏଠାରୁ ଲଢି ପାରିଲେନାହିଁ। ଧାମନଗର ସରଂକ୍ଷିତ ହେବା ପରେ ଏଠାରୁ ବିଜେପିରୁ ବିଷ୍ଣୁ ସେଠୀ ଓ ବିଜେଡିରୁ ମଇଦାନକୁ ଆସିଥିଲେ ରାଜୁ ଦାସ। ୨୦୦୯ ନିର୍ବାଚନରେ ରାଜୁ ବିଜେଡି ଟିକଟ ପାଇ ବିଧାୟକ ହୋଇଥିଲେ। ୨୦୧୪ ନିର୍ବାଚନରେ ଏହି ଆସନରୁ ରାଜୁ ଟିକଟ ପାଇବାରୁ ବଞ୍ଚିତ ହୋଇଥିଲେ। ତାଙ୍କ ସ୍ଥାନରେ ମୁକ୍ତିକାନ୍ତ ମଣ୍ଡଳଙ୍କୁ ବିଜେଡି ଦଳୀୟ ଟିକଟ ଦେଇଥିଲା। ମୁକ୍ତିଙ୍କ ସହ ପୁଣି ବିଜେପିର ବିଷ୍ଣୁଙ୍କର ଫାଇଟ୍ ହୋଇଥିଲା। ଶେଷରେ ବିଧାୟକ ଭାବେ ବିଜୟୀ ହୋଇଥିଲେ ମୁକ୍ତିକାନ୍ତ ମଣ୍ଡଳ। ଚଳିତ ୨୦୧୯ ସାଧାରଣ ନିର୍ବାଚନରେ ମୁକ୍ତିଙ୍କୁ ଟିକଟରୁ ବଞ୍ଚିତ କରି ତାଙ୍କ ସ୍ଥାନରେ ଦଳ ପୁଣି ମଇଦାନକୁ ଆଣିଛି ସେହି ପୁରୁଣା ମୁହଁ ପୂର୍ବତନ ବିଧାୟକ ରାଜୁ ଦାସଙ୍କୁ। ରାଜୁଙ୍କ ସହ ବିଜେପି ପୁଣି ଠିଆ କରିଛି ବିଷ୍ଣୁଙ୍କୁ। ମୁଖ୍ୟତଃ ବିଷ୍ଣୁ ଓ ରାଜୁ ମଧ୍ୟରେ ଏଠାରେ ଲଢ଼େଇ ହେବ। କଂଗ୍ରେସର ଏଠାରେ ବିଦ୍ୟାଧର ଜେନା ପ୍ରାର୍ଥୀ ହୋଇଥିଲେ ବି ବିଶେଷକରି ବିଜେପିର ବିଷ୍ଣୁ ଓ ବିଜେଡିର ରାଜୁଙ୍କୁ ନେଇ ଅଙ୍କକଷା ଚାଲିଛି। ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀଙ୍କର ଦଳୀୟ ସାଂଗଠନିକ ଦକ୍ଷତାକୁ ନେଇ ମଧ୍ୟ ଭୋଟର ତଉଲୁଛନ୍ତି। ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ତାଙ୍କର ସ୍ବର ବେଶ୍ ଶାଣିତ ଥିବା ବେଳେ ନିର୍ବାଚନର ହାରଜିତ୍ ମୋ ପାଇଁ ନୂଆ କଥା ନୁହେଁ ବୋଲି ବିଷ୍ଣୁ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି। ଶତ୍ରୁ ପକ୍ଷଙ୍କୁ ମୁଁ ମିତ୍ର ଭାବେ ଦେଖେ। ମୋ ପାଇଁ ମୋ ନିର୍ବାଚନମଣ୍ଡଳୀର ଲୋକ ବଡ। ଭୋଟର ଚାହିଁଲେ ଭୋଟ ଦେବେ, ନ ଚାହିଁଲେ ନାହିଁ। ମୁଁ ଲୋକଙ୍କ ପାଇଁ କାମ କରୁଛି, କାମ କରୁଥିବି। ସେହିପରି ବିଜେଡିରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଗତଥର ଟିକଟ ନ ପାଇ ଦଳ ପାଇଁ ଜଣେ ଶୃଙ୍ଖଳିତ କର୍ମୀ ଭାବେ କାମ କରିଥିଲେ। ଏଥର ଦଳ ତାଙ୍କର ଆନୁଗତ୍ୟକୁ ନେଇ ପୁଣି ଦଳୀୟ ପ୍ରାର୍ଥୀ କରି ନିର୍ବାଚନ ମଇଦାନକୁ ଛାଡିଛି। ଧାମନଗରବାସୀଙ୍କର ସେବା କରିବା ପାଇଁ ମୋତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଆଶା ଓ ଭରସା ଦେଇ ପଠାଇଛନ୍ତି। ମୁଁ ନବୀନ ବାବୁଙ୍କର ଆଶା ଭରସାକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରିବି। ମୁଁ ସବୁବେଳେ ମୋ ଅଞ୍ଚଳର ଲୋକଙ୍କ ସହିତ ରହିଛି। ଆଗାମୀ ଦିନରେ ବି ରହିଥିବି। ଭୋଟ ପାଇବା ନ ପାଇବା,ଏସବୁ ଭୋଟରଙ୍କ ଉପରେ ନିର୍ଭର। ସେମାନଙ୍କ ପାଇଁ ଯଦି ମୁଁ ଯୋଗ୍ୟ ପ୍ରାର୍ଥୀ ହୋଇଥିବି, ତେବେ ଭୋଟର ମୋତେ ନିଶ୍ଚୟ ଭୋଟ ଦେବେ। ମୋ ନିର୍ବାଚନ ମଣ୍ଡଳୀର ବିକାଶ, ମୋର ସ୍ବପ୍ନ। ରାଜ୍ୟ ରାଜନୀତି ଏବେ ଏଇ ନିର୍ବାଚନ ମଣ୍ଡଳୀ ଉପରେ ନଜର ରଖିଛି। ସବୁଠି ଚର୍ଚ୍ଚା ହେଉଛି ବିଷ୍ଣୁ ସେଠୀ ବିଜେପିର ଜଣେ ହେଭିୱେଟ ନେତା। ସେ ଏବେ ରାଜ୍ୟ ବିଜେପିର ଉପସଭାପତି ଅଛନ୍ତି। ବିଷ୍ଣୁଙ୍କର ଦବଦବା ବି ଭଲ ରହିଛି। ଭୋଟର ବି ତାଙ୍କ ପ୍ରତି ଆନୁଗତ୍ୟ ରଖିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ ୨୦୦୯ ମସିହାଠାରୁ ଏଇ ଆସନ ବିଜେଡି ଦଖଲରେ ରହି ଆସିଛି। ଏଥର ମୁକ୍ତିଙ୍କ ସ୍ଥାନରେ ରାଜୁଙ୍କୁ ମଇଦାନକୁ ଛାଡି ବିଜେଡି ଏଇ ଆସନ ଉପରେ କଡା ନଜର ରଖିଛି। ରାଜୁଙ୍କୁ ଜିତାଇବା ଏବେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି। ଉଭୟ ନେତାଙ୍କ ଜିତିବା ଓ ହାରିବା ନିର୍ଭର କରୁଛି ରିଙ୍ଗମାଷ୍ଟର ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ୍ ଓରଫ୍ ବୁବୁନଙ୍କ ଉପରେ। ବୁବୁନଙ୍କ ହାବଭାବ କଣ ରହୁଛି। କୁଆଡେ ଯାଉଛି ବୁବୁନଙ୍କ ସମର୍ଥନ। କାରଣ ବୁବୁନଙ୍କ ହାତରେ ରହିଛନ୍ତି ସଂଖ୍ୟାଧିକ ସମିତିସଭ୍ୟ ଓ ସରପଞ୍ଚ। ଧାମନଗର ନିର୍ବାଚନ ଜିତିବା ହାରିବାର ରିମୋର୍ଟ କଣ୍ଟ୍ରୋଲ ହେଉଛନ୍ତି ବ୍ଲକ ଅଧ୍ୟକ୍ଷ ବୁବୁନ। ଦୁଇ ବିଧାୟକ ପ୍ରାର୍ଥୀଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି। ତାଠାରୁ ଅଧିକ ଚର୍ଚ୍ଚା ହେଉଛି ବୁବୁନଙ୍କ ଭୂମିକାକୁ ନେଇ। ସମୟ କହିବ ରାଜନୀତିର ପଶା ପାଲିରେ କାହାର ଗୋଟି କୁଆଡେ ଗଡୁଛି। ତେବେ ଏବେର ନିର୍ବାଚନ ମଇଦାନର ସ୍ଥିତି ଯାହା କହୁଛି ଏଠାରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବା ନିଶ୍ଚିତ।

ସମ୍ବନ୍ଧିତ ଖବର