ଚାନ୍ଦବାଲି: ବାଲିପଡ଼ାରେ ଭୟାବହ ଅଗ୍ନିକାଣ୍ଡ, ୨୫ ବଖରା ସମେତ ୨୦ ଲକ୍ଷ ଟଙ୍କାର ସମ୍ପତ୍ତି ଭସ୍ମୀଭୂତ

ଜଳିଗଲା ଝିଅ ବାହାଘର ପାଇଁ ଆସିଥିବା ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ତହସିଲ ଅନ୍ତର୍ଗତ ଗୋପୀନାଥପୁର ଗ୍ରାମପଞ୍ଚାୟତ ଅଧୀନ ବାଲିପଡ଼ାରେ ବୁଧବାର ଭୟାନକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ଘଟଣାରେ ୨୫ ବଖରା ଘର ଓ ବିଲରୁ ଆସି ଖଳାରେ ଥିବା ୧୦ଟି ଧାନ ଗଦା ଭସ୍ମ ହୋଇଯାଇଛି। ନଷ୍ଟ ହୋଇଥିବା ଧାନର ମୂଲ୍ୟ ୨୦ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଗାାଁର ବଡ଼ ଚାଷୀ ଅନାମ ଚରଣ ସାହୁ ଓ ବିଜୟ ସାହୁଙ୍କ ପ୍ରାୟ ୧୦ ଲକ୍ଷ ଟଙ୍କାର ଧାନ ଗଦା ଜଳି ଯାଇଥିବା ବେଳେ ମହେନ୍ଦ୍ର ସାହୁ, ସନାତନ ସାହୁ, ରାଧୁ ସାହୁ, ଅନ୍ତର୍ଯାମୀ ସାହୁ, ହେମନ୍ତ ବାରିକ, ପୂର୍ଣ୍ଣଚନ୍ଦ୍ର ସାହୁ ପ୍ରମୁଖଙ୍କ ଧାନ ଗଦା ଓ ଘର ଜଳି ଯାଇଛି। ସେହିପରି ଝିଅ ବାହାଘର ପାଇଁ ଆସିଥିବା ସୁନା ଗହଣା ଓ ଅନ୍ୟାନ୍ୟ ଜିନିଷ ମଧ୍ୟ ଜଳି ଯାଇଛି।

ସୂଚନା ଅନୁସାରେ ପୂର୍ବାହ୍ନରେ କୌଣସି ମତେ ଘରଗୁଡ଼ିକରେ ନିଆଁ ଲାଗିଯାଇଥିଲା। କିଛି ସମୟ ଭିତରେ ନିଆଁ ଏଭଳି ରୂପ ନେଇଥିଲା ଗାଁ ଲୋକେ ଚେଷ୍ଟା କରିଥିଲେ ମଧ୍ୟ ଆୟତ୍ତ କରିପାରି ନଥିଲେ। ଦେଖୁ ଦେଖୁ ଘର ଭିତରେ ଥିବା ଜିନିଷ ପତ୍ର ଗୁଡ଼ିକ ନଷ୍ଟ ହୋଇ ଯାଇଥିଲା। ଅଗ୍ନିକାଣ୍ଡରେ ପ୍ରଭାବିତ ଲୋକମାନେ ନିଜର ପିନ୍ଧିବା କପଡ଼ା ବ୍ୟତୀତ ଅନ୍ୟ ସାମଗ୍ରୀକୁ ଉଦ୍ଧାର କରି ପାରି ନାହାଁନ୍ତି। ନିଆଁ ଲାଗିବା ପରେ ଗ୍ୟାସ ଟାଙ୍କି ଗୁଡ଼ିକ ବିସ୍ଫୋରଣ ହେବାରୁ ଲୋକମାନେ ଆହୁରି ଭୟଭୀତ ହୋଇ ଯାଇଥିଲେ। ଗଦି ଓ ଚାନ୍ଦବାଲିରୁ ଦମକଳ ବାହିନୀ ଘଟଣାସ୍ଥଳକୁ ଆସିବା ପୂର୍ବରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ଜଳି ପାଉଁଶ ହୋଇ ଯାଇଥିଲା।

ସେହିଭଳି ଘର ଗୁଡ଼ିକରେ ନିଆଁଲାଗିବା ପରେ କିଛି ସମୟ ପରେ ନିକଟରେ ଥିବା ଖଳାଗୁଡ଼ିକୁ ବ୍ୟାପୀ ଥିଲା। ସୂଚନା ମିଳିା ପରେ ୨ଟି ଦମକଳ ବାହିନୀର ଆଗ୍ନିକମାନେ ଆସି ନିଆଁଲିଭାଇବା ପାଇଁ ଉଦ୍ୟମ କରିଥିଲେ। ଘର ପାଖରେ ପାଣିର ସୁବିଧା ନ ଥିବାରୁ ଦମକଳ ବାହିନୀ ପ୍ରାୟ ୧୦ କିଲୋମିଟର ଦୂରରୁ ପାଇପ ଯୋଗେ ପାଣି ଆଣିଥିଲା। କିନ୍ତୁ ଫଳ କିଛି ହୋଇ ନ ଥିଲା। ରିପୋର୍ଟ ଲେଖାଯିବା ବେଳକୁ ରାଜସ୍ୱ ନୀରିକ୍ଷକଙ୍କ ବ୍ୟତୀତ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନ ଥିଲେ।

ସମ୍ବନ୍ଧିତ ଖବର