ବାସୁଦେବପୁର: ପାନପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ, ୩୪ ବଖରା ଭସ୍ମୀଭୂତ

ବାସହରା ହେଲେ ୧୯ ପରିବାର

ଭଦ୍ରକ: ବାସୁଦେବପୁର ତହସିଲ ଅନ୍ତର୍ଗତ ପାନପୁର ଗାଁରେ ସୋମବାର ଅପରାହ୍ନରେ ଭୟାବହ ଅଗ୍ନିକାଣ୍ଡ ଘଟି ୩୪ ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡରେ ୧୯ ପରିବାରର ଟଙ୍କା, ସୁନା ସହିତ ଧାନ-ଚାଉଳ ଆଜି ଜିନିଷ ପତ୍ର ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି। ପ୍ରଥମେ ଜଣଙ୍କର ଘରେ ନିଅାଁ ଲାଗିଥିଲା। ପରେ ଏହା ଅନ୍ୟ ଘରକୁ ଡେଇଁ ଥିଲା। ଅଗ୍ନିକାଣ୍ଡ ସମୟରେ ଅନେକ ପରିବାର ଘର ଭିତରେ ଶୋଇଥିଲେ। ହଠାତ ନିଅାଁ ଲାଗିବା ଦେଖି ସେମାନେ ଛାନିଆ ହୋଇ ଯାଇଥିଲେ। ଭୟରେ ଘର ଛାଡ଼ି ବାହାରକୁ ଆସି ଯାଇଥିଲେ ହେଁ ଘର ଭିତରୁ ଜିନିଷପତ୍ର ବାହାର କରି ପାରି ନଥିଲେ।

ଅଗ୍ନିକାଣ୍ଡ ସମ୍ପର୍କରେ ସୂଚନା ମିଳିବା ପରେ ବାସୁଦେବପୁର ଅଗ୍ନିଶମ କେନ୍ଦ୍ରରୁ ଦମକଳ ଗାଡ଼ି ପହଞ୍ଚିଛି। ଦମକଳ ବାହିନୀର କର୍ମଚାରୀମାନେ ନିଅାଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଛନ୍ତି। କିନ୍ତୁ ସେତେବେଳକୁ ବହୁ ଧନସମ୍ପତ୍ତି ପୋଡ଼ି ଯାଇଛି। ଦମକଳ ବାହିନୀର ଜଣେ କର୍ମଚାରୀ କହିଛନ୍ତି, ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନାହିଁ। ରିପୋର୍ଟ ଲେଖାଯିବା ବେଳକୁ ପ୍ରଶାସନ ପକ୍ଷରୁ କୌଣସି ଅଧିକାରୀ ପହଞ୍ଚି ନାହାନ୍ତି। ୧୯ଟି ପରିବାର ଆଜି କେମିତି ରାତ୍ରି ଯାପନ କରିବେ ସେ ନେଇ ଭାଲେଣି ପଡ଼ିଛି।

ସମ୍ବନ୍ଧିତ ଖବର