ଆଖୁ କିଆରୀରେ ନିଅାଁ, ୫ ଲକ୍ଷ ଟଙ୍କା ମୂଲ୍ୟର ଆଖୁ ଭସ୍ମୀଭୂତ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଣ୍ଡାରୀପଦା ଗାଁରେ ଏକ ଆଖୁ କିଆରୀରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଦେଖାଯାଇଛି। ପ୍ରାୟ ୫ ଏକର ଜମିରେ ଏହି ନିଅାଁ ଅଳ୍ପ ସମୟ ମଧ୍ୟରେ ୫ଲକ୍ଷ ଟଙ୍କାର ଆଖୁ ଭସ୍ମ କରି ଦେଇଛି। ନିଅାଁ ଲାଗିବା ପରେ ଗାଁର ଚାଷୀମାନେ ଧାମନଗର ଦମକଳ କାର୍ଯ୍ୟାଳୟକୁ ଖବର ଦେଇଥିଲେ। ମାତ୍ର ଦମକଳ ଗାଡି ନେଇ ଆଗ୍ନିକମାନେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆଖୁ କିଆରୀ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା।

ଦୋଳ ପୂର୍ଣ୍ଣିମା ଛୁଟି ଥିବାରୁ ପ୍ରଶାସନ ତରଫରୁ କୌଣସି ଅଧିକାରୀ ପହଞ୍ଚି ନାହାଁନ୍ତି। ଚାଷୀମାନଙ୍କ କହିବା ଅନୁସାରେ ଆଉ କିଛି ଦିନ ପରେ ସେମାନେ ଆଖୁ କାଟିଥାନ୍ତେ। ଏହାକୁ ବିକ୍ରି କରି ସେମାନେ ଯେଉଁ ଟଙ୍କା ପାଇଥାନ୍ତେ, ସେଥିରେ ପିଲାଙ୍କ ପାଠପଢ଼ା, ପୁଅ-ଝିଅ ବାହାଘର, ଚାଷ କାର୍ଯ୍ୟ ଆଦି କରିଥାନ୍ତେ। ଆଖୁ କିଆରୀରେ କେମିତି ନିଅାଁ ଲାଗିଲା, ସେ ବିଷୟରେ ଜଣାପଡ଼ି ନାହିଁ।

ଦମକଳ ବାହିନୀର ଜଣେ ଅଧିକାରୀ କହିଛନ୍ତି, ସୀତାରାମ ସ୍ୱାଇଁ, ପ୍ରଶାନ୍ତ ପୋଳତା ଓ ରତ୍ନାକର ଦାସଙ୍କ ଆଖୁ କିଆରୀରେ ନିଅାଁ ଲାଗିଛି। ସେମାନେ ନିଜର ଓ ଭାଗ ଜମିରେ ଆଖୁ ଚାଷ କରିଥିଲେ। ନିଅାଁ କେମିତି ଲାଗିଲା, ତାହା ଜଣାପଡ଼ି ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର