ସିମୁଳିଆ: ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ତଥା ବର୍ଷୀୟାନ ନେତା ମହେନ୍ଦ୍ର ନାଥ ମହାନ୍ତିଙ୍କର ସିମୁଳିଆ ବ୍ଲକ୍ ଭଗିଆସ୍ଥିତ ନିଜ ବାସଭବନରେ ୯୯ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ଆଜି ଭୋର୍ ୪.୩୦ ମିନିଟ୍ ସୟରେ ସେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ସ୍ବର୍ଗତଃ ମହାନ୍ତି ଭଦ୍ରକ ଜିଲ୍ଲା ନରିପୁର ଗ୍ରାମରେ ୧୯୨୦ ମସିହା ଏପ୍ରିଲ ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ। ତେବେ ତାଙ୍କ କର୍ମଭୂମି ଥିଲା ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ବଂଗାଳପୁର ପଞ୍ଚାୟତ ଭଗିଆ ଗ୍ରାମ। ସେ ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ସହ ଭାରତଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ। ଏଥିସହ ଲବଣ ସତ୍ୟାଗ୍ରହରେ ଅଂଶଗ୍ରହଣ କରି ବ୍ରିଟିଶ ସରକାରଙ୍କ ଦ୍ବାରା ବନ୍ଦୀ ହୋଇ ବ୍ରହ୍ମପୁର ଜେଲ୍ରେ ୩ ମାସ ବନ୍ଦୀ ଜୀବନ କଟାଇ ଥିଲେ। ପରବର୍ତ୍ତି ସମୟରେ ସମାଜ ସେବାରେ ଜଡ଼ିତ ହେବାସହ ଗ୍ରାମରେ ଶ୍ରୀ ଅରବିନ୍ଦ ଶିକ୍ଷାନୁଷ୍ଠାନ ସ୍ଥାପନ କରି ଶିକ୍ଷାର ପ୍ରଚାର ପ୍ରସାର କରିଥିଲେ।
ଆଜି ତାଙ୍କ ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଏବଂ ପିଆରଓ, ବାଲେଶ୍ବର ଜିଲ୍ଲା ପ୍ରଶାସନ ପକ୍ଷରୁ ସିମୁଳିଆ ତହସିଲଦାର ରବିନାରାୟଣ ସାହୁ ପହଞ୍ଚି ଶେଷ ସମ୍ମାନ ଜଣାଇଥିଲେ। ପରେ ପରେ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ପୂର୍ବତମ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ଯୁବନେତା ନୀଳମାଧବ ପଣ୍ଡା, ବିଜେପି ରାଷ୍ଟୀୟ ଯୁବ ଉପାଧ୍ୟକ୍ଷ ଠାକୁର ରଣଜିତ ଦାସ, କୈଳାସ ଚନ୍ଦ୍ର ବାରିକ, ସମିତି ସଭ୍ୟ ବନମାଳୀ ବିଶ୍ବାଳ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ କମଳ, ଅରବିନ୍ଦ, ପଙ୍କଜ, ଝିଅ ମୀରାଲକ୍ଷ୍ମୀ ଏବଂ ସରୋଜିନୀଙ୍କ ସମେତ ଆତ୍ମୀୟ ସ୍ବଜନ ଉପସ୍ଥିତ ଥିଲେ। ପରେ ତାଙ୍କ ମରଶରୀରକୁ ଏକ ବିରାଟ ଶୋଭାଯାତ୍ରାରେ ତାଙ୍କ ଦ୍ବାର ପ୍ରତିଷ୍ଠିତ ଶ୍ରୀ ଅରବିନ୍ଦ ଶିକ୍ଷାଶ୍ରମକୁ ନିଆଯିବା ସହ ମାର୍କୋଣା ବଜାର ପରିକ୍ରମା କରାଯାଇଥିଲା। ଶବ ଶୋଭାଯାତ୍ରା ପରେ ସିମୁଳିଆ ପୁଲିସ ପକ୍ଷରୁ ଥାନା ଅଧିକାରୀ ସଞ୍ଜୟ କୁମାର ପରିଡ଼ାଙ୍କ ନେତୃତ୍ବରେ ଗାର୍ଡ ଅଫ୍ ଅନର ଦିଆଯାଇ ଥିଲା। ଶେଷରେ ରାଷ୍ଟୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ବହୁ ସଂଖ୍ୟାରେ ବୁଦ୍ଧିଜୀବୀ, ସାମ୍ବାଦିକ, ସମାଜସେବୀ, ରାଜନେତା ଓ ଜନସାଧାରଣ ଶେଷକୃତ୍ୟ ବେଳେ ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ପୂର୍ବବର୍ତ୍ତୀ ଖବର
ସ୍କୁଲ ହଷ୍ଟେଲରେ ମାନସିକ ନିର୍ଯାତନା ଅସହ୍ୟ ହେଲା ଜିଲ୍ଲାପାଳଙ୍କୁ ଭେଟିବାକୁ ଛାତ୍ରୀମାନେ ୨୦ କିମି ଚାଲିଲେ
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର