ଗୋଷ୍ଠୀବିବାଦରୁ ଯୁବକକୁ ହତ୍ୟା : ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ, ଉତ୍ତେଜନା, ପୁଲିସଗାଡ଼ିକୁ ଟେକାପଥର ମାଡ଼

ଆଗରପଡା-୧ : ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅନ୍ତର୍ଗତ ଚାରିଗାଁ ପଞ୍ଚାୟତରେ ଦୀର୍ଘ ଦିନ ହେଲା ଲାଗି ରହିଥିବା ଗୋଷ୍ଠୀ ବିବାଦ ଗତକାଲି ରାତିରେ ରକ୍ତାକ୍ତ ସଂଘର୍ଷର ରୂପ ନେଇଛି। ଏହି ଘଟଣାରେ ଜଣକର ମୁଣ୍ଡ ଗଡ଼ିଛି। ଗୋଟିଏ ଗୋଷ୍ଠୀର ଲୋକେ ଅପର ଗୋଷ୍ଠୀର ଜଣେ ଦଳିତ ଯୁବକ ସ୍ଥାନୀୟ ତେଲନଟି ଗାଁର ମୁରଲୀ ଯେନାଙ୍କୁ ହତ୍ୟାକରି କାଳୀମଣ୍ଡପ ନିକଟରେ ଫିଙ୍ଗି ଦେଇଛନ୍ତି। ଆଜି ସକାଳେ ଏହି ଘଟଣା ଜଣାପଡ଼ିବା ପରେ ଗାଁରେ ତୀବ୍ର ଉତ୍ତେଜନା ଲାଗି ରହିଛି। ଆଜି ପୁଲିସ ତଦନ୍ତ ପାଇଁ ଯାଇଥିବାବେଳେ ଉତ୍ତ୍ୟକ୍ତ ଲୋକେ ପୁଲିସ ଗାଡ଼ି ଉପରକୁ ଟେକା ପଥର ଫିଙ୍ଗିଛନ୍ତି। ଏହି ଘଟଣା ସମଗ୍ର ଆଗରପଡ଼ା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଆଜି ଭୋର ସମୟରେ ଗାଁ ଲୋକେ କାଳୀମଣ୍ଡପ ନିକଟରେ ମୁହଁ ମାଡ଼ି ପଡ଼ିିଥିବା ଅବସ୍ଥାରେ ମୁରଲୀଙ୍କ ଶବକୁ ଚିହ୍ନଟ କରିଥିଲେ। ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ପୁଲିସ ଖବର ପାଇ ବିଳମ୍ବରେ ପହଞ୍ଚବା ଯୋଗୁ ଲୋକେ ପୁଲିସ ଗାଡ଼ିିକୁ ଟେକାପଥର ମାଡ଼ କରିଥିଲେ। ତେବେ ଏହି ଘଟଣା ପରେ ବାଲିପୋଖରୀ ବଜାରର ସମସ୍ତ ଦୋକାନବଜାର ବନ୍ଦ ରହିବା ସହିତ ଉତ୍ତେଜନା ଲାଗିରହିଛି। ଘଟଣାସ୍ଥଳରୁ ପୁଲିସ ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ଏହି ହତ୍ୟାକାଣ୍ଡ ପାଇଁ ପୁଲିସ ଦାୟୀ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଠିକ୍‌ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ ଏପରି ଘଟି ନ ଥାନ୍ତା ବୋଲି ସେମାନେ କହିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରା ନ ଗଲେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ପରିବାର ଲୋକେ କହିଛନ୍ତି। ପରେ ଉଭୟ ପକ୍ଷରୁ ପୃଥକ୍‌ ଭାବେ ଥାନାରେ ୨ଟି ଏତାଲା ଦିଆଯାଇଛି।

ସମ୍ବନ୍ଧିତ ଖବର