ଭଦ୍ରକ: ଦୁର୍ଦ୍ଦାନ୍ତ ଅପରାଧୀ ବାପି ଗିରଫ

ବନ୍ଧୁକ-ଜୀବନ୍ତ ଗୁଳି ସମେତ ଅନ୍ୟାନ୍ୟ ସାମଗ୍ରୀ ଜବତ

ଭଦ୍ରକ: ଦୁର୍ଦ୍ଦାନ୍ତ ଅପରାଧୀ ମନୋରଞ୍ଜନ ପାଣି ଓରଫ ବାପି(୩୨)କୁ ଭଦ୍ରକ ଟାଉନ ଥାନା ପୁଲିସ ରବିବାର ଭୋରରୁ ଗିରଫ କରିଛି। ବାପିର ଘର ବାସୁଦେବପୁର ଥାନା ଅନ୍ତର୍ଗତ ଚଣ୍ଡିଆଓଳ ଛକ ନିକଟରେ। ଟାଉନ ଥାନା ଆଇଆଇସି ମନୋଜ ରାଉତଙ୍କ ସୂଚନା ମୁତାବକ ପୁଲିସ ରାତି ପେଟ୍ରୋଲିଂ ସାରି ଫେରୁଥିବା ବେଳେ ମନୋରଞ୍ଜନ ନୂଆ ବସ ଷ୍ଟାଣ୍ଡରୁ ତରବରିଆ ଭାବରେ ପଳାଇବାକୁ ଉଦ୍ୟମ କରୁଥିଲେ ହେଁ, ସେ ବିଫଳ ହୋଇଥିଲା।

ଆଇଆଇସି ରାଉତ କହିଛନ୍ତି, ବାପି ନାମରେ ଭଦ୍ରକ, ବାଲେଶ୍ୱର, ସମ୍ବଲପୁର, ଦେବଗଡ଼, ଗଞ୍ଜାମ ଆଦି ଥାନାରେ ପ୍ରାୟ ୧୫ରୁ ଉର୍ଦ୍ଧ୍ୱ ଅପରାଧୀକ ମାମଲା ରହିଛି। ତା’ ସହିତ ଏକ ଅନ୍ତଃ ରାଜ୍ୟ ଗ୍ୟାଙ୍ଗ କାମ କରୁଥିଲେ ମଧ୍ୟ ପୁଲିସ ଆଗରେ ସେ ସ୍ପଷ୍ଟ କରୁ ନାହିଁ। ଭଦ୍ରକ ଓ ବାଲେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ରାଣୀତାଲସ୍ଥିତ ମା’ ତାରିଣୀ ଜୁଏଲର୍ସରୁ ୩ ବର୍ଷ ତଳେ ହୋଇଥିବା ଲୁଟର ମାଷ୍ଟର ମାଇଣ୍ଡ ଥିଲା ବାପି।

ପୁଲିସ ଏକ ବିଦେଶୀ ବନ୍ଧୁକ, ୨ଟି ଜୀବନ୍ତ ଗୁଳି, ୧୯,୦୦୦ ଟଙ୍କା, ୫ଟି ମୋବାଇଲ, ବ୍ୟାଙ୍କ ପାସ୍‌ବୁକ୍‌, ଏଟିଏମ୍‌, ଭୂଜାଲି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି। ଚୋରି, ଲୁଟ, ରାହଜାନୀ ଆଦି ଘଟଣା ସହିତ ଜଡ଼ିତ ଥିବା ବାପି ବିରୋଧରେ ୩୫୩/୧୭ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର