ଜମିବାଡ଼ି ବିବାଦରୁ ହତ୍ୟାକାଣ୍ଡ: ସମ୍ପର୍କୀୟ ଭାଇ ମୃତ

ତିହିଡ଼ି : ଜମିବାଡ଼ି ବିବାଦକୁ ନେଇ ଆଜି ତିହିଡ଼ି ଥାନା ସାହାପୁର ପଞ୍ଚାୟତ ଅଧୀନ ଗୋକୁଳପୁର ଗାଁରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଯାଇଛି। ଜଣେ ଯୁବକଙ୍କ ଭୁଜାଲି ମାଡ଼ରେ ସମ୍ପର୍କୀୟ ଭାଇ ପଦ୍ମଲୋଚନ ତରେଇ(୬୦) ପ୍ରାଣ ହରାଇଥିବାବେଳେ ତାଙ୍କ ପୁଅ ଉମାକାନ୍ତ ତରେଇ(୩୦) ଗୁରୁତର ଆହତ ହୋଇଛନ୍ତି। ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇ ଯାଇଥିବାବେଳେ ପରିବାରର ୨ ଜଣ ମହିଳାଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି।

ଗୋକୁଳପୁର ଗାଁର ପଦ୍ମଲୋଚନ ତରେଇ(୬୦) ଓ ନିରଞ୍ଜନ ତରେଇ ପରିବାର ମଧ୍ୟରେ ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା। ଆଜି ଦିନ ପ୍ରାୟ ୯ ଟା ବେଳେ ପଦ୍ମଲୋଚନ ଓ ତାଙ୍କ ପୁଅ ଉମାକାନ୍ତ(୩୦) ବଜାର ଯିବା ଲାଗି ଘରୁ ବାହାରିଥିଲେ। ଏତିକିବେଳ ଘରପାଖ ପୋଖରୀ ନିକଟରେ ଅପେକ୍ଷା କରିଥିବା ଘନଶ୍ୟାମ ତରେଇଙ୍କ ପୁଅ ନିରଞ୍ଜନ, ପୁଅ ବାସୁଦବ, ମାଆ ଜେମାମଣି, ସ୍ତ୍ରୀ ପାର୍ବତୀ ଓ ବୋହୁ ଜିନା ପ୍ରମୁଖ ସଂଘବଦ୍ଧ ଭାବେ ସେମାନଙ୍କୁ ଆକ୍ରମଣ କରିଥିଲେ। ଗ୍ରାମର କେତେକ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ପଦ୍ମଲୋଚନଙ୍କୁ ମୃତ ଘୋଷଣା କରିବା ସହ ସଂକଟାପନ୍ନ ଅବସ୍ଥାରେ ଥିବା ଉମାକାନ୍ତଙ୍କୁ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରିଥିଲେ।

ସମ୍ବନ୍ଧିତ ଖବର