ଧାମରା ବିମାନ ବନ୍ଦର ପାଇଁ ଆବଶ୍ୟକ ୫ ଶହ ଏକର ଜମି, ଖର୍ଚ୍ଚ ହେବ ୫ ଶହ କୋଟି 

୪ଶହ ଏକର ଅଛି  ଶହେ ଏକର ଜମି ଖୋଜୁଛି ଆଦାନି  

ଭଦ୍ରକ: ଧାମରା ବନ୍ଦରକୁ ଆଦାନି ନେବା ପରେ ଏହାକୁ କମ୍ପାନି ଏକ  ବିଶ୍ୱସ୍ତରୀୟ ବନ୍ଦର କରିବା ପାଇଁ  କ୍ଷେତ୍ର ପ୍ରସ୍ତୁତ କରୁଛି। ସେଥିପା‌ଇଁ ବନ୍ଦରର କଳେବର ବୃଦ୍ଧି ସାଙ୍ଗକୁ ଏହାରବିକାଶ କରିବା‌ ସହ ଏ ଅଞ୍ଚଳକୁ ଦ୍ରୁତ ସହରୀକରଣ କରିବା ପାଇଁ  ସ୍ବତନ୍ତ୍ର ମାଷ୍ଟରପ୍ଲାନ ଗତ ଦୁଇ ବର୍ଷ ତଳୁ ଶେଷ ହୋଇଛି। ଧାମରାକୁ ଏକ ଏନଏସି ଭାବେ ଘୋଷଣା କରାଯିବା ଉପରେ ମଧ୍ୟ ଅଞ୍ଚଳବାସୀ ଦାବି ଉଠାଇ ଆସୁଛନ୍ତି। ଏଠାରେ ବାଣିଜ୍ୟିକ କାରବାର ବୃଦ୍ଧି ହେବା ସହ ଅନ୍ୟ କମ୍ପାନିମାନଙ୍କୁ ଧାମରା ମୁହା୍ଁ କରିବାକୁ ହେଲେ ଧାମରାଠାରେ ଏକ ବିମାନ ବନ୍ଦରର ଆବଶ୍ୟକତା ରହିଛି। ଏଠାରେ  ବିମାନ ବନ୍ଦର ନିର୍ମାଣ ପାଇଁ ଆଦାନି ମନ ବଳାଇଥିବା ବେଳେ ଏଥିପାଇଁ ସେ ୫ ଶହ କୋଟି ଟଙ୍କା ଖର୍ଚ୍ଚ ହେବ । ଏଇ  ଟଙ୍କା ଆଦାନି ଖର୍ଚ୍ଚ କରିବ ବୋଲି କହିଛି।  ଭୁବନେଶ୍ୱରଠାରେ ହୋଇଥିବା ମେକ୍ଇନ୍ ଓଡ଼ିଶା ସମାବେଶରେ ଆଦାନି ଏଭଳି ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଇଛି। ପ୍ରକଳ୍ପ ପାଇଁ ୫ ଶହ ଏକର ଜମିର ଆବଶ୍ୟକତା ରହିଛି।  

ଜିଲ୍ଲା ପ୍ରଶାସନ  ୪୦୪ ଏକର ଜମି ଅଧିଗ୍ରହଣ କରି ରଖିଛି।  ଏଥିପାଇଁ ଆଉ ୧୦୦ ଏକର ଜମିର ଆବଶ୍ୟକତା ରହିଛି। ଏଇ ଶହେ ଏକର ଜମି ଅଧିଗ୍ରହଣ ହୋଇପାରିଲେ। ଏୟାର ପୋର୍ଟ ପାଇଁ   ଆବଶ୍ୟକତା ପଡୁଥିବା ୫ ଶହ ଏକର ଜମି ହୋଇଯିବ। ଆଦାନିକୁ   ଜିଲ୍ଲା ପ୍ରଶାସନ ୫ ଶହ ଏକର ଜମି ହସ୍ତାନ୍ତର କଲେ ଖୁବ୍ ଶୀଘ୍ର ଧାମରାଠାରେ ଏୟାର ପୋର୍ଟ ନିର୍ମାଣ ହୋଇପାରନ୍ତା।  ଏଇ କାର୍ଯ୍ୟ ଆରମ୍ଭ କଲେ ଦେଢ ବର୍ଷ ଭିତରେ ଶେଷ କରିହେବ ବୋଲି ଆଦାନି କହିଛି। ଧାମରାରେ ବାଣିଜ୍ୟିକ ଶିଳ୍ପ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଏଠାରେ ବିକାଶ ପାଇଁ ଏଭଳି ଗୋଲାପୀ ଚିତ୍ର ଆଦାନି ଦେଖାଇଛି। ରାଜ୍ୟ ସରକାର ଧାମରାଠାରେ ବିମାନବନ୍ଦର ପ୍ରତିଷ୍ଠା କରିବା ପାଇଁ ପ୍ରାୟ ଏକ ବର୍ଷ ହେଲା ଯୋଜନା ପ୍ରସ୍ତୁତ କରିଥିଲେ ମଧ୍ୟ ସରକାରଙ୍କର ଏଇ ଯୋଜନାର ରୂପରେଖ କିଛି ପ୍ରସ୍ତୁତ ହୋଇ ପାରି ନାହିଁ। କିଏ ଏଠାରେ ବିମାନ ବନ୍ଦର ପ୍ରତିଷ୍ଠା କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବ ତାହାକୁ ନେଇ ମଧ୍ୟ ରାଜ୍ୟ ସରକାର କିଛି ନିଷ୍ପତ୍ତି ନେଇ ପାରି ନଥିଲେ।

ଆଦାନି ଏଭଳି ଏକ ପ୍ରସ୍ତାବ ନିଜ ଆଡୁ ଦେଉଛି। ତେବେ ଏଥିରେ ସରକାର ସହଯୋଗ କରିବାର ଆବଶ୍ୟକତା ରହିଛି। ମେକ୍ଇନ୍ ଓଡ଼ିଶା ସମାବେଶରେ ଆଦାନି ଗ୍ରୁପ୍ର  ପ୍ରତିନିଧି ଭାବେ କରନ୍ ଆଦାନି ଯୋଗାଇ ରାଜ୍ୟ ସରକାରଙ୍କୁ ଏଭଳି ପ୍ରସ୍ତାବ ଦେଇଛନ୍ତି। ମିଳିଥିବା ସୂଚନାରୁ ପ୍ରକାଶ ଯେ, ବିମାନ ଘାଟି ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ  ଧାମରା ଅଞ୍ଚଳରେ ଯେଉଁ ତିନୋଟି ଗାଁରେ ସରକାରୀ ଓ ବେସରକାରୀ ଜମି ଚିହ୍ନଟ କରି ଅଧିଗ୍ରହଣ କରିଥିଲା। ସେ ଜମିର ଲମ୍ବ ୩.୫ କିଲୋମିଟର ହୋଇଥିବା ବେଳେ ଏହାର ଓସାର  ୩ ଶହ ମିଟର ରହିଛି। ଏଇ ପରିମାଣର ଜମିରେ ବନ୍ଦର ହୋଇପାରିବ ନାହିଁ। ଏଥିପାଇଁ ଆହୁରି ଜମିର ଆବଶ୍ୟକ ରହିଛି।

କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ରାଜ୍ୟ ସରକାରଙ୍କୁ  ଧାମରାଠାରେ ବିମାନ ବନ୍ଦର ପ୍ରତିଷ୍ଠା ପାଇଁ ପ୍ରସ୍ତାବ ଦେବା ପରେ ଏଇ ପ୍ରକ୍ରିୟା ହୋଇଥିଲା। ଏବେ  ଆଦାନି ଏଠାରେ ବିମାନ ବନ୍ଦର କରିବା ପାଇଁ ସବୁ ଟଙ୍କା ଖର୍ଚ୍ଚ କରିବ ବୋଲି ସ୍ବୀକାର କରିବା ପରେ ଏବେ ମୁଖ୍ୟ ସମସ୍ୟା ରହିଛି ଜମି ଅଧିଗ୍ରହଣ କ୍ଷେତ୍ରରେ। ଜିଲ୍ଲା ପ୍ରଶାସନ  ଜମି ଅଧିଗ୍ରହଣ ପ୍ରକ୍ରିୟା ପରେ ଆଦାନି ଗ୍ରୁପ୍ ପକ୍ଷରୁ ବିମାନ ବନ୍ଦର କାର୍ଯ୍ୟ ନିର୍ମାଣ ପାଇଁ  ଆଗକୁ ବଢିବ ବୋଲି ସୂଚନା ମିଳିଛି।

 

 

 

ସମ୍ବନ୍ଧିତ ଖବର