ସାପ କାମୁଡ଼ାରେ ଚାଷୀ ମୃତ

ଭଦ୍ରକ: ସାପ କାମୁଡ଼ାରେ ଗୁରୁବାର ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ପିରିପୁର ଗ୍ରାମର ନକୁଳ ଜେନା ଏହି ଘଟଣାର ଶିକାର ହୋଇଛନ୍ତି। ସୂଚନା ଅନୁସାରେ ନକୁଳ ଆଜି ବିଲରୁ କାମ ସାରି ମଧ୍ୟାହ୍ନରେ ଘରକୁ ଫେରିଥିଲେ। ମଧ୍ୟାହ୍ନ ଭୋଜନ ବେଳେ ସେ ଗୋଟିଏ ହାତକୁ ଅଜାଣତରେ ମାଟି ଘର ଚଟାଣ ଉପରେ ରଖିଥିବା ବେଳେ ଅନ୍ୟ ହାତରେ ଖାଉଥିଲେ। ଭାଗ୍ୟ ଖରାପ ଥିବାରୁ ଗାତ ଭିତରେ ଥିବା ଏକ ରଣା ସାପ କାମୁଡ଼ି ଦେଇଥିଲା। ତାଙ୍କୁ ବାନ୍ତି ହେବାରୁ ପରିବାର ଲୋକେ ହଠାତ ତାଙ୍କୁ ଭଣ୍ଡାରୀପୋଖରୀ ଉପଖଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସ୍ୱାସ୍ଥ୍ୟାବସ୍ଥାରେ ନକୁଳଙ୍କର କୌଣସି ଉନ୍ନତି ହୋଇ ନଥିଲା। ତେଣୁ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ନକୁଳଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର