ଚାନ୍ଦବାଲିରେ ପେଟ୍ରୋଲ ଦର ୧୦୦ ଟଙ୍କା, ୩ଟି ପେଟ୍ରୋଲ ପମ୍ପ ବନ୍ଦ

କଳା ବଜାରିଙ୍କୁ ଲାଭ, କ୍ଷତି ସହୁଛନ୍ତି ଗ୍ରାହକ

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଶନିବାର ପେଟ୍ରୋଲ ଲିଟର ୧୦୦ ଟଙ୍କାରେ ବିକ୍ରି ହେଉଛି। ମାର୍କେଟ ଉପରେ ଥବା ଇଣ୍ଡିଆନ୍‌ ଅଏଲ କର୍ପୋରେସନର ପେଟ୍ରୋଲ ପମ୍ପରେ ଡିସେମ୍ବର ୬ରୁ ୯ ପର୍ଯ୍ୟନ୍ତ ପେଟ୍ରୋଲ ଲିଟର ପ୍ରତି ୩ ପଇସା ଅଧିକ ଦରରେ ବିକ୍ରି ହୋଇଥିଲା। ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଥିଲା। ଏ ନେଇ ଅଭିଯୋଗ ହେବା ପରେ କମ୍ପାନି ପକ୍ଷରୁ ସଂପୃକ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କରି ଦିଆଯାଇଛି।

ଏହି ପେଟ୍ରୋଲ ପମ୍ପ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଜଣାପଡ଼ିଛି। ସହରର କାଳି ମନ୍ଦିର ପଛ ପଟରେ ଥିବା ହିନ୍ଦୁସ୍ଥାନ ପେଟ୍ରୋଲ ପମ୍ପ ଓ କାଳି ମନ୍ଦିର ନିକଟରେ ଥିବା ଭାରତ ପେଟ୍ରୋଲ ପମ୍ପ ମଧ୍ୟ ଗତ କାଲିଠାରୁ ବନ୍ଦ ଥିବା ବେଳେ ବେପାରିମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ବେପାରିମାନେ ୭ କିଲୋମିଟର ଦୂରରେ ଥିବା କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପେଟ୍ରୋଲ ପମ୍ପ ଅଥବା ୪୦ କିଲୋମିଟର ଦୂରରୁ ପେଟ୍ରୋଲ  ଆଣି ବିକ୍ରି କରୁଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, କଟକରୁ ଚାନ୍ଦବାଲି ଦେଇ ଭଦ୍ରକକୁ ଦୈନିକ ଶହ ଶହ ଯାନବାହାନ ଯାତାୟତ କରୁଛି। ଚାନ୍ଦବାଲିରେ ଏବେ ୩ଟି ଯାକ ପେଟ୍ରୋଲ ପମ୍ପ ବନ୍ଦ ହୋଇ ଯାଇଥିବାରୁ ଗ୍ରାହକଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡୁଛି।

 

ସମ୍ବନ୍ଧିତ ଖବର