ଖେଳପଡ଼ିଆ କାର୍ଯ୍ୟାଦେଶକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟଣା:ସରପଞ୍ଚଙ୍କ ପୁଅ ଗିରଫ, ତଦନ୍ତ ଆରମ୍ଭ

ଭଦ୍ରକ: ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଆର୍ଏନ୍ ବେତଡ଼ା ପଞ୍ଚାୟତ ଗୋହିରାଣୀ ଗ୍ରାମରେ ଗତକାଲି ‌ହତ୍ୟାକାଣ୍ଡ ଘଟିଥିଲା। ଖେଳପିଡ଼ଆ ନିର୍ମ‌ାଣ ପାଇଁ ଦିଆଯାଇଥିବା କାର୍ଯ୍ୟାଦେଶକୁ ନେଇ ପୂର୍ବରୁ ଥିବା ବିବାଦରୁ ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିବ‌ା ସହ ପ୍ରତିପକ୍ଷ ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମ‌ାନେ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣି ହତ୍ୟା କରିଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ସେହିପରି ଏକ ସ୍ବତନ୍ତ୍ର ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ; ଭଦ୍ରକ ବ୍ଲକ୍‌ ଅନ୍ତର୍ଗତ ଆର୍‌ଏନ୍‌ ବେତଡ଼ା ପଞ୍ଚାୟତର ଗୋହିରାଣୀ ଗ୍ରାମରେ ଏକ ଖେଳପଡ଼ିଆ ନିର୍ମାଣ ପାଇଁ ୩ ଲକ୍ଷ ୫୦ ହଜାର ଟଙ୍କା ମଂଜୁର ହୋଇଥିଲା। ଏହାର କାର୍ଯ୍ୟାଦେଶ ସମ୍ପୃକ୍ତ ଗ୍ରାମର ବୃନ୍ଦାବନ ସେଠୀଙ୍କୁ ଦିଆଯାଇଥିଲା। କାର୍ଯ୍ୟାଦେଶକୁ ସ୍ଥାନୀୟ ପଞ୍ଚାୟତର ସରପଞ୍ଚ ବିମ୍ବାଧର ଦାସଙ୍କ ପୁଅ ଦେବାଶିଷ ଦାସ ଓ କିଛି ସମର୍ଥକ ବିରୋଧ କରିବା ସହ ସେମାନେ ଉକ୍ତ କାମ କରିବାକୁ ଅଡ଼ିବସିଥିଲେ। କାମ କରିବାକୁ ନେଇ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ହୋଇଯାଇଥିଲା। ଦେବାଶିଷ ଓ ତାଙ୍କର ସମର୍ଥକମାନେ ବୃନ୍ଦାବନଙ୍କ ସହ ତାଙ୍କର ସଂପର୍କୀୟ ଭାଇ ଲୋକନାଥ ତଥା ଅନ୍ୟ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଲୋକନାଥ ହାବୁଡ଼ରେ ପଡ଼ିଯିବାରୁ ପ୍ରତିପକ୍ଷ ତାଙ୍କୁ ଭୁଜାଲିରେ ନିର୍ମମ ଭାବେ ହାଣି ହତ୍ୟା କରିଥିଲେ। ସେହିପରି ଉଭୟ ପକ୍ଷର ଅନ୍ୟ ୫ ଜଣ ମଧ୍ୟ ଗୁରୁତର ଆହତ ହୋଇଥିଲେ। ଏନେଇ ଗ୍ରାମାଞ୍ଚଳ ଥାନାରେ ୨୦ ଜଣଙ୍କ ନାମରେ ୬୦୦/୧୮ ନମ୍ବରର ଏକ ମାମଲା ରୁଜୁ ହୋଇଥିଲା।
ତେ‌େବ ଆଜି ଘଟଣାକୁ ନେଇ ପୁଲିସ ବିଭାଗ ତତ୍ପରତା ଦେଖାଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ କସରତ ଆରମ୍ଭ କରିଥିବା ବେଳେ ସଂପୃକ୍ତ ସରପଞ୍ଚଙ୍କ ପୁଅ ଦେବାଶିଷଙ୍କୁ ଗିରଫ କରାଯାଇଛି। ସେହିପରି ବାଲେଶ୍ବରରୁ ଏକ ସ୍ବତନ୍ତ୍ର ସାଇଣ୍ଟିଫିକ୍ ଟିମ୍‌ ଗ୍ରାମରେ ପହଂଚିଛି। ସେଠାରେ ଟିମ୍‌ ପଚରାଉଚରା କରିବା ସହ ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୁକ୍ତମାନେ ଗତକାଲିଠାରୁ ଫେରାର୍‌ ଥିବା ବେଳେ ସେମାନଙ୍କୁ ଗିରଫ କରିବାକୁ ଟିମ୍‌ ପକ୍ଷରୁ ଗ୍ରାଉଣ୍ଡ ଜିରୋ ତଥ୍ୟ ସଂଗ୍ରହ କରାଯାଇଛି। ଅନ୍ୟପଟେ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଘଟଣାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ପୁଲିସ ଟିମ୍ ମଧ୍ୟ ଗଠନ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର