ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ଲୁଟ୍‌ ପରେ ହତ୍ୟା

ବାସୁଦେବପୁର : ଭଦ୍ରକ ଜିଲ୍ଲାର ବାସୁଦେବପୁର-ଧାମରା ରାସ୍ତାର ପାରାପୋଖରୀ ଘୋଷରା ନିକଟରେ ଜଣେ ଲୁଗା ଦୋକାନ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ପରେ ହତ୍ୟା କରାଯାଇଛି। ମୃତକ ଜଣକ ଭଦ୍ରକ ସହରର ପ୍ରତିଷ୍ଠିତ ଲୁଗା ବ୍ୟବସାୟୀ ବିଳାସ ରାୟ ବନହରୀ ଲାଲ୍‌ଙ୍କ କର୍ମଚାରୀ ନିରଞ୍ଜନ ସ୍ୱାଇଁ ବୋଲି ଜଣାପଡିଛି।

ଘଟଣାରୁ ଜଣାଯାଇଛି, ନିରଞ୍ଜନ ଗତକାଲି ବାସୁଦେବପୁର ସମେତ ଧାମରା ଅଞ୍ଚଳକୁ ଲୁଗା ଦୋକାନର ବକେୟ ଅର୍ଥ ଆଦାୟ କରିବାକୁ ଆସିଥିଲା। ସନ୍ଧ୍ୟା ପରେ ନିରଞ୍ଜନ ଭଦ୍ରକକୁ ନ ଫେରିବାରୁ ମାଲିକ ବନହରୀ ଲାଲ୍‌ଙ୍କ ସମେତ ଅନ୍ୟ କର୍ମଚାରୀମାନେ ଖୋଜାଖୋଜି କରିଥିଲେ। ଆଜି ସକାଳେ ବାସୁଦେବପୁର-ଧାମରା ରାସ୍ତାର ପାରାପୋଖରୀ ଘୋଷରା ନିକଟରେ ସ୍ଥାନୀୟ ଲୋକେ ଜଣେ ଅଚିହ୍ନା ଯୁବକର ରକ୍ତାକ୍ତ ମୃତଦେହ ଠାବ କରି ପୁଲିସକୁ ସୂଚନା ଦେଇଥିଲେ। ପରବର୍ତ୍ତୀ ସମୟରେ ମୃତକ ଜଣକ ନିରଞ୍ଜନ ବୋଲି ଜଣାପଡିଥିଲା।

ପ୍ରାଥମିକ ତଦନ୍ତରୁ ଜଣାଯାଇଥିଲା ଯେ, ଦୁର୍ବୃତ୍ତମାନେ ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ଅତି ନୃଶଂସ ଭାବେ ହତ୍ୟା କରି ରାସ୍ତା କଡକୁ ଫିଙ୍ଗି ଦେଇଥିଲେ। ଏହି ଘଟଣା ଜିଲ୍ଲା ବ୍ୟାପି ଆଲୋଡନ ସୃଷ୍ଟି ହେବା ପରେ ବାସୁଦେବପୁର ଥାନା ଅଧିକାରୀ, ଏସପି ଅନୁପ କୁମାର ସାହୁ, ମାଜିଷ୍ଟ୍ରେଟ ଭାବେ ସ୍ଥାନୀୟ ତହସିଲଦାର ଗୋପୀନାଥ କୁଅଁର, ଅନ୍ୟ ପୁଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅପରାଧୀମାନଙ୍କ ଗତିବିଧି ଉପରେ ନଜର ରଖିଥିଲେ। ସନ୍ଧାନୀ କୁକୁର, ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ କରିଥିଲେ ବି ଅପରାଧୀମାନଙ୍କର କୌଣସି ସୁରାକ୍‌ ମିଳି ନଥିଲା।

ଘଟଣାସ୍ଥଳରେ ପୁଲିସ ବିଳମ୍ବରେ ପହଞ୍ଚିବା ଓ ବାସୁଦେବପୁରରେ ଦିନକୁ ଦିନ ଘଟୁଥିବା ବିଭିନ୍ନ ଅପରାଧିକ ଘଟଣାର କୌଣସି ଅପରାଧୀମାନଙ୍କୁ ଠାବ କରିବାରେ ପୁଲିସର ବିଫଳତାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। କିଛି ସମୟ ପାଇଁ ଧାମରା-ବାସୁଦେବପୁର ରାସ୍ତାକୁ ଅବରୋଧ କରିବା ସହ ହୋ ହାଲ୍ଲା କରିଥିଲେ। ଖବର ପାଇ ନିରଞ୍ଜନର ପରିବାର ପହଞ୍ଚି ଅଭିଯୋଗ କରିବା ପରେ ସ୍ଥାନୀୟ କଶିଆ ସାମୁଦ୍ରିକ ପୁଲିସ ଏକ ମାମଲା ରୁଜୁ କରି ଶବଟିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର