ଭିଜିଲାନ୍ସ ଜାଲରେ କୋଟିପତି କ୍ୟାସିୟର

ବାଲେଶ୍ୱର/ତିହିଡ଼ି : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଜଣେ କୋଟିପତି ସରକାରୀ କର୍ମଚାରୀ। ଆଜି ସକାଳୁ ବାଲେଶ୍ୱର ଭିଜିଲାନ ଟିମ୍‌ ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ କ୍ୟାସିଅର ପ୍ରଭାକର ପ୍ରଧାନଙ୍କ ସରକାରୀ କ୍ୱାର୍ଟର୍ସ ଓ କାର୍ଯ୍ୟାଳୟରେ ଚଢ଼ଉ କରିଛି। ଶ୍ରୀ ପ୍ରଧାନ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ କାବୁ କରି ଅଟକା ଯାଇଥିଲା। ଭିଜିଲାନ୍ସ ଏସପି ସୁନୀଲ କୁମାର ସେନାପତିଙ୍କ ନିର୍ଦେଶରେ ଟିମ୍‌ ଶ୍ରୀ ପ୍ରଧାନଙ୍କ ସମ୍ପୃକ୍ତି ଥିବା ଅନ୍ୟ ୪ଟି ସ୍ଥାନରେ ମଧ୍ୟ ଚଢ଼ଉ କରିଛି। ବାଲେଶ୍ୱର ରାଣୀପାଟଣାସ୍ଥିତ ତାଙ୍କ ଘର ଓ ନିକଟରେ ନିର୍ମାଣାଧିନ ୩ ମହଲା ଘର, ସଦର ଥାନା ଅଧୀନ ବଇଁଚାସ୍ଥିତ ପୈତୃକ ଘର ଓ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ନଛିପୁରର ତାଙ୍କ ଶ୍ୱଶୂର ଘର ଉପରେ ଚଢ଼ଉ କରାଯାଇଛି। ଚଢ଼ଉ ବେଳେ ଘର, ଜମିବାଡ଼ି କାଗଜପତ୍ର, ବ୍ୟାଙ୍କ ଜମା ଓ ଜୁଏଲାରୀ ସାମଗ୍ରୀ ଆଦି ଆକଳନ କରାଯାଇଛି। ଶ୍ରୀ ପ୍ରଧାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଥିବା ଭିଜିଲାନ୍ସ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର