୬୫ ହଜାର ଟଙ୍କା ଦେଇ ମୋଟରସାଇକେଲ କିଣିଲେ ଦାନ ମାଝି

କଳାହାଣ୍ଡି: ଦିନେ ଅର୍ଥାଭାବ ଯୋଗୁଁ ସ୍ତ୍ରୀର ମୃତଦେହକୁ ୧୦କିମି କାନ୍ଧେଇ କାନ୍ଧେଇ ଚାଲିଥିବା  ଦାନ ମାଝୀଙ୍କ ପରିସ୍ଥିତି ବଦଳିଛି।   ମଙ୍ଗଳବାର ଭବାନୀଟପାଟଣାର ଏକ ବାଇକ ସୋ-ରୁମରୁ ଦାନମାଝି ୬୫ ହଜାର ଟଙ୍କା ଦେଇ ଏକ ମୋଟରସାଇକେଲ କିଣିଛନ୍ତି। ବାଇକ କିଣିବା ବେଳେ ଦାନ ମାଝୀ କହିଥିଲେ, ‘ମୁଁ ନିଜ ସୁବିଧା ପାଇଁ ଏହି ବାଇକ କିଣୁଛି ।

ଏହାରି ଭିତରେ ଦାନ ମାଝୀ ପୁଣି ଥରେ ବିବାହ କରିସାରିଛନ୍ତି । ରାୟଗଡ଼ା କାଶିପୁରର ଆଲମତୀ ଦେଈ ଦାନଙ୍କ ତୃତୀୟ ପତ୍ନୀ । ତାଙ୍କର ଦେଖାଶୁଣା ଓ ଘର କାମ ପାଇଁ ତୃତୀୟ ବିବାହ କରୁଥିବା ସେହି ସମୟରେ କହିଥିଲେ ଦାନ ମାଝୀ । ତାଙ୍କର ପ୍ରଥମ ଦୁଇ ପତ୍ନୀ ଯକ୍ଷ୍ମା ରୋଗରେ ପଡି ହୋଇ ମୃତ୍ୟୁବରଣ କରିଥିଲେ। ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ନେବା ଘଟଣାକୁ ନେଇ ସେ ବେଶ ଚର୍ଚ୍ଚା ଭିତରକୁ ଆସିଥିଲେ । ପରେ ଭୁବନେଶ୍ୱର କିସ୍‌ ଆବାସିକ ବିଦ୍ୟାଳୟରେ ପାଠ ପଢୁଛନ୍ତି ତାଙ୍କର ୩ ଝିଅ । ଇନ୍ଦିରା ଆବାସ ଯୋଜନାରେ ଘର ତିଆରି କରିଛନ୍ତି ଦାନ ମାଝୀ ।

ଗରୀବିର ପୋଷ୍ଟର ବଏ ପାଲଟିଥିବା ଦାନ ମାଝୀଙ୍କୁ ସହାୟତାର ସୁଅ ଛୁଟିଥିଲା । ବାହାରିନ ପ୍ରଧାନମନ୍ତ୍ରୀଙ୍କ ଠାରୁ ୮ ଲକ୍ଷ ୮୭ ହଜାର ଟଙ୍କା, ସୁଲଭ ଇଂଟରନ୍ୟାସନାଲ ପକ୍ଷରୁ ୫ ଲକ୍ଷ ଟଙ୍କାର ଏକକାଳୀନ ସହାୟତା, ଦାନ ମାଝୀଙ୍କ ଝିଅ ଚାନ୍ଦିନୀକୁ ମାସିକ ୧୦ହଜାର ଲେଖାଏଁ ଟଙ୍କା, ମହାରାଷ୍ଟ୍ରର ଜଣେ ବ୍ୟକ୍ତି ଦେଇଛନ୍ତି ୮୦ ହଜାରରୁ ଅଧିକ ଟଙ୍କାର ଡିପୋଜିଟ, ଜିଲ୍ଲା ପ୍ରଶାସନ ପକ୍ଷରୁ ୩୦ ହଜାର ଟଙ୍କା ଓ ଚାଉଳ ବସ୍ତା, ଦାନ ମାଝୀଙ୍କ ପୁଅ ଝିଅଙ୍କୁ ରେସିଡେନସିଆଲ ଟ୍ରାଇବାଲ ସ୍କୁଲରେ ପଢିବାର ସୁଯୋଗ, ରିଚାର୍ଜେବୁଲ ସୋଲାର ବ୍ୟାଟେରୀ, ନ୍ୟାସନାଲ ଫ୍ୟାମିଲି ବେନିଫିଟ ସ୍କିମରେ ସାମିଲ କରାଇବାର ପ୍ରତିଶ୍ରୁତି ।

ଆଉ ଏହାରି ଭିତରେ କିନ୍ତୁ ଦାନ ମାଝୀଙ୍କର ଜୀବନଶୈଳୀ ସଂପୁର୍ଣ୍ଣ ଭାବେ ବଦଳିଯାଇଛି । ଘର ତୋଳିଛନ୍ତି, ପୁଣି ବାହା ହୋଇଛନ୍ତି ଆଉ ଏବେ ବାଇକ କିଣିଛନ୍ତି । ଦିନେ ଦାନ ମାଝୀ ଗରୀବିର ଚେହେରା ବନିଥିଲେ ହେଲେ ଆଜି ତାଙ୍କ ଅଞ୍ଚଳ ବିକାଶ ହୋଇଛି।

ସମ୍ବନ୍ଧିତ ଖବର