ଗଛକୁ ଶକ୍ତ ଧକ୍କା ଦେଲା ମୋଟର ସାଇକେଲ୍‌, ଜୀବନ ହାରିଲେ ଯୁବକ

ପାଇକସାହି: ଗଛକୁ ଶକ୍ତ ଧକ୍କା ଦେଇ ଆଜି ଜଣେ ମୋଟର ସାଇକେଲ ଚାଳକଙ୍କ ମୃତ୍ୟୁ ଘଟିଛି। ଅନୁଗୁଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ଦୀନବନ୍ଧୁପୁର ଗାଁରେ ବୁଧବାର ପୂର୍ବାହ୍ନରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ସରୋଜ ନାୟକ (୨୬)। ତାଙ୍କ ଘର ଅରଖକଟା ଗାଁ।

ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଅରଖକଟା ଗାଁର ବିରଞ୍ଚି ନାୟକଙ୍କ ପୁଅ ସରୋଜ ଠାକୁରଗଡ଼ ଆମ୍ବଶରମୁଣ୍ଡା ରାସ୍ତାରେ ମୋଟର ସାଇକେଲ୍‌ (ଓଡି ୧୯ଜେ-୩୦୧୪)ରେ ଯାଉଥିବା ବେଳେ ଅନିୟନ୍ତ୍ରିତ ହୋଇ ରାସ୍ତାକଡ଼ରେ ଥିବା ଏକ ଗଛକୁ ଧକ୍କା ଦେଇଥିଲେ।

ଦୁର୍ଘଟଣା ପରେ ସରୋଜକୁ ଠାକୁରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନା ପଠାଯାଇଛି। ସୂଚନା ପାଇଁ ଠାକୁରଗଡ଼ ଆଇଆଇସି ଗଗନ ନାୟକ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ମୋଟର ସାଇକେଲ୍‌କୁ ଜବତ କରି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର