ଅଡ଼ୁଆରେ ବିଜେଡି: ବିଷ୍ଣୁ-ରାଜଶ୍ରୀ ମୁହାଁମୁହିଁ

ସଂଖ୍ୟାଲଘୁ ନେତାଙ୍କ ଗିରଫ ଘଟଣା

ମୁନ୍ନା ଖାଁ କହିଲେ, ଇଏ ବିଜେଡି କଲିମୁଲ୍ଲା ନୁହନ୍ତି

ଜଗତସିଂହପୁର ଟାଉନ୍‍/ତିର୍ତ୍ତୋଲ: ରାଜ୍ୟ ବିଜେଡି ସଂଖ୍ୟାଲଘୁ ସେଲ୍‌ ସଂପାଦକ ଶେଖ୍‍ କଲିିମୁଲ୍ଲା ଓ ତାଙ୍କ ପୁତୁରାଙ୍କୁ ଗିରଫ ଘଟଣାରେ ବିଜେଡିରେ କମ୍ପନ୍ନ ସୃଷ୍ଟି ହୋଇଛି।  ଏହି ଘଟଣାରେ ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ମୁହାଁମୁହିଁ ହୋଇଛନ୍ତି। ଏପରିସ୍ଥଳେ,  ରାଜ୍ୟ ସଂଖ୍ୟାଲଘୁ ସେଲ୍‌ ସଭାପତି ମୁନ୍ନା ଖାଁ ଘଟଣାକୁ ଭିନ୍ନ ମୋଡ ଦେଇଛନ୍ତି। ଗିରଫ କଲିମୁଲ୍ଲା ବିଜେଡ଼ିର ନୁହନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଏହି ସଂଖ୍ୟାଲଘୁ ନେତାଙ୍କ ଗିରଫ ଘଟଣାକୁ ନେଇ ତମ୍ବିତୋଫାନ ସୃଷ୍ଟି ହୋଇଥିବାବେଳେ ନେତାଙ୍କ ମନ୍ତବ୍ୟ ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି।

ଏକ ବୋମାମାଡ଼ ଓ ଜାତିଆଣ ଆକ୍ଷେପ ଘଟଣାରେ ଶେଖ୍‍ କଲିିମୁଲ୍ଲା ଓ ତାଙ୍କ ପୁତୁରାଙ୍କୁ ଗିରଫ କରାଯାଇଛି।  ଗତକାଲି ପୁଲିସ୍‌ ଅଟକ ରଖି ପଚରାଉଚରା କରିଥିବାବେଳେ ଆଜି ଦୁହିଁଙ୍କୁ କୋର୍ଟଚାଲାଣ କରାଯାଇଛି। କଲିମୁଲ୍ଲା ବିଜେଡିର ଜଣେ କର୍ମକର୍ତ୍ତା ଓ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କ ସମର୍ଥକ ହୋଇଥିବାରୁ ଏହି ଘଟଣାକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଛି। ବିଶେଷକରି, ବିରୋଧୀମାନେ ବିଧାୟିକା ଶ୍ରୀମତୀ ମଲ୍ଲିକଙ୍କୁ ଟାର୍ଗେଟ୍‌ କରିଥିବା ଦେଖିବାକୁ ମିଳିଛି। କ୍ରିଷ୍ଣାନନ୍ଦପୁର ଫାଣ୍ଡିର ନୂତନ ଗୃହ ଉଦ୍‍ଘାଟନ ଉତ୍ସବରେ ବିଧାୟିକାଙ୍କ ସମେତ ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍‍ପି ଜୟନାରାୟଣ ପଙ୍କଜ, ତିର୍ତ୍ତୋଲ ଥାନା ଅଧିକାରୀ ବଳାରାମ ନାୟକଙ୍କ ସହିତ କଲ୍ଲିମୁଲ୍ଲା ମଧ୍ୟ ଉପସ୍ଥତି ଥିବା ଫଟୋ ଏବେ ଭାଇରାଲ୍‍ ହୋଇଛି। ଖାଲି ସେତିକି ନୁହେଁ ରାଜ୍ୟ ସଂଖ୍ୟା ଲଘୁ ସେଲ୍‍ର ସମ୍ପାଦକ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ନିବାସରେ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା, ବିଧାୟିକା ତାଙ୍କୁ ସମ୍ବର୍ଦ୍ଧନା ଦେବା, ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ବିଧାୟିକାଙ୍କ ପାଖରେ ରହିବା ଭଳି ଫଟୋ ମଧ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

କଲିମୁଲ୍ଲାଙ୍କ ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଦେଇଛନ୍ତି ରାଜ୍ୟ ସଂଖ୍ୟାଲଘୁ ସେଲ୍‍ର ସଭାପତି ମୁନ୍ନା ଖାଁ। ଗିରଫ ହୋଇଥିବା ହାଜି ଶେଖ୍‌ କଲିମୁଲ୍ଲା ଓ ବିଜେଡି ସଂଖ୍ୟାଲଘୁ ସେଲ୍‌ ସଂପାଦକ ଶେଖ୍‌ କଲିମୁଲ୍ଲା ଭିନ୍ନ ଲୋକ ବୋଲି ଶ୍ରୀ ଖାଁ କହିଛନ୍ତି। ଏପରିକି କିଛି ସମୟ ପୂର୍ବରୁ ସେ ତାଙ୍କ ସହ କଥା ହୋଇଛନ୍ତି ବୋଲି କହିଥିଲେ।

ତେବେ,  ଯଦି ଗିରଫ ହୋଇଥିବା ବ୍ୟକ୍ତି ସେ ଲୋକ ନୁହନ୍ତି ତେବେ ସଂଖ୍ୟାଲଘୁ ସେଲ୍‍ ଗଠିତ ହେବା ପରେ ଗିରଫ ହୋଇଥିବା କଲିିମୁଲ୍ଲା କାହିଁକି ନବୀନ ନିବାସ ଯାଇଥିଲେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଅପରପକ୍ଷେ, ବିଧାୟିକା ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ,  ‘କଲ୍ଲିମୁଲ୍ଲାଙ୍କୁ ଗିରଫ କରାଯାଇଥିବା ଘଟଣାର ସତ୍ୟାସତ୍ୟ ଏପର୍ଯ୍ୟନ୍ତ ମୁଁ ଜାଣିନି। ସେ କେତେଦୂର ଦୋଷୀ ଜଣା ପଡ଼ିନି। କିଏ କ’ଣ ଅପରାଧ କରି ବସିବ ସେ କଥା କହି ପାରୁନାହିଁ।’ ‘ ସେ ଆମର ଦଳୀୟ କର୍ମୀ ଥିଲେ। କିନ୍ତୁ ଧମକ ଦିଆଯାଇଥିବା ସ୍ୱର ତାଙ୍କ ସ୍ୱର ନୁହେଁ। ଆଇନ ତା ବାଟରେ ଯିବ। ମୋତେ ବଦନାମ କରିବା ପାଇଁ ଇର୍ଷାପରାୟଣ ହୋଇ ସମର୍ଥକମାନଙ୍କୁ ହଇରାଣ କରାଯାଉଛି। ବିଜେଡିର ଜଣେ ନେତା ତାଙ୍କ ପୁଅକୁ ପଠାଇ ଏଠାରେ ମୋ ବିରୋଧରେ କାର୍ଯ୍ୟକ୍ରମ କରୁଛନ୍ତି। ସେମାନେ ହିଁ ମୋତେ ଖାଲରେ ପକାଇବା ପାଇଁ ଏଭଳି ଚକ୍ରାନ୍ତ କରିଛନ୍ତି’ ବୋଲ ସେ କହିଛନ୍ତି।

ଅପରପକ୍ଷରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ସଭାପତି ବିଷ୍ଣୁ ଦାସ କହିଛନ୍ତି ଯେ, ‘କଲିମୁଲ୍ଲା ବିଜେଡିର କେଉଁ ପଦରେ ଅଛିି ତାହା ମୁଁ ଜାଣି ନାହିଁ। ହଁ, ସେ ଜଣେ ଅପରାଧୀ। ବିଭିନ୍ନ ଅପରାଧିକ ମାମଲାରେ ତାର ସଂପୃକ୍ତି ରହିଛି ବୋଲି ମୁଁ ଜାଣିଛି। ତା ନାମରେ ମର୍ଡର କେସ ମଧ୍ୟ ରହିଛି। ବିଧାୟିକାଙ୍କ ପାଇଁ ପୁଲିସ ତାଙ୍କୁ ଗିରଫ କରୁନଥିଲା। ବିଧାୟିକା ନିଜ ସମର୍ଥକ କହି ତାଙ୍କୁ ଘଣ୍ଟ ଘୋଡ଼ାଉଥିଲେ। ଏବେ ଚାପ ପଡ଼ିବାରୁ ଗିରଫ ହୋଇଥାଇପାରେ।  ମୋ ପୁଅ ଛାତ୍ର ରାଜନୀତିରେ ଅଛି। ମୁଁ ତାଙ୍କୁ  କାହିଁକି ପଠାଇବି। ଏଥିରେ ମୋର କୌଣସି ଭୂମିକା ନାହିଁ’ ବୋଲି ଶ୍ରୀ ଦାସ କହିଛନ୍ତି।

ତେବେ, ଶେଖ୍‌ କଲିମୁଲ୍ଲାଙ୍କ ଗିରଫ ଘଟଣା ଜଗତସିଂହପୁର ବିଜେଡିରେ ଭୂକମ୍ପ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର