ଆଇନଜୀବୀଙ୍କୁ ହତ୍ୟା ଧମକ ଦେବା ଘଟଣା: ୪ ଗିରଫ, ମାଉଜର ଜବତ

ନବରଙ୍ଗପୁର: ବ୍ୟବସାୟୀ ସୁନିଲ ସାହୁଙ୍କୁ ଅପହରଣ କରିବାରେ ସଫଳ ହେବା ପରେ, ଦୁର୍ବୃତ୍ତମାନେ ସେହି ପ୍ରକାରର ଧମକ ଦେଇ ଅର୍ଥ ଆଦାୟ ଆରମ୍ଭ କରିଛନ୍ତି। ଜଣେ ଆଇନଜୀବୀଙ୍କୁ ବନ୍ଧୁକ ମୁନରେ ଭୟ ଦେଖାଇ ଅପହରଣ ଧମକ ଓ ଲକ୍ଷାଧିକ ଟଙ୍କା ନେବା ଘଟଣାରେ ନବରଙ୍ଗପୁର ଥାନା ପୁଲିସ ପକ୍ଷରୁ ୪ ଜଣଙ୍କୁ ଗିରଫ କରିଛି। ଜଣେ ଆଇନଜୀବୀ ନିଜ ବାଇକକୁ ଜମି ହିଡରେ ଚାଷ କରୁଥିବା ବେଳେ ବାଇକକୁ ପ୍ରଥମେ ଉଠାଇ ନେବା ଓ ପରେ ବଟି ମାଗି ନେବା ପରେ ମଧ୍ୟ ଅଧିକ ଟଙ୍କା ମାଗିବା ଭଳି ଘଟଣାକୁ ନେଇ ଏସପି ନିତିନ କୁଶଲକର ଏହାର ଖୁଲାସା କରିଛନ୍ତି।

ଏସପି ନିତିନ କୁଶଲକର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଗତ ୪ ତାରିଖରେ ନନ୍ଦାହାଣ୍ଡି ବ୍ଲକର ବି.ମାଳିଗୁଡା ଗ୍ରାମର ଜଣେ ଆଇନଜୀବୀ ତାଙ୍କ ଜମି ନିକଟରେ ବାଇକ ରଖି ଚାଷ କରୁଥିଲେ। ଜମି ପାଖକୁ ୪ ଜଣ ଯୁବକ ଆସି ବାଇକ ଉଠାଇ ନେଇ ଶିବୁର ଘର ପାଖରେ ରଖିଥିଲେ। ପରେ ଆଇନଜୀବୀଙ୍କୁ ଫୋନ କରି କହିଥିଲେ, ସଂଧ୍ୟା ୫ଟାରେ ନିକଟସ୍ଥ ଏକ ଆମ୍ବତୋଟା ନିକଟକୁ ଆସିଲେ ବାଇକ ନେବୁ। ଆଇନଜୀବୀ ତାଙ୍କର ୨ ଜଣ ସହଯୋଗୀଙ୍କୁ ନେଇ ଆମ୍ବ ତୋଟାକୁ ସଂଧ୍ୟା ୬ଟା ବେଳେ ନେଇଥିଲେ। ସେହି ତୋଟାରେ ପୂର୍ବରୁ ପ୍ରସ୍ତୁତ ଥିବା କୁକୁଡାବାଇ ଗ୍ରାମର ଉମାଶଙ୍କର ଯୋଶି(ଶିବୁ), ଯିଏକି ପୂର୍ବରୁ ସୁନିଲ ସାହୁ ଅପହରଣ ମାମଲାରେ ଜେଲ ଯାଇ ପୁଣି ବେଲରେ ଫେରିଥିଲା। ଅନ୍ୟ ଅଭିଯୁକ୍ତମାନେ ହେଲେ ଭାଟିଗାଁ ଗ୍ରାମର ମଦନ ନାୟକ, ସିନ୍ଧିଗୁଡା ଗ୍ରାମର କୃଷ୍ଣ ବିଷୋୟୀ, କୃତିବାସ ହରିଜନ। ଏପରି ଭାବେ ୮ ଜଣ ସେହି ସ୍ଥାନରେ ଜଗି ରହିଥିଲେ।

ଘଟଣାସ୍ଥଳରେ ପହଞ୍ଚିବା ପରେ ଆଇନଜୀବୀଙ୍କର ଛାତିରେ ବନ୍ଧୁକ ରଖି ୩ ଲକ୍ଷ ଟଙ୍କା ଦିଅ ନଚେତ ବ୍ୟବସାୟୀ ସୁନିଲ ସାହୁଙ୍କୁ ଅପହରଣ ଭଳି ଅବସ୍ଥା ହେବ। ଏହାସହ ଅଭିଯୁକ୍ତମାନେ ୨ ରାଉଣ୍ଡ ଫାଙ୍କା ଗୁଳିଚାଳନା କରିଥିଲେ। ସେଥିରେ ଆଇନଜୀବୀ ଓ ତାଙ୍କର ୨ ସହଯୋଗୀ ଭୟଭୀତ ହୋଇଯାଇଥିଲେ।

ଗତ ୫ ତାରିଖ ଆଇନଜୀବୀ ପାଖକୁ ବାରମ୍ବାର ଫୋନ ଯୋଗେ ମାଗିଥିବା ଅର୍ଥ ଦେବା ପାଇଁ ଧମକ ଦେଇଥିଲେ। ସେଦିନ ଆଇନଜୀବୀ ଜଣେ ସହଯୋଗୀଙ୍କ ହାତରେ ୧ ଲକ୍ଷ ୯ ହଜାର ଟଙ୍କା ପଠାଇଥିଲେ। ସେହି ଟଙ୍କାରୁ ୯ ହଜାର ଟଙ୍କା ୮ ଜଣ ଭାଗ ବାଣ୍ଟି ନେଇଥିବା ବେଳେ ବଳକା ଟଙ୍କା ମିଳିଲେ ସମାନ ଭାଗ କରି ନେବା ପାଇଁ ଶିବୁ କହିଥିଲା। ଶିବୁ ପାଖରେ ଉକ୍ତ ୧ ଲକ୍ଷ ଟଙ୍କା ରହିଥିଲା। ଅପରପକ୍ଷେ ବଳକା ଟଙ୍କ ନଦେବା ପର୍ଯ୍ୟନ୍ତ ତାଙ୍କ ବାଇକ ଫେରାଇବୁ ନାହିଁ ବୋଲି ଆଇନଜୀବୀଙ୍କୁ କହିଥିଲେ। ଏ ସଂକ୍ରାନ୍ତରେ ବାହାରେ ପ୍ରକାଶ କଲେ ଜୀବନରେ ମାରିଦେବା ପାଇଁ ଧମକ ବି ଦେଇଥିଲେ। ବଳକା ଟଙ୍କା ନଦେଲେ ବ୍ୟବସାୟୀ ସୁନିଲ ସାହୁଙ୍କ ଭଳି ଉଠାଇ ନିଆଯିବ ବୋଲି ଧମକ ଦେଇଥିଲେ। ତେବେ ଆଇନଜୀବୀ ଜୀବନ ଭୟରେ ଥାନାରେ ଏତଲା ଦେଇନଥିଲେ।

ସମ୍ବନ୍ଧିତ ଖବର