ବଡ଼କେରା: ଯୁବକଙ୍କୁ ହତ୍ୟା କରି ଅଖାରେ ବାନ୍ଧିି ପରିତ୍ୟକ୍ତ କୂଅ ଭିତରେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଅନୁଗୁଳ/ବଡ଼କେରା: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ତୁବେ ପଞ୍ଚାୟତର ଡିପାସାହି ଗାଁରେ ଥିବା ଏକ ପରିତ୍ୟକ୍ତ କୂଅଭିତରୁ ଜଣେ ଯୁବକଙ୍କ ମୃତଦେହ ଜବତ କରାଯାଇଛି। କେତେକ ଦୁର୍ବୃତ୍ତ ସେହି ଡିପାସାହିର ଜଣେ ଯୁବକଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଏକ ଅଖା ଭିତରେ ଭର୍ତ୍ତି କରି ଗାଁ ସ୍କୁଲ ପରିସରରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରେ ପକାଇ ଦେଇଛନ୍ତି। ପରେ ସେ କୂଅ ଭିତରେ ମୃତ ଯୁବକଙ୍କ ମୋଟର ସାଇକେଲକୁ ମଧ୍ୟ ପକାଇ ଦେଇଛନ୍ତି। ତେବେ ଏହି ଘଟଣାରେ ପୁଲିସ ସେହି ଗ୍ରାମର ଯୁଗଳ ନାୟକ ନାମକ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ମିଳିଥିବା ସୂଚନା ଅନୁଯାୟୀ, ଡିପାସାହି ଗାଁର ଶିବାନନ୍ଦ ପ୍ରଧାନ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ତେବେ ଗତ ୨ ତାରିଖ ରାତିରୁ ଶିବାନନ୍ଦ ଘରୁ କେଉଁଆଡୁ ନିଖୋଜ ହୋଇ ଯାଇଥିଲେ। ଏ ନେଇ ଶିବାନନ୍ଦଙ୍କ ଭାଇ ସତ୍ୟାନନ୍ଦ ପ୍ରଧାନ ଜରପଡ଼ା ଥାନାରେ ଅଭିଯୋଗ କରିଥିଲେ। ତେବେ ଆଜି ସେହି ଡିପାସାହି ଗ୍ରାମରେ ଥିବା ଏକ ପରିତ୍ୟକ୍ତ କୂଅ ଭିତରୁ ଦୁର୍ଗନ୍ଧ ଆସିବାରୁ ଲୋକେ ସନ୍ଦେହରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସେହି ପରିତ୍ୟକ୍ତ କୂଅ ଭିତରୁ ଏକ ଅଖାରେ ବନ୍ଧାଯାଇଥିବା ଶିବାନନ୍ଦଙ୍କ ମୃତଦେହ ଓ ତାଙ୍କ ମୋଟର ସାଇାକଲକୁ ଜବତ କରିଛି। ଏକ ମୋଟସାଇକେଲ ବନ୍ଧକ ରଖିବା ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଶିବାନନ୍ଦଙ୍କ ହତ୍ୟାକାଣ୍ଡରେ ଯୁଗଳଙ୍କ ହାତ ଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ଯୁଗଳଙ୍କୁ ନିର୍ଧୂମ ମାଡ଼ ମାରିବା ସହିତ ପୁଲିସକୁ ଜିମା ଦେଇଛନ୍ତି।

ସମ୍ବନ୍ଧିତ ଖବର