ପାହାଡ଼ ଉପରେ ଆନ୍ଧ୍ର ସୀମାନ୍ତ ଚେକ୍ ପୋଷ୍ଟ: ବସରେ ବିତୁଛି ପୁଲିସ୍ ବାହିନୀର ଦିନ

ପବନ ଉଡ଼ାଇ ନେଉଛି ଅସ୍ଥାୟୀ ଟେଣ୍ଟ୍, ସମ୍ଭାଳି ହେଉନି ମୁଣ୍ଡଫଟା ଖରା

ରାୟଗଡ଼ା: ସକାଳେ ଖରା, ସଂଧ୍ୟାରେ ବର୍ଷା। ଦିନ ତମାମ ମୁଣ୍ଡଫଟା ଖରା ସମ୍ଭାଳି ହେଉନଥିବା ବେଳେ ସଂଧ୍ୟାରେ ବର୍ଷା ପବନରେ ଉଡ଼ି ଯାଉଛି ଅସ୍ଥାୟୀ ଟେଣ୍ଟ୍। ଫଳରେ ବସରେ ବିତୁଛି ଦିନ ଓ ରାତି। ଦିନେ କି ସପ୍ତାହେ ନୁହେଁ, ପାହାଡ଼ ଉପରେ ୨ ମାସ ହେଲା ନିଜ ଜୀବନକୁ ବାଜି ଲଗାଇ ସୀମା ସୁରକ୍ଷାରେ ମୁତୟନ ହୋଇ ଜିଲ୍ଲାବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଛନ୍ତି ରାୟଗଡ଼ା ପୁଲିସ୍ ବାହିନୀ।

ଆନ୍ଧ୍ର-ଓଡ଼ିଶାର ସୀମାନ୍ତରେ ରହିଛି ରେଙ୍ଗାଲପାଡ଼ୁ ଗାଁ। ଦୁଇ ରାଜ୍ୟକୁ ଯୋଡ଼ୁଥିବା ଏହି ସୀମାନ୍ତ ଗାଁ ରାୟଗଡ଼ା ବ୍ଲକ୍ ଶେଷଖାଲ ଥାନା ଅଧୀନରେ ରହିଛି। ଲକଡାଉନ୍ ପରେ ଉଭୟ ରାଜ୍ୟ ସୀମା ସିଲ୍ ପରେ ଆନ୍ଧ୍ରରେ ଫସିଥିବା ବହୁ ଲୋକ ରେଙ୍ଗାଲପାଡ଼ୁ ଗଳା ବାଟ ଦେଇ ରାୟଗଡ଼ାକୁ ପଳାଇ ଆସୁଥିବା ନେଇ ପୁଲିସକୁ ଖବର ମିଳିଥିଲା। ରେଡ୍ ଜୋନରେ ଥିବା ବିଶାଖାପାଟଣା ସମେତ ଆନ୍ଧ୍ରର କୃପମ, ଗୁମ୍ମା ଲକ୍ଷ୍ମୀପୁରମ ସହର ଦେଇ ଶହ ଶହ ପ୍ରବାସୀ ଶ୍ରମିକ ବିଭିନ୍ନ ଗାଡ଼ିରେ ଏହି ରାସ୍ତା ଦେଇ ରାୟଗଡ଼ାକୁ ଆସୁଥିବାରୁ ସୀମାନ୍ତରେ ଯାଞ୍ଚ କଡାକଡି କରିବାକୁ ନିର୍ଦେଶ ଦେଇଥିଲେ ଏସପି ଡା. ଶର୍ବଣା ବିବେକ ଏମ।

ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକାଙ୍କ ତତ୍ତ୍ବାବଧାନରେ ଏଏସଆଇ ଗୋପାଳ ଦୋରା, ସଦା ଶତପଥୀ, ହାବିଲଦାର ପି. କେ. ମିଶ୍ର, ସତ୍ୟ ସାହୁ, କନେଷ୍ଟବଳ ଗୋପଳ ପଣ୍ଡା  ପ୍ରମୁଖ ସମ୍ଭାଳିଥିଲେ ସୀମା ସୁରକ୍ଷା ଦାୟିତ୍ବ। ସୀମାନ୍ତରେ ପୁଲିସ୍ ମୁତୟନ ପରେ ସୁରକ୍ଷାକୁ ଫାଙ୍କି ଆନ୍ଧ୍ରରୁ ବିଭିନ୍ନ ରାଜ୍ୟକୁ ଯାଉଥିବା ଶ୍ରମିକଙ୍କ ଯାତାୟତ ବନ୍ଦ ହୋଇ ଯାଇଥିଲା। ୨୪ ଘଣ୍ଟା ଚେକ୍ ପୋଷ୍ଟ ଦାୟିତ୍ବରେ ଶେଷଖାଲ ପୁଲିସ୍ ରହିବା ପରେ ଉଭୟ ରାଜ୍ୟ ମଧ୍ୟରେ ଅବାଧ ପ୍ରବେଶ ଉପରେ ମଧ୍ୟ ରୋକ୍ ଲାଗିଥିଲା। ପାହାଡ଼ ଉପରେ ଥିବା ଚେକ୍ ପୋଷ୍ଟରେ ମୁତୟନ ପୁଲିସ୍ ବାହିନୀ ଅସ୍ଥାୟୀ ଟେଣ୍ଟରେ ରହି ଡ୍ୟୁଟି କରୁଥିବାରୁ ପ୍ରତିଦିନ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଅସ୍ଥାୟୀ ଟେଣ୍ଟ୍ ନିକଟରେ କୌଣସି ଜନବସତି ନଥିବା ବେଳେ ଆଶ୍ରୟ ନେବାକୁ ଗଛଟିଏ ମଧ୍ୟ ନାହିଁ। ଫଳରେ ମୁଣ୍ଡ ଫଟା ଖରାରେ ପୁଲିସ୍ ବାହିନୀ ହଇରାଣ ହରକତ ହେଉଛନ୍ତି। ଅଧିକାଂଶ ଦିନ ସଂଧ୍ୟାରେ ବର୍ଷା, ପବନ ହେଉଥିବାରୁ ପାହାଡ଼ ଉପରେ ଥିବା ଟେଣ୍ଟ୍ ଉଡ଼ି ଯାଉଛି। ପ୍ରବଳ ବର୍ଷାକୁ ଟେଣ୍ଟ୍ ସହ୍ୟ କରିପାରୁନଥିବା ବେଳେ ସଂଧ୍ୟାରେ ବର୍ଷାରେ ଭିଜି ପୁଲିସ୍ ବାହିନୀ ଡ୍ୟୁଟି କରୁଛନ୍ତି। ୩ ଦିନ ତଳେ ହୋଇଥିବା ବର୍ଷା, ପବନ ଅସ୍ଥାୟୀ ଟେଣ୍ଟକୁ ୧୦ ମିଟର ପର୍ଯ୍ୟନ୍ତ ଉଡ଼ାଇ ନେଇ ଫୋପାଡ଼ି ଦେଇଥିଲା। ଖବର ପାଇ ଥାନା ଅଧିକାରୀ ବିଜୟଲକ୍ଷ୍ମୀ ହିକକା ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିବା ପରେ ଏ ସଂପର୍କରେ ଏସପି ଡା. ଶର୍ବଣା ବିବେକ ଏମଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସ୍ଥାୟୀ ଟେଣ୍ଟ୍ ପାଇଁ କୌଣସି ଉପାୟ ନଥିବାରୁ ପୁଲିସ୍ ବାହିନୀର ସୁରକ୍ଷା ପାଇଁ ଆରକ୍ଷୀ ଅଧୀକ୍ଷକ ତତକ୍ଷଣାତ୍ ଏକ ବସ୍ ଯୋଗାଇ ଦେବା ଫ୍ୟାନ୍ ଓ ଆଲୁଅ ବ୍ୟବସ୍ଥା ପାଇଁ ଜେନେରେଟର ବ୍ୟବସ୍ଥା କରିଥିଲେ। ଗତ ୩ ଦିନ ହେଲା ପୁଲିସ୍ ବାହିନୀ ରାସ୍ତାପାର୍ଶ୍ବରେ ଥିବା ବସ୍ ଭିତରେ ଆଶ୍ରୟ ନେଇ ସୀମା ସୁରକ୍ଷାରେ ମୁତୟନ ହୋଇଛନ୍ତି। ସୀମା ଦେଇ ଉଭୟ ରାଜ୍ୟକୁ ଯାଉଥିବା ଲୋକଙ୍କୁ ପୁଲିସ୍ ମାସ୍କ ବଣ୍ଟନ କରିବା ସହ ନିୟମିତ ସାବୁନରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ନେଇ ସଚେତନ କରୁଛି।

ରେଙ୍ଗାଲପାଡ଼ୁରୁ ଶହେ ମିଟର ଦୂରରେ ଆନ୍ଧ୍ରର କୁନ୍ଦୁକୁପା ଗାଁ।  ୨୫ କିମି ଦୂରରେ ଆନ୍ଧ୍ରପ୍ରଦେଶର ବାଣିଜ୍ୟିକ ସହର କୃପମ, ଗୁମ୍ମା ଲକ୍ଷ୍ମୀପୁରମ୍ ରହିଛି। ବ୍ୟବସାୟ ପାଇଁ ପ୍ରତିଦିନ ଆନ୍ଧ୍ର ବ୍ୟବସାୟୀ ରାୟଗଡ଼ା ଆସୁଥିବା ବେଳେ ରାୟଗଡ଼ା ବ୍ୟବସାୟୀ କୃପମ, ଗୁମ୍ମା ଲକ୍ଷ୍ମୀପୁରମକୁ ଯାଉଛନ୍ତି। ଗୁମ୍ମା ଲକ୍ଷ୍ମୀପୁରମରୁ ରାୟଗଡ଼ାର ଗୁଣପୁରକୁ ବସ ଚଳାଚଳ ସୁବିଧା ଥିବାରୁ ଶହ ଶହ ଲୋକ ବିଭିନ୍ନ କାମରେ ଯାତାୟତ କରୁଛନ୍ତି। ଲକଡାଉନ୍ ଘୋଷଣାର କିଛି ଦିନ ପରେ ଓଡ଼ିଶାକୁ ଲାଗିଥିବା ଆନ୍ଧ୍ରପପ୍ରଦେଶର କିଛି ଗ୍ରାମରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଫଳରେ ଜିଲ୍ଲା ପୁଲିସ୍ ପକ୍ଷରୁ ଆନ୍ଧ୍ର ସୀମାନ୍ତ ରେଙ୍ଗାଲପାଡ଼ୁ ସମେତ ଜଗନ୍ନାଥପୁର, କାଟିକି, ସୁଲୁଡ଼ି ରାସ୍ତାରେ ଚେକ୍ ପୋଷ୍ଟ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧିତ ଖବର