ବରଗଡ଼: ମାନସିକ ଭାରସାମ୍ୟ ହରାଇ ଦୁଇଭଉଣୀଙ୍କ ଆତ୍ମହତ୍ୟା ଉଦ୍ୟମ, ସାନର ମୃତ୍ୟୁ, ବଡ଼ ଗୁରୁତର

ବରଗଡ଼: ଆଜି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ନିଗମାନନ୍ଦ ବିହାର ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ସହିତ ରହୁଥିବା ଦୁଇ ଭଉଣୀ କୌଣସି କାରଣରୁ ମାନସିକ  ଭାରସାମ୍ୟ ହରାଇ ବେକରେ ଫାଶି ଲଗାଇ ଦେଇଛନ୍ତ। ଦୁଇଭଉଣୀଙ୍କ ମଧ୍ୟରୁ ସାନ ଭଉଣୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଅବସ୍ଥାରେ ବଡ଼ ଭଉଣୀଙ୍କୁ ଉଦ୍ଧାର କରି ପରିବାର ଲୋକେ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ବିହାରର ମୂଳବାସିନ୍ଦା  ରାମ ନାରାୟଣ ଶର୍ମାଙ୍କ ପରିବାର ଗତ ୨୦ ବର୍ଷ ହେବ ବରଗଡ଼ରେ ରହୁଛନ୍ତି। କିଛି ବର୍ଷ ପୂର୍ବେ ଶ୍ରୀ ଶର୍ମାଙ୍କର  ମୃତ୍ୟୁ ଘଟିଥିବା ବେଳେ ଘରେ ପତ୍ନୀ ସରସ୍ୱତୀ, ତିନି ପୁଅ ରଞ୍ଜନ, ରାଜୁ ଓ ଛୋଟୁଙ୍କସହିତ ଦୁଇ ଝିଅ ପ୍ରିୟଙ୍କା(୨୦ ବର୍ଷ) ଓ ଗୁଡିଆ (୨୧ ବର୍ଷ) ରୁହନ୍ତି। ତିନି ଭାଇ ବରଗଡ଼ର ବିଭିନ୍ନ ଲେଦ୍‌ରେ କାର୍ଯ୍ୟ କରନ୍ତି ଓ ସେମାନେ ଦୁଇ ଭଉଣୀଙ୍କ ଠାରୁ ବଡ଼। ମାତ୍ର ଏ ପର୍ଯ୍ୟନ୍ତ କେିହି ବିବାହ କରି ନାହାଁନ୍ତି। ଗତକାଲି ରାତି ପ୍ରାୟ ୨ଟା ବେଳେ ହଠାତ ସରସ୍ୱତୀଙ୍କ ନିଦ କୌଣସି ଶବ୍ଦ ଶୁଣି ଭାଙ୍ଗି ଯିବାରୁ ସେ ଘରର ଫ୍ୟାନ୍‌ରେ ତାଙ୍କ ଦୁଇ ଝିଅ ପ୍ରିୟଙ୍କା ଓ ଗୁଡ଼ିଆ ଝୁଲୁଥିବାର ଦେଖି ପାଟି କରିବାରୁ ଭାଇମାନେ ଦୌଡ଼ି ଆସି ଭଉଣୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରଖାନାରେ ପହଞ୍ଚିବା ବେଳେକୁ ପ୍ରିୟଙ୍କଙ୍କର ମୃତ୍ୟୁ ଘଟି ସାରିଥିଲା।  ଗୁଡ଼ିଆଙ୍କ  ଅବସ୍ଥା ଗୁରୁତର ରହିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି। ତେବେ ଏହି ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ। ଦୁଇ ଭଉଣୀ ଗତକାଲି ରାତିରେ ଶୋଇବାକୁ ଯିବା ପର୍ଯ୍ୟନ୍ତ ଠିକ୍‌ଠାକ ଥିବା ତାଙ୍କ ମା ସରସ୍ୱତୀ କହିଛନ୍ତି।

ସମ୍ବନ୍ଧିତ ଖବର