ଆପ୍ରୋଚ ରୋଡ଼ରେ ଅଟକିଛି ରାମଗଡ଼ ବ୍ରିଜ୍:ଅଞ୍ଚଳବାସୀଙ୍କ ମଧ୍ୟରେ କୁହୁଳୁଛି ଅସନ୍ତୋଷ

ବୌଦ୍ଧ: ମାସେ କିମ୍ବା ‌ବର୍ଷେ ନୁହେଁ ୩ ବର୍ଷ ହେଲା ବୌଦ୍ଧର ଐତିହାସିକ ଜଗନ୍ନାଥ ସଡ଼କସ୍ଥିତ ଲକ୍ଷ୍ମୀନାଳ ବ୍ରିଜ ବା ରାମଗଡ଼ ବ୍ରିଜ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରାୟ ୩ କୋଟି ବ୍ୟୟରେ ନିର୍ମାଣ ହୋଇଛି। ମାତ୍ର ଏବେ ବି ତାହା ଅଞ୍ଚଳବାସୀଙ୍କ କାମରେ ଆସୁ ନାହିଁ। ବ୍ରିଜର ଉଭୟ ପାର୍ଶ୍ବରେ ତିଆରି ହେବାକୁ ଥିବା ଆପ୍ରୋଚ ରୋଡ଼ ବାଧକ ହୋଇଛି। ସେହି ରୋଡ଼ ଉପରେ ଯାତାୟାତ ପାଇଁ ନିର୍ଭର କରୁଥିବା ଧଳପୁର, କଁକଳା, ଉଆଁଳ, ବୈକୁଣ୍ଠପୁର ଓ ଆଖପାଖ ଗ୍ରାମାଞ୍ଚଳର ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ବଢ଼ିବାରେ ଲାଗିଛି। ବୌଦ୍ଧ ସହରକୁ ଯିବାକୁ ହେଲେ କିମ୍ବା ଫେରିବାକୁ ହେଲେ ଲୋକଙ୍କୁ ପୁରୁଣାକଟକ ଦେଇ ପ୍ରାୟ ୪୦ରୁ ୪୫ କିଲୋମିଟର ପର୍ଯ୍ୟନ୍ତ ବୁଲି ଯିବାକୁ ପଡୁଛି। ବର୍ଷା ଦିନରେ ଅଞ୍ଚଳଟି ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଉଛି। ନାଳ ପାର ହେବାକୁ ହେଲେ ପାଣି ଭିତରକୁ ପଶି ଯିବାକୁ ପଡୁଛି। ଲୋକେ ହନ୍ତସନ୍ତ ହେଉଛନ୍ତି। ବୌଦ୍ଧରୁ ଧଳପୁର ଛକ ପର୍ଯ୍ୟନ୍ତ ୨୫ କିଲୋମିଟର ପଡିଥାଏ। ଧଳପୁର ଛକରୁ ମାତ୍ର ଦେଢ଼ କିଲୋମିଟର ପୂର୍ବରୁ ଲକ୍ଷ୍ମୀନାଳ ରହିଛି। ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବି ହେବାରୁ ଆରଡି ବିଭାଗ ଅଧୀନରେ ନିର୍ମାଣ କାମ ଆରମ୍ଭ ହୋଇ ଶେଷ ମଧ୍ୟ ହେଲା। ତେବେ ବ୍ରିଜର ଉଭୟ ପାର୍ଶ୍ବରେ ନିର୍ମାଣ ହେବାକୁ ଥିବା ଆପ୍ରୋଚ ରୋଡ ପାଇଁ ଆବଶ୍ୟକ ଘରୋଇ ଜମି ସମସ୍ୟା ସୃଷ୍ଟି କଲା।

ଜଣେ ଜମି ମାଲିକଙ୍କ ପୂର୍ବରୁ ଦେହାନ୍ତ ହୋଇ ସାରିଥିବା ବେଳେ ତାଙ୍କ ଉତ୍ତରାଧିକାରୀ ଆବଶ୍ୟକ କାଗଜପତ୍ର ଦେଖାଇବାରେ ଅସମର୍ଥ ହେବାରୁ ତାଙ୍କୁ କ୍ଷତିପୂରଣ ରାଶି ଦିଆଯିବାରେ ବିଭାଗକୁ ସମସ୍ୟା ହୋଇଥିଲା। ଫଳରେ ସଂପୃକ୍ତ ପରିବାର ଲୋକେ ଆପ୍ରୋଚ ରୋଡ ନିର୍ମାଣକୁ ବିରୋଧ କରିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ତିନି ବର୍ଷ ବିତି ସାରିଥିବା ବେ‌ଳେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ନିର୍ବାଚନ ପୂର୍ବରୁ ଆପ୍ରୋଚ ରୋଡ଼ ସଂପୂର୍ଣ୍ଣ କରି ବ୍ରିଜ ଲୋକାର୍ପିତ ନହେଲେ ଅଞ୍ଚଳବାସୀ ସାଧାରଣ ନିର୍ବାଚନକୁ ବର୍ଜନ କରିବା ଭଳି ନିଷ୍ପତ୍ତି ନେବାରେ ବିଳମ୍ବ କରିବେ ନାହିଁ ବୋଲି ସିଧାସଳଖ ପ୍ରତିକ୍ରିୟାରେ ପ୍ରକାଶ କରୁଛନ୍ତି। ଅପରପକ୍ଷେ ବୌଦ୍ଧ ପୂର୍ତ୍ତ ବିଭାଗ ପକ୍ଷରୁ ୪୫ କୋଟି ବ୍ୟୟରେ ଜଗନ୍ନାଥ ସଡ଼କର ଉନ୍ନତୀକରଣ ଓ ପ୍ରଶସ୍ତୀକରଣ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୌଦ୍ଧ ଗସ୍ତ ଅବସରରେ ଏହାର ଶିଳାନ୍ୟାସ ମଧ୍ୟ ଦେଇଛନ୍ତି। ମାତ୍ର ସେହି ରାସ୍ତାରେ ବାଧକ ଥିବା ଅସଂପୂର୍ଣ୍ଣ ଲକ୍ଷ୍ମୀନାଳ ବ୍ରିଜ ଯୋଗୁଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଏବେ ବି କୁହୁଳୁଛି। ଏ ସଂପର୍କରେ ଆରଡି ବିଭାଗ ନିର୍ବାହୀ ଯନ୍ତ୍ରୀ ଏସ.ଆର. ନାୟକଙ୍କୁ ପଚରାଯିବାରୁ ୬୦ ଲକ୍ଷ ବ୍ୟୟରେ ଆପ୍ରୋଚ ରୋଡ ନିର୍ମାଣ ହେବ। ଟେଣ୍ଡର ସରିକି କାର୍ଯ୍ୟାଦେଶ ମଧ୍ୟ ଏକ ସଂସ୍ଥାକୁ ଦିଆସାରିଛି। ଜମି ଅଧିଗ୍ରହଣ ପାଇଁ ଯେଉଁ ସମସ୍ୟା ରହିଥିଲା ତାହାର ସମାଧାନ ହୋଇଛି। ଜଣେ ମାତ୍ର ବିରୋଧ କରୁଛନ୍ତି, ତାଙ୍କ ସହ ଆଲୋଚନା ହୋଇଛି ବୋଲି ଇଂ. ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର