ଜାଡ଼ରେ ଥରୁଛି ବୌଦ୍ଧ

ବୌଦ୍ଧ: ଜାଡ଼ରେ ଥରୁଛି ବୌଦ୍ଧ ଜିଲ୍ଲା। ନଦୀ, ଜଙ୍ଗଲ ଓ ପାହାଡ଼ ଘେରରେ ଥିବା ବୌଦ୍ଧ ଜିଲ୍ଲାରେ ଗତ ଗୁରୁବାର କୋହଲା ପାଗ ହଟିଯିବାରୁ ଶୁକ୍ରବାର ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ରାଜ୍ୟ ପାଣିପାଗର ପୂର୍ବାନୁମାନ ସତ୍ୟ ହେଲେ ଅଶାନ୍ତ ୭ଦିନ ଧରି ଜିଲ୍ଲାରେ ଅଧିକରୁ ଅଧିକ ଶୀତ ପ୍ରବାହ ହେବା ନେଇ ଆଶଙ୍କା ଦେଖାଯାଇଛି। ଫଳରେ ଜନଜୀବନ ପ୍ରଭାବିତ ହେବାରେ ଲାଗିଛି। ବିଶେଷ କରି ଜିଲ୍ଲାର ହରଭଙ୍ଗା ବ୍ଲକରେ ଅଧିକରୁ ଅଧିକ ହାଡ଼ଭଙ୍ଗା ଶୀତ ଲଗାତାର ୪ଦିନ ହେଲା ଜାରି ରହିଥିବା ବେଳେ ଆଜି ଠାରୁ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ରାଜ୍ୟର ସର୍ବନିମ୍ନ ଶୀତ ରହୁଥିବା କନ୍ଧମାଳ ଜିଲ୍ଳାର ପଡ଼ୋଶୀ ଜିଲ୍ଲା ବୌଦ୍ଧରେ ତାହାର ପ୍ରଭାବ ଅଧିକ ଦେଖାଯାଉଛି। ବୌଦ୍ଧ ବ୍ଲକ ବଘିଆପଡ଼ା ଅଞ୍ଚଳରେ ଶୀତ ଅଧିକ କଷ୍ଟ ଦେଉଥିବା ଜଣାଯାଇଛି। ସହରରେ ତାପମାତ୍ରା ସର୍ବନିମ୍ନ ୧୨/୧୪ ଡିଗ୍ରି ରହୁଥିବା ବେଳେ ଉପାନ୍ତ ଓ ବଣପାହାଡ଼ ଅଞ୍ଚଳରେ ଥିବା ଗାଁଗୁଡ଼ିକରେ ସର୍ବନିମ୍ନ ୧୨ଡିଗ୍ରିରୁ ତଳକୁ ପାରଦ ଖସୁଥିବା ଅନୁମାନ କରାଯାଉଛି। ରାତିରେ ଥଣ୍ଡାରୁ ନିସ୍ତାର ନାହିଁ। ସଂଧ୍ୟା ହେବା କ୍ଷଣି ଲୋକେ ଆଉ ଘରୁ ପଦାକୁ ବାହାରୁ ନାହାନ୍ତି। ରାତି ଯେତିକି ବଢୁଛି ଥଣ୍ଡା ମଧ୍ୟ ସେତିକି ବୃଦ୍ଧି ପାଉଛି। ସକାଳରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉ ନାହିଁ। ଲୋକେ ମର୍ଣ୍ଣିଂ ୱାକ ଓ ବ୍ୟାୟାମର ମଜା ପାଇଁ ଘରୁ ବାହାରୁ ଥିଲେ ମଧ୍ୟ ସହରର ଚା’ ଦୋକାନମାନଙ୍କରେ ଅଧିକ ଭିଡ଼ ପରିଲକ୍ଷିତ ହେଉଛି। ଅପରପକ୍ଷେ ବୌଦ୍ଧ ଜିଲ୍ଳାରେ ପାଣିପାଗ କାର୍ଯ୍ୟାଳୟ ଓ ତାପ ମାପକ ଯନ୍ତ୍ର ଅଭାବରୁ ଜିଲ୍ଳାରେ ସର୍ବାଧିକ ଓ ସର୍ବନିମ୍ନ ତାପମାତ୍ରା ନେଇ ସ୍ପଷ୍ଟ ସୂଚନା ମିଳି ପାରୁ ନାହିଁ। ଜିଲ୍ଲା ପ୍ରଶାସନ ପାଖରେ ମଧ୍ୟ ଏସଂପର୍କିତ ତଥ୍ୟ ନଥିବା ଦୁଃଖର ବିଷୟ ବୋଲି ସଚେତନ ମହଲରେ ସମାଲୋଚନା ହେଉଛି। ପଡୋଶୀ ସୋନପୁର ଜିଲ୍ଳାର ତାପମାତ୍ରା ଅନୁସାରେ ବୌଦ୍ଧ ଜିଲ୍ଲାର ତାପମାତ୍ରା ଗଣନା ଓ ପୂର୍ବାନୁମାନ କରାଯାଉଥିବା ଜଣାଯାଇଛି। ଯେତେ ବେଳେ କି ପଡୋଶୀ କନ୍ଧମାଳ ଜିଲ୍ଳାର ତାପମାତ୍ରା ସହ ବୌଦ୍ଧ ଜିଲ୍ଳାର ତାପମାତ୍ରା ଅଧିକ ପ୍ରଭାବିତ ହେଉଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର