ବୌଦ୍ଧଗଡ଼: ରଥରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ଭକ୍ତ

ବୌଦ୍ଧ: ବୌଦ୍ଧରେ ପ୍ରଭୁ ଜଗନ୍ନାଥଙ୍କ ଘୋଷଯାତ୍ରା ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି। ଆଜି ପ୍ରାତଃରେ ମହାପ୍ରଭୁଙ୍କ ପାରମ୍ପରିକ ନୀତିକାନ୍ତି ଆରମ୍ଭ କରାଯାଇଥିଲା। ପୂର୍ବାହ୍ନ ୧୦ଟାରୁ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କୁ ରଥାରୁଢ କରିବା ପରେ ପହଣ୍ଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଥଖଳାରେ ଶ୍ରୀଜୀଉଙ୍କ ଚାରବେଢା ପରିକ୍ରମା କରିବା ପରେ ଅପରାହ୍ନ ୩ଟା ୪୮ ସମୟରେ ରଥ ଉପରକୁ ମହାପ୍ରଭୁ ବିଜେ କରିଥିଲେ। ଗଡଜାତ ବୌଦ୍ଧ ରଥଯାତ୍ରାରେ ଏକ ଭିନ୍ନ ପୂର୍ବ ପରମ୍ପରା ଅନୁଯାଇ ରଥ ଉପରେ ପ୍ରଭୁଙ୍କ ପାଖରେ ଛୋଟ ଛୋଟ ଛୁଆମାନଙ୍କୁ ରଥ ଛୁଆଁ ଯାଇଥିଲା। ବୌଦ୍ଧଗଡ଼ ରାଜା ଦେବେନ୍ଦ୍ର ପ୍ରସାଦ ଦେବ ଛେରାପହଁରା କରିଥିଲେ। ଅପରାହ୍ନ ୫ଟାରୁ ରଥଟଣା ଆରମ୍ଭ ହୋଇଥିଲା।
ସେହିପରି ଶ୍ରୀହରି ଗୁଡ଼ି ତିନିଠାକୁରଙ୍କୁ ରଥାରୂଢ କରାଯିବ ପରେ ସାନ ରଥ ଟଣା ହୋଇଥିଲା। ପୂର୍ବ ପରମ୍ପରା ଅନୁଯାୟୀ ମହିଳାମାନେ ଏହି ରଥ ଟାଣିଥିଲେ। ଉଭୟ ରଥ ଆଗ ପଛ ହୋଇ ଗୋଟିଏ ଜାଗାରେ ଥିବା ମାଉସୀ ମା ମନ୍ଦିରକୁ ପହଞ୍ଚିଥିଲା। ସେଠାରେ ପହଣ୍ଡି କରାଯାଇ ମାଉସୀମା ଘରେ ମହାପ୍ରଭୁଙ୍କୁ ବିଜେ କରାଇଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରମାକାନ୍ତ ସେଠୀ, ଉପ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାୟକ ଏବଂ ସମସ୍ତ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଶାନ୍ତିଶୃଙ୍ଖଳାରେ ଯାତ୍ରା ଆରମ୍ଭ ହୋଇଥିଲା। ରଥଯାତ୍ରା କମିଟି, ବ୍ରାହ୍ମଣ ସମାଜ, ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ସହେଯାଗ କରିଥିଲେ। କୋହଲା ପାଗ ଥିବାରୁ ହଜାର ହଜାର ଭକ୍ତ ରଥ ଟାଣିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟିରୁ ବୌଦ୍ଧ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ରହିଥିଲା। ଶାନ୍ତିଶୃଙ୍ଖଳା ସହ ରଥଯାତ୍ରା ସଂପନ୍ନ ହୋଇଥିଲା।  ଗୁଣ୍ଡିଚା ମନ୍ଦିରରେ ରହିବା ସମୟରେ ମହାପ୍ରଭୁ ୧୦ଟି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବୌଦ୍ଧ ବଜ୍ରକ୍ଷେତ୍ର ତଥା ଅନ୍ୟତମ ପାତାଳି ଭାବେ ପରିଚିତ ନାୟକପଡା ଗୁମ୍ଫା ଠାରେ ମଧ୍ୟ ପାରମ୍ପରିକ ରୀତିନୀତି ସହ ରଥଯାତ୍ରା ସମ୍ପନ୍ନ ହୋଇଛି। ଜିଲ୍ଲାର ପୁରୁଣାକଟକ, ଠିଡିକାଯୋର, ହରଭଙ୍ଗା, କୁଶଙ୍ଗ, ମନମୁଣ୍ଡା, କଣ୍ଟାମାଳ ଆଦି ଅଞ୍ଚଳରେ ମଧ୍ୟ ରାଥଯାତ୍ରା ପାଳିତ ହୋଇଛି।

ସମ୍ବନ୍ଧିତ ଖବର