ବୌଦ୍ଧ: ପତ୍ର ହଲିଲେ ବିଜୁଳି ଗୋଲ୍‌

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଏବେ ବିଦ୍ୟୁତ୍‌ ସମସ୍ୟା ଲୋକଙ୍କୁ ବ୍ୟତିବ୍ୟସ୍ତ କରି ପକାଇଛି। ସଂଧ୍ୟା ହେଲେ ସାମାନ୍ୟ ପବନ କିମ୍ବା ବର୍ଷାର ଆଶଙ୍କା ଦେଖା ଦେଲେ ମଧ୍ୟ ବିଜୁଳି ଚାଲି ଯାଉଛି। ପବନ ବହିବା ସମୟରେ କୌଣସି ଅଘଟଣକୁ ଦୂର କରିବା ପାଇଁ ବିଜୁଳି କାଟ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା। ମାତ୍ର ପବନ ବହିବା ବନ୍ଦ ହୋଇ ଗଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ବିଜୁଳି ଆସୁ ନାହିଁ ଓ ସହର ପୁରା ଅନ୍ଧାରରେ ରହୁଛି। ଖରାର ଗୁଳୁଗୁଳିରେ ଲୋକେ ସନ୍ତାପିତ ହୋଇ ଯାଉଥିବା ବେଳେ ବିଜୁଳି କାଟ୍‌ କିନ୍ତୁ ବେଶ ବାଧୁଛି। ଇନ୍‌ଭେଟର୍‌ ଓ ଜେନେରେଟର୍‌ ଲାଗି ଥିବାରୁ ଅମଲା, ଅଫିସରଙ୍କ ଘରେ ବିଦ୍ୟୁତ କାଟର କିଛି ପ୍ରଭାବ ପଡୁ ନାହିଁ। ମାତ୍ର ସାଧାରଣ ଲୋକେ ବିନା ବିଜୁଳିରେ ବଡ଼ କଲବଲ ହେଉଛନ୍ତି। ଘଣ୍ଟା ଘଣ୍ଟା ଧରି ବିଜୁଳି ବନ୍ଦ ରହୁଥିବାରୁ ପ୍ରଚଣ୍ଡ ଖରାରେ ଲୋକେ ସିଝି ହୋଇଯାଉଛନ୍ତି। ମାତ୍ର ସାଧାରଣ ଲୋକଙ୍କ କଥା ବୁଝିବାକୁ କେହି ନାହାନ୍ତି।

ପୂର୍ବରୁ ବାହାର ଜିଲ୍ଲା ଗ୍ରିଡ୍‌ରୁ ବିଦ୍ୟୁତ୍‌ ସଂଯୋଗ ହେଉଥିଲା ବୋଲି ବୌଦ୍ଧରେ ଦିନ ଦିନ ଧରି ଅନ୍ଧାରରେ ଲୋକେ ରହୁଥିଲେ। ମାତ୍ର ଲାଣ୍ଡିବନ୍ଧରେ ଗ୍ରିଡ୍‌ ଷ୍ଟେସନ ହେବା ପରେ ମଧ୍ୟ ଲୋକଙ୍କ ବିଦ୍ୟୁତ ସମସ୍ୟା କିଛି ବି ଦୂର ହୋଇନଥିବା ସାଧାରଣ ଲୋକେ ଅଭିଯୋଗ କରୁଛନ୍ତି। ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ପାଇଁ ହୋଇଥିବା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳ ନିଜେ ବିଦ୍ୟୁତ ସଂଯୋଗ ନିରନ୍ତର ଭାବେ ରହିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏବେ ସାଧାରଣ ଲୋକଙ୍କ ଜୀବନ ବିଦ୍ୟୁତ କାଟ୍‌ ଯୋଗୁଁ ଅସହ୍ୟ ହୋଇ ପଡ଼ିଲାଣି। ପୁରୁଣା ତାର ଗୁଡିକୁ କେତେକ କ୍ଷେତ୍ରରେ ବଦଳା ଯାଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ବଦଳା ଯାଇ ନାହିଁ। ପୁରୁଣା ତାର ଯୋଗୁଁ ଲୋଡ ନେଇ ପାରୁନଥିବାରୁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି। ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ପଚାରିଲେ, ବଲାଙ୍ଗୀରରୁ ବିଦ୍ୟୁତ ବିଭ୍ରାଟ ହେଉଛି ତେଣୁ ବୌଦ୍ଧରେ ମଧ୍ୟ ବିଦ୍ୟୁତ ବିଭ୍ରାଟ ହେଉଛି ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର