ଗଞ୍ଜାମରେ ପ୍ରବାସୀ ଶ୍ରମିକଙ୍କୁ ଛାଡି ସୁରଟ ଫେରୁଥିବା ବସ୍‌ ଧକ୍କାରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ବୌଦ୍ଧ: ଗଞ୍ଜାମରେ ପ୍ରବାସୀ ଶ୍ରମିକମାନଙ୍କୁ ଛାଡି ସୁରଟ ଫେରୁଥିବା ବସ୍ ନଂ ଜିଜେ-୦୩ଡବ୍ଲୁ-୯୮୬୨ ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୋମବାର ଅପରାହ୍ନ ପ୍ରାୟ ୫ ଘଣ୍ଟା ସମୟରେ ବାଉଁଶୁଣୀ ଛକ ନିକଟରେ ବାଇକକୁ ବସ୍ ଧକ୍କା ଦେବାରୁ ଘଟଣାସ୍ଥଳରେ ବାଇକ୍ ଆରୋହୀ ଡୁମୁରୀପାଲି ଗାଁର କ୍ଷେତ୍ର ଦେହୁରୀ (୭୦)ଙ୍କ ମୃତ୍ୟୁ ହୋଇଥିଲା । ସେ ବାଇକ ନଂ ଓଆର ୦୩ଇ-୧୮୩୦ରେ ଏକ ଗ୍ୟାସ୍ ସିଲିଣ୍ଡର ଧରି ଡୁମୁରୀପାଲି ଫେରୁଥିଲେ। ଦୁର୍ଘଟଣାକୁ କେନ୍ଦ୍ର କରି ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଯାଇଥିଲା। ତାଙ୍କ ପରିବାରକୁ କ୍ଷତି ପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଜାତୀୟ ରାଜପଥ ନମ୍ବର୍ ୫୭ରେ ରାସ୍ତାରୋକ୍ କରା ଯାଇଥିଲା।

ଖବର ପାଇ ବାଉଁଶୁଣି ଥାନାଅଧିକାରୀ ରାମସୁବ୍ରମଣ୍ୟମ ପ୍ରଧାନ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ। ପୁଲିସ୍‌ ଠାରୁ ଖବର ପାଇ ବୌଦ୍ଧ ଅତିରିକ୍ତ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ଶୁଝା କରିଥିଲେ। ପ୍ରଶାସନ ଦ୍ବାରା ରେଡ଼କ୍ରସ୍‌ ପାଣ୍ଠିରୁ ମୃତ ପରିବାରକୁ ୧୦ହଜାର ସହାୟତା ପ୍ରଦାନ କରାଯିବା ପରେ ଲୋକେ ଶାନ୍ତ ହୋଇଥିଲେ। ବାଉଁଶୁଣି ପୁଲିସ ଶବ ଜବତ କରି ବୌଦ୍ଧକୁ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇଛି। ଦୁର୍ଘଟଣା ଘଟାଇଥିବା ବସ୍‌କୁ ସାନିଟାଇଜ୍ କରାଯାଇ ନିକଟସ୍ଥ ସଂଗରୋଧ ଗୃହରେ ରଖାଯାଇଥିବା ବେଳେ ବସ୍‌ ଚାଳକ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର