ଚାରିଛକରେ ଜବରଦଖଲ ଉଚ୍ଛେଦ

ଚାରିଛକ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ସଦର ମହକୁମା ଚାରିଛକରେ ମଙ୍ଗଳବାର ଜାତୀୟ ରାଜପଥ ପ୍ରଶସ୍ତିକରଣ ପାଇଁ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ପ୍ରକାଶ ଯେ ବ୍ଲକ୍‌ର ଚାରିଛକ ଛକ ଏକ ଜନଗହଳିପୂର୍ଣ୍ଣ ସ୍ଥାନ ହୋଇରହିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଏହାର ମଧ୍ୟଭାଗ ଦେଇ ଅତିକ୍ରମ କରିଥିବାରୁ ଏହି ସ୍ଥାନର ବେଶ ଗୁରୁତ୍ୱ ରହିଛି। ଏହି ଛକର ଚାରି ପାର୍ଶ୍ୱରେ ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜାତୀୟ ରାଜପଥ ବିଭାଗ ଏହାର ସମସ୍ତ ପାର୍ଶ୍ୱକୁ ଅଧିକ ଓସାର କରିବା ପାଇର୍ କାର୍ଯ୍ୟଭାର ଗ୍ରହଣ କରିଥିଲା।
ଏହି ଅନୁସାରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମ୍ବଲପୁର ଡିଭିଜନ ପକ୍ଷରୁ ସଂପୃକ୍ତ ଜବରଦଖଲକାରୀଙ୍କୁ ଗତ ଏପ୍ରିଲ୧୯ରେ ନୋଟିସ କରାଯିବା ସହ ସାତଦିନ ମଧ୍ୟରେ ଜାଗା ଖାଲି କରିବାକୁ କୁହାଯାଇଥିଲା। ନହେଲେ ବିଭାଗ ପକ୍ଷରୁ ଜୋରଜବରଦସ୍ତ ଜାଗାଖାଲି କରିବା ପାଇଁ କୁହାଯାଇଥିଲା। ମଙ୍ଗଳବାର ସକାଳେ ହରଭଙ୍ଗା ତହସିଲଦାର ତଥା ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟ ସୁବ୍ରତ ନାଏକଙ୍କ ଉପସ୍ଥିତିରେ ଜବରଦଖଲ ଉଛେଦ କାର୍ଯ୍ୟ କରାଯାଇଥିଲା। ଚାରିଛକ ଫରେଷ୍ଟ ବଙ୍ଗଳାକୁ ଲାଗିରହିଥିବା ବ୍ଲକ ମାର୍କେଟ କମ୍ପ୍ଲେସକୁ ଜେସିବି ମେସିନ ସାହାଯ୍ୟରେ ସଂପୂର୍ଣ୍ଣ ଭଙ୍ଗା ଯାଇଥିଲା। ଏହା ପରେ ନୋଟିସ ପାଇଥିବା ଜାଗା ମାଲିକ ତଥା ଦୋକାନୀ ମାନେ ସ୍ୱଇଛାରେ ଜାଗା ଛାଡ଼ିବାକୁ କହିବାରୁ ଭଙ୍ଗା କାର୍ଯ୍ୟ ବନ୍ଦ କରାଯାଇ ସେମାନଙ୍କୁ ନିଜେ ଭାଙ୍ଗିବା ପାଇଁ ସୁଯୋଗ ଦିଆଯାଇଥିବା ତହସିଲଦାର ସୁବ୍ରତ ନାଏକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର