ଜିଲ୍ଲା ପରିଷଦ ସଭ୍ୟ ଓ ପୂର୍ବ ବିଧାୟକଙ୍କ ସମେତ୩୦ ଗିରଫ:ପୁଲିସର ଲାଠି ଚାଳନା

ସ୍ପିରିଟ କାରଖାନାକୁ ଜଳଯୋଗାଣର ବିରୋଧ

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ ତିତିରିକଟା ଠାରେ ହେବାକୁ ଥିବା ସ୍ପିରିଟ କରାଖାନାକୁ ଫକିରପୁର ଗ୍ରାମ୍ୟ ଜଙ୍ଗଲ ଦେଇ ପାଇପ ବିଛାଯାଇ ଜଳଯୋଗାଣ କରାଯିବାକୁ ଯୋଜନା କରାଯାଇଛି। ଏହାକୁ ଗ୍ରାମବାସୀ ଦୃଢ଼ ବିରୋଧ କରିବାରୁ ଗୁରବାର ୩୦ ଜଣଙ୍କୁ ପୁଲିସ ଗିରଫ କରିଛି। ଗିରଫମାନଙ୍କ ମଧ୍ୟରେ ବୌଦ୍ଧର ୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ତଥା ସିପିଆଇ ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଅବକାଶ ସାହୁ, ଛତ୍ରପୁରର ପୂର୍ବ ବିଧାୟକ ଏନ୍‌. ନାରାୟଣ ରେଡ୍ଡି ମଧ୍ୟ ରହିଛନ୍ତି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ତିତିରିକଟା ଠାରେ ନିର୍ମାଣାଧୀନ ସ୍ପିରିଟି କାରଖାନାକୁ ଫକିରପୁର, ବଳରାମପୁର, ବିଷ୍ଣୁପୁର, ଦାମଦୋରପୁରର ଗ୍ରାମବାସୀ ବହୁ ଦିନ ହେଲା ବିରୋଧ କରି ଆସୁଛନ୍ତି। ଏହି କାରଖାନା ପାଇଁ ଦିନକୁ ଆବଶ୍ୟକ ହେଉଥିବା ୧୨୬୫ ଘନଫୁଟ ଜଳ ମହାନଦୀରୁ ଯୋଗାଣ ପାଇଁ ଯୋଜନା ରହିଛି। ଜଳ ଯୋଗାଣ ପାଇଁ ଫକିରପୁରର ଗ୍ରାମ୍ୟ ଜଙ୍ଗଲ ଦେଇ ମାଟି ଖୋଳି ପାଇପ ପୋତି ପାଣି ଆଣିବା ପାଇଁ କଂପାନି କର୍ତ୍ତୃପକ୍ଷ ଯୋଜନା କରିଛନ୍ତି। ଗ୍ରାମ୍ୟ ଜଙ୍ଗଲ ଗ୍ରାମବାସୀଙ୍କ ଦ୍ୱାରା ସଂରକ୍ଷିତ ହୋଇ ରହିଥିବା ବେଳେ ଏହା ମଧ୍ୟ ଦେଇ ପାଇପ ଯିବା ପାଇଁ ଜଙ୍ଗଲ ନଷ୍ଟ କରାଯିବା ଓ ମହାନଦୀରେ ଏବେ ପାଣି ନଥିବାରୁ କଂପାନିକୁ ଜଳ ଯୋଗାଣ ବନ୍ଦ କରିବା ପାଇଁ ଗ୍ରାମବାସୀ ଦାବି କରି ଆସୁଛନ୍ତି। ସ୍ପିରିଟି କାରଖାନା ହେବାକୁ ନେଇ ଆରମ୍ଭରୁ ବିବାଦ ଦେଖା ଦେଇଛି। ବିନା ଗ୍ରାମ ସଭା ଓ ବିନା ପଲ୍ଲୀସଭାରେ କାମ ହୋଇଥିବା ଏବଂ ଲୋକଙ୍କ ଜାଲ ଦସ୍ତଖତ ଦେଇ ଗ୍ରାମସଭା କରାଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଏନେଇ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଗୁରୁବାର କଂପାନି କର୍ତ୍ତୃପକ୍ଷ ପୁଲିସ ଲଗାଇ ଜୋରଜବରଦସ୍ତ ମହାନଦୀରୁ ଜଳ ଯୋଗାଣ କରିବା ପାଇଁ ପଦକ୍ଷେପ ନେଇଥିଲା। ଏହାକୁ ବିରୋଧ କରିବାରୁ ପୁଲିସ ଓ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ପୁଲିସ ପକ୍ଷରୁ ଲାଠି ଚାଳନା ହୋଇଥିବା ଜଣାପଡ଼ିଛି। ଲୋକଙ୍କୁ ପୁଲିସ ମାଡ଼ପିଟ କରିବା ସହିତ ଟଣା ଓଟରା କରିଥିବା ମଧ୍ୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଆନ୍ଦୋଳନର ନେତୃତ୍ୱ ନେଉଥିବା ଶ୍ରୀ ସାହୁ, ପୂର୍ବ ବିଧାୟକ ଶ୍ରୀ ରେଡ୍ଡିଙ୍କୁ ପୁଲିସ ଗରିଫ କରିଛି।

ଏହା ସହିତ ୨୦ ଜଣ ମହିଳା ଓ ୮ ଜଣ ଗ୍ରାମବାସୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ ଯେ ଗତ ମାସରେ ହରଭଙ୍ଗା ବ୍ଲକ୍‌ରେ ଜନଶୁଣାଣି ଚାଲିଥିବା ବେଳେ ମହିଳାମାନେ ଜିଲ୍ଲାପାଳଙ୍କୁ ସ୍ପିରିଟ କାରଖାନା ବିଷୟରେ ଗୁହାରି କରିବାକୁ ଯାଇଥିଲେ। ହେଲେ ସେମାନଙ୍କ କଥା କେହି ଶୁଣି ନଥିଲେ ବରଂ ମହିଳାମାନେ ଯେଉଁ ଗାଡ଼ିରେ ଜନଶୁଣାଣି ସ୍ଥଳକୁ ଯାଇଥିଲେ ସେହି ଗାଡ଼ିକୁ ପ୍ରଶାସନ ଫାଇନ କରିଥିବାରୁ ସଂପୃକ୍ତ ମହିଳାମାନେ ୧୫ କିମି ରାସ୍ତା ଚାଲି ଚାଲି ଫେରିଥିଲେ। ତିତିରିକଟା ସ୍ପିରିଟ କରାଖାନାକୁ ନେଇ ଆଜିର ପୁଲିସ କାର୍ଯ୍ୟାନୁଷ୍ଠାନ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଲାଗି ରହିଛି। ଘଟଣାସ୍ଥଳରେ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି।

ସମ୍ବନ୍ଧିତ ଖବର