ନକଲି ନୋଟ କାରବାର: ଜଣେ ଗିରଫ, ୧ ଫେରାର

ବୌଦ୍ଧ: ବୌଦ୍ଧ ଥାନା ହରେକୃଷ୍ଣପୁର ଗାଁରେ ନକଲି ନୋଟ କାରବାର କରୁଥିବା ଅଭିଯୋଗରେ ପୁଲିସ ମଥୁରା ଗ୍ରାମର ପ୍ରମୋଦ ପ୍ରଧାନ(୩୪)କୁ ଗିରଫ କରିଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ସାଗରପାଲି ଗାଁର ଭଗବାନ ମେହେର(୪୦) ଫେରାର ହୋଇଯାଇଛି।  ଗତ ସୋମବାର ସକାଳ ୯ଟାରେ ପ୍ରମୋଦ ଓ ଭଗବାନ ଏକ ବାଇକ ଯୋଗେ ରାମ୍ଭିକଟା ଗାଁର ପ୍ରଭାତ ଡାଳୁଆଙ୍କ ଦୋକାନକୁ ଯାଇଥିଲେ। ସେମାନେ ଏକ ନକଲି ଶହେ ଟଙ୍କିଆ ନୋଟ ଦେଇ ଚୂଡ଼ା ମିକ୍ସଚର ମାଗିଥିଲେ। ଦୋକାନୀ ନକଲି ନୋଟଟି ରଖି ତାଙ୍କୁ ଦଶ ଟଙ୍କାର ମିକ୍ସଚର ଦେଇଥିଲେ ଓ ବାକି ୯୦ ଟଙ୍କା ଫେରାଇଥିଲେ।

ସେଠାରୁ ସେମାନେ ହରେକୃଷ୍ଣପୁର ଗାଁକୁ ଯାଇ ସେଠାରେ ଥିବା ଗଣେଶ ଦେହୁରୀଙ୍କ ଦୋକାନକୁ ଯାଇ ନକଲି ଦୁଇଶହ ଟଙ୍କା ଦେଇ ସିଗାରେଟ ମାଗିଥିଲେ। ମାତ୍ର ଉକ୍ତ ନୋଟଟି ନକଲି ଥିବାରୁ ଦୋକାନୀ ସଙ୍ଗେ ସଙ୍ଗେ ସେମାନଙ୍କୁ ନୋଟ ଫେରାଇ ଏହା ନକଲି ବୋଲି କହିଥିଲେ। ରାମ୍ଭିକଟା ଗାଁର ପ୍ରଭାତ ନକଲି ନୋଟ ଦେଇ ଦୁଇଜଣ ତାଙ୍କୁ ଠକିଥିବା ନେଇ ଗ୍ରାମବାସୀଙ୍କୁ କହିବାରୁ ଗ୍ରାମବାସୀମାନେ ନକଲି ନୋଟ ବାଲାଙ୍କୁ ଖୋଜିବାକୁ ହରେକୃଷ୍ଣପୁର ପହଞ୍ଚିଥିଲେ। ସେଠାରେ ପ୍ରମୋଦକୁ ଧରିବାରେ ସଫଳ ହୋଇଥିବା ବେଳେ ଭଗବାନ ସେଠାରୁ ଫେରାର ହୋଇଥିଲା। ପୁଲିସ ସେଠାରେ ପହଂଚିବାରୁ ଅଭିଯୁକ୍ତ ପ୍ରମୋଦ ପାଖରେ ଥିବା ନକଲି ନୋଟକୁ ଚିରି ଦେଇଥିଲା।

ସମ୍ବନ୍ଧିତ ଖବର